ପ୍ରମୂଖ ଖବର
  • କେନାଲ ନିକଟରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଠାବ, ହତ୍ୟା ସନ୍ଦେହ
  • ||
  • ମଙ୍ଗଳବାର ସରିବ ଶ୍ରୀକ୍ଷେତ୍ର ସାହିଯାତ, ରାମାଭିଷେକ ସହ ରାମଲୀଳାର ଅନ୍ତ ଘଟିବ
  • ||
  • IPL 2025: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ଏକାନ୍ନାରେ ପୁଣି ହେବ ରାହୁଲ ରାଜୁତି
  • ||
  • କଟକ ଗତିରାଉତପାଟଣା ନିକଟରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା, ୨ ପୋଲିସ କର୍ମଚାରୀ ମୃତ, ଜଣେ ଆହତ
  • ||
  • ପଶ୍ଚିମ, ଆଭ୍ୟନ୍ତରୀଣରେ ବର୍ଷୁଛି ନିଆଁ, ୪୫ ଡିଗ୍ରୀ ଡେଇଁଲା ପାରଦ: ଆଜିଠାରୁ ଗ୍ରୀଷ୍ମ ଲହରୀ, ୨୩ରୁ ସାଂଘାତିକ ତାତି
  • ||

ଫାଟକ ଖୋଲିବାରେ ସାମାନ୍ୟ ବିଳମ୍ବ ହେଲା ବୋଲି... ମାନବିକତା ଭୁଲିଗଲେ ପୁଲିସ୍‌ ବାବୁ : ଲୁହା ପାଇପ୍‌କୁ ଧକ୍କା ଦେଲା ପିସିଆର୍‌ ଭ୍ୟାନ୍‌, ଛିଟ୍‌କି ପଡ଼ି ସୁରକ୍ଷାକର୍ମୀ ମୁଣ୍ଡ ଫାଟିଲା,

Published By : Prameya | March 25, 2025 12:38 AM

 ଅନୁଗୁଳ,୨୪। ୩(ବ୍ୟୁରୋ): ଫାଟକ ଖୋଲିବାରେ ସାମାନ୍ୟ ବିଳମ୍ବ ହେଲା ବୋଲି ରାଗିଗଲେ ପୁଲିସ୍‌ ବାବୁ । ହିତାହିତ ଜ୍ଞାନ ହରାଇଲେ, ଫାଟକରେ ଲାଗିଥିବା ଲୁହା ପାଇପ୍‌କୁ ଧକ୍କା ଦେଲା ପିସିଆର୍‌ ଭ୍ୟାନ୍‌ । ଧକ୍କା ଖାଇ ଛିଟ୍‌କି ପଡିଲେ ସୁରକ୍ଷାକର୍ମୀ । ମୁଣ୍ଡ ଫାଟି ତଳେ ପଡ଼ିରହିଥିବା ସୁରକ୍ଷାକର୍ମୀଙ୍କୁ ଉଦ୍ଧାର କରି ମେଡିକାଲ୍‌ ନେବା ତ ଦୂର କଥା, ଲହୁଲୁହାଣ ସୁରକ୍ଷାକର୍ମଙ୍କୁ ତଳୁ ଉଠାଇବାର ସାମାନ୍ୟତମ ମାନବିକତା ମଧ୍ୟ ଦେଖାଇଲେ ନାହିଁ । ଶନିବାର ରାତିରେ ଅନୁଗୁଳ ନୂଆ ବସଷ୍ଟାଣ୍ଡ୍‌ରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ସିସିଟିଭି ଫୁଟେଜ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ପୁଲିସ୍‌ ବାବୁ ଓ ପିସିଆର୍‌ ଚାଳକର ଏଭଳି ହରକତ ଯିଏ ଦେଖୁଛି, ସେ ନାପସନ୍ଦ କରୁଥିବା ବେଳେ ସୁରକ୍ଷା ଦେବା ଲୋକ ଯଦି ଏଭଳି କାଣ୍ଡ ଭିଆଇବ, ତେବେ କାହାକୁ କହିବା ବୋଲି ପ୍ରତିକ୍ରିୟା ସୃଷ୍ଟି ହୋଇଛି । 

ଘଟଣାଟି ଏହିପରି । ଶନିବାର ରାତି ପ୍ରାୟ ୧୨ଟା ୧୧ ମିନିଟ୍‌ । ନୂଆ ବସଷ୍ଟାଣ୍ଡ୍‌ ଫାଣ୍ଡିରୁ ବାହାରିଲା ଏକ ପିସିଆର୍‌ ଭ୍ୟାନ୍‌ । ପ୍ରଥମତଃ ଭ୍ୟାନ୍‌ଟି ନିୟମ ଉଲ୍ଲଂଘନ କରି ଭୁଲ୍‌ ରାସ୍ତାରେ ଆସିଲା । ପ୍ରସ୍ଥାନ ପଥରେ ଯିବା ବଦଳରେ ପ୍ରବେଶ ପଥରେ ବାହାରିବାକୁ ଉଦ୍ୟମ କଲା । ପ୍ରବେଶ ପଥ ଫାଟକ ବନ୍ଦ ଥିବାରୁ ପୁଲିସ୍‌ ବାବୁ ହର୍ଣ୍ଣ ପରେ ହର୍ଣ୍ଣ ମାରି ଚାଲିଲେ । ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ ଫାଟକ ଖୋଲିବାରେ ସାମାନ୍ୟ ବିଳମ୍ବ କଲେ ବୋଲି ରାଗିଗଲେ ପୁଲିସ୍‌ ବାବୁ । ସୁରକ୍ଷାକର୍ମୀ ଫାଟକର ଦଉଡ଼ି ଫିଟାଇଲା ବେଳକୁ ଲୁହା ପାଇପ୍‌କୁ ଧକ୍କା ଦେଲେ । ଫଳରେ ଦଉଡ଼ିକୁ ଧରିଥିବା ସୁରକ୍ଷାକର୍ମୀ ଛିଟିକି ପଡିଲେ । ଚଟାଣରେ ବାଜି ମୁଣ୍ଡ ଫାଟି ଯାଇଥିଲା । ବାକ୍‌ଶୂନ୍ୟ ହୋଇ ତଳେ ନିଶ୍ଚଳ ହୋଇ ପଡ଼ି ରହିଥିଲେ ସୁରକ୍ଷା କର୍ମୀ । ପିସିଆର୍‌ ଭ୍ୟାନ୍‌ରେ ବସିଥିବା  ପୁଲିସ କର୍ମଚାରୀ କିନ୍ତୁ ସାମାନ୍ୟତମ ମାନବିକତା ଦେଖାଇଲେ ନାହିଁ । ରକ୍ତ ଜର୍ଜରିତ ହୋଇ ସୁରକ୍ଷା କର୍ମୀ ତଳେ ପଡ଼ିଥିବା ବେଳେ ବାଟ କାଟି ପିସିଆର୍‌ ପଳାଇଥିଲା । କିଛି ସମୟ ପରେ ଫାଣ୍ଡିର ଜଣେ ପୁଲିସ୍‌ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସୁରକ୍ଷାକର୍ମୀଙ୍କୁ ଉଦ୍ଧାର କରିଥିଲେ । ପରେ ସହକର୍ମୀଙ୍କ ସହାୟତାରେ ତାଙ୍କର ଚିକିତ୍ସା କରାଇଥିଲେ । ଅନ୍ୟ କେହି ସାଧାରଣ ଲୋକ କୌଣସି ଅପରାଧ ଘଟାଇଲେ, ପୁଲିସ୍‌ ତତ୍‌କ୍ଷଣାତ୍‌ ଝାମ୍ପି ପଡୁଛି । ମାତ୍ର ଖୋଦ୍‌ ପୁଲିସ୍‌ ବାବୁଙ୍କ ଏଭଳି କାଣ୍ଡ ସତ୍ତେ୍ୱ କୌଣସି ବି କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଉପରିସ୍ଥ ଅଧିକାରୀ ଏନେଇ ଅବଗତ ଥିଲେ ମଧ୍ୟ ଘଟଣାକୁ ଚାପି ଦିଆଯାଇଛି । ସେପଟେ ପୁଲିସ୍‌ ବିରୁଦ୍ଧରେ ବାହାରିବାକୁ ସୁରକ୍ଷାକର୍ମୀ ସାହସ କୁଳେଇ ପାରିନଥିବା ବେଳେ ଘଟଣାର ସିଟିଟିଭି ଫୁଟେଜ୍‌ ଭାଇରାଲ୍‌ ହେବା ପରେ ସାଧାରଣରେ ତୀବ୍ର ଉଦ୍‌ବେଗ ପ୍ରକାଶ ପାଇଛି । ଏ ସମ୍ପର୍କରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଅଧିକାରୀ ମୁହଁ ଖୋଲିନଥିଳେ । ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କିନ୍ତୁ ଘଟଣା ନିନ୍ଦନୀୟ ବୋଲି ପ୍ରକାଶ କରିଛନ୍ତି । କିଛି ପୁଲିସ୍‌ କର୍ମଚାରୀଙ୍କ ଏଭଳି ହରକତ ପାଇଁ ପୁଲିସ୍‌ ବଦନାମ୍‌ ହେଉଛି । ରାଗ ବେଳେ ଯଦିଓ ଏଭଳି ଭୁଲ୍‌ ହୋଇଯାଇଛି, ତେବେ ପରବର୍ତ୍ତୀ ସମୟରେ ସୁରକ୍ଷାକର୍ମୀଙ୍କ ପାଖରେ ପହଞ୍ଚି ତାଙ୍କ ଭଲମନ୍ଦ ବୁଝିବାର ଥିଲା ବୋଲି ସେ ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.