ଲାହୋର, ୦୫/୦୩ : ଚାମ୍ପିଅନ୍ସ ଟ୍ରଫିରେ ଆଜି ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ସେମି ଫାଇନାଲ୍‌ ମୁକାବିଲା । ଉଭୟ ଦଳ ଫିଟ୍‌ ଓ ଘମାଘୋଟ ଲଢ଼େଇ ପାଇଁ ପ୍ରସ୍ତୁତ । ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ୨୦୧୧ ଓ ୨୦୧୫ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହୋଇ ଦକ୍ଷିଣ ଆଫ୍ରିକା ଟାଇଟଲ ଦୌଡ଼ରୁ ବାଦ ପଡ଼ିଥିଲା । ଦୀର୍ଘ ୧୦ବର୍ଷ ପରେ ଉଭୟ ପୁଣି ଥରେ ଏଭଳି ଏକ ମ୍ୟାଚ୍‌ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି, ଯେଉଁ ମ୍ୟାଚ୍‌ ଗୋଟିଏ ଦଳର ଟ୍ରଫି ସ୍ୱପ୍ନକୁ ଚୂରମାର୍‌ କରିବ । ପ୍ରଦର୍ଶନକୁ ଦେଖିଲେ ଉଭୟ ଦଳର ଶକ୍ତି ସମାନ । କେବଳ ନ୍ୟୁଜିଲାଣ୍ଡର ସ୍ପିନ୍‌ ବିଭାଗ ଦକ୍ଷିଣ ଆଫ୍ରିକା ତୁଳନାରେ ଅଧିକ ଶକ୍ତିଶାଳୀ । ମିଚେଲ ସାଣ୍ଟନର ଓ ମାଇକେଲ ବ୍ରେସୱେଲ୍‌ ଚମତ୍କାର ଫର୍ମରେ ରହିଛନ୍ତି । ଏମାନଙ୍କ ବ୍ୟତୀତ ଗ୍ଲେନ ଫିଲିପ୍ସ ଆବଶ୍ୟକ ସମୟରେ ଯୋଡ଼ି ଭାଙ୍ଗୁଛନ୍ତି । 

ଅନ୍ୟପଟରେ ଦେଖିବାକୁ ଗଲେ ଦକ୍ଷିଣ ଆଫ୍ରିକା ଏକାଦଶରେ କେବଳ ଜଣେ ସ୍ପିନରଙ୍କୁ ସୁଯୋଗ ମିଳୁଛି । ଅସଲରେ ଦେଖିବାକୁ ଗଲେ ସ୍ପିନ୍‌ ବିଭାଗ ହିଁ ମ୍ୟାଚ୍‌ ଫଳାଫଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ବିଶ୍ୱ କ୍ରିକେଟ୍‌ରେ ଦକ୍ଷିଣ ଆଫ୍ରିକା ଏକମାତ୍ର ଦଳ ଭାବେ ଆଇସିସିର ଶେଷ ୭ଟି ଯାକ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ଏହି ତାଲିକାରେ ରହିଛି ୨୦୨୩ ଦିନିକିଆ ବିଶ୍ୱକପ୍‌ ସେମି ଫାଇନାଲ, ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍‌ ଓ ୨୦୨୫ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ । ଏହି ସବୁ ପ୍ରଦର୍ଶନରୁ ଦକ୍ଷିଣ ଆଫ୍ରିକା ଶକ୍ତି ପ୍ରମାଣିତ ହେଉଛି । ଦଳରେ ଏକାଧିକ ବିସ୍ଫୋରକ ବ୍ୟାଟର ଓ ବୋଲିଂ ଅଲ୍‌ରାଉଣ୍ଡର ରହିଛନ୍ତି । ଯାହା ଦଳକୁ ସନ୍ତୁଳିତ କରିଛି । ଦକ୍ଷିଣ ଆଫ୍ରିକା ସମ୍ପ୍ରତି ଦମ୍‌ଦାର ଖେଳ ପ୍ରଦର୍ଶନ କରୁଥିଲେ ହେଁ ପୂର୍ବ ରେକର୍ଡକୁ ଦେଖିଲେ ଆସନ୍ତାକାଲି ନ୍ୟୁଜିଲାଣ୍ଡର ପଲା ଭାରି ରହିବ । ୨୦୧୭ ପରଠୁ ଉଭୟ ଦଳ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳି ନାହାନ୍ତି । ୨୦୧୯ ଓ ୨୦୨୩ ବିଶ୍ୱକପ ଉଭୟ ସାମ୍ନାସାମ୍ନି ହୋଇଥିଲେ ଓ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିଲେ । ଆଇସିସି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ପରସ୍ପରକୁ ୧୧ଥର ଭେଟିଛନ୍ତି । ଏଥିରୁ ନ୍ୟୁଜିଲାଣ୍ଡ ୭ଟି ମ୍ୟାଚ ଓ ଦକ୍ଷିଣ ଆଫ୍ରିକା ୪ଟି ମ୍ୟାଚ ଜିତିଛନ୍ତି । 

ସେମି ଫାଇନାଲ୍‌ ମୁକାବିଲା ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଆହତ ଚିନ୍ତା ଘାରିଛି । ତେମ୍ବା ବଭୁମା ଓ ଟୋନି ଡି ଜର୍ଜି ଅସୁସ୍ଥ ହୋଇ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ଖେଳି ନଥିଲେ । ବର୍ତ୍ତମାନ ଉଭୟ ଅଭ୍ୟାସ ଆରମ୍ଭ କରିବା ଫଳରେ ଦଳ ଆଶ୍ୱସ୍ତ ହୋଇଛି । ଆଡେନ ମାରକ୍ରମ ଏବେ ବି ଆହତ ଅଛନ୍ତି । ନ୍ୟୁଜିଲାଣ୍ଡ ଦଳର ସମସ୍ତ ଖେଳାଳି ଫିଟ୍‌ ରହିଥିଲେ ହେଁ ଯାତ୍ରା କ୍ଳାନ୍ତିରୁ ମୁକୁଳି ନାହାନ୍ତି । ରବିବାର ଦିନ ଭାରତ ବିପକ୍ଷ ଅନ୍ତିମ ଲିଗ୍‌ ମ୍ୟାଚ୍‌ ଖେଳିବା ପରେ ସୋମବାର ସକାଳୁ ସକାଳୁ ନ୍ୟୁଜିଲାଣ୍ଡ ଦଳ ଲାହୋରରେ ଆସି ପହଞ୍ଚିଥିଲା । ତେଣୁ ଦଳ ଗୋଟିଏ ଦିନ ବିଶ୍ରାମ କରିବା ପରେ ଆଜି ହାଲକା ଅଭ୍ୟାସ କରିଛି । କେନ ୱିଲିୟମସନଙ୍କ ପ୍ରଦର୍ଶନ ଉପରେ ନ୍ୟୁଜିଲାଣ୍ଡ ନିର୍ଭର କରିବା ନିଶ୍ଚିତ । ସେ ଭାରତ ବିପକ୍ଷରେ ଅର୍ଦ୍ଧଶତକ(୮୧) ଅର୍ଜନ କରିଥିଲେ । ଗତ ମାସରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ସିରିଜରେ ସେ ଏହି ଗ୍ରାଉଣ୍ଡ୍‌ରେ (ଗଦ୍ଦାଫି ଷ୍ଟାଡ଼ିୟମ୍‌)ରେ ଅପରାଜିତ ୧୩୩ ରନ୍‌ର ଇନିଂସ ଖେଳିଥିଲେ ଏବଂ ବିପକ୍ଷ ଦଳ ଥିଲା ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୱିଲିୟମସନଙ୍କ ଆଭରେଜ ୫୭.୩୫ ରହିଛି । 

ଟସ ଜିତିଲେ ବ୍ୟାଟିଂ: ଗଦ୍ଦାଫି ଷ୍ଟାଡ଼ିୟମ ପିଚ୍‌ ବ୍ୟାଟିଂ ପାଇଁ ବେଶ ଅନୁକୂଳ ରହିଛି । ଆଜି ମଧ୍ୟ ଏଠାରେ ବିଶାଳ ସ୍କୋର ସଂଗୃହୀତ ହେବ । ଟସ୍‌ର କୌଣସି ଭୂମିକା ରହିବ ନାହିଁ । ଏଠାରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳର ହାରା ହାରି ସ୍କୋର ୩୧୫ । ଦ୍ୱିତୀୟରେ ବ୍ୟାଟିଂ କଲେ ମଧ୍ୟ ବିଜୟ ହାସଲ କରିହେବ । ମୋଟ୍‌ ଉପରେ ଦେଖିବାକୁ ଗଲେ ଟସ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ କରି ପ୍ରତିପକ୍ଷ ଉପରେ ଚାପ ପକାଇବା ଉପଯୁକ୍ତ ରଣନୀତି ହେବ ।

ସମ୍ଭାବ୍ୟ ଦଳ : 

ଦକ୍ଷିଣ ଆଫ୍ରିକା: ତେମ୍ବା ବଭୁମା (ଅଧିନାୟକ), ର‌୍ୟାନ ରିକେଲଟନ, ରାଶି ଭାନ ଡର ଡୁସେନ, ଆଡେନ ମାରକ୍ରମ, ହେନରିକ କ୍ଲାସେନ, ଡେଭିଡ ମିଲର, ୱିଆନ ମୁଲ୍ଡର, ମାର୍କୋ ଜାନସେନ, କେଶବ ମହାରାଜ, କାଗିସୋ ରାବାଡା, ଲୁଙ୍ଗି ଏନ୍‌ଗିଡ଼ି । 

ନ୍ୟୁଜିଲାଣ୍ଡ: ୱିଲ ୟଙ୍କ, ରଚିନ ରବିନ୍ଦ୍ର/ ଡେଭନ କନୱେ, କେନ ୱିଲିୟମସନ, ଡାରିଲ ମିଚେଲ, ଟମ ଲାଥମ, ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ୍‌, ମିଚେଲ ସାଣ୍ଟନର(ଅଧିନାୟକ), ମାଟ ହେନରୀ, କେଲି ଜାମିସନ, ୱିଲ ଓ’ରୁର୍କ।