ଜୟପୁର,୦୫/୧୧:  ପୁଣିଥରେ ରୂପେଲି ପରଦାରେ ଦେଖିବାକୁ ମିଳିବ ବରିଷ୍ଠ କଳାକାର ଜୟନ୍ତ ସାନ୍ତ୍ରାଙ୍କ ଅଭିନୟ । ‘ଦମନ’ର ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କ  ‘ପରବ’ ସିନେମାରେ ତାଙ୍କୁ ଦେଖିବାକୁ ପାଇବେ ଦର୍ଶକ । ବାପା  ଭୂମିକାରେ ଅଭିନୟ କରିଛନ୍ତି  ଜୟନ୍ତ । ‘ପାହାଡର ଲୁହ’,  ‘ଫେରିଆ’, ‘ବାଘ ବଜାରୀ’, ‘ହେ  ରାମ’ ପରେ ଏହା ହେଉଛି ଜୟନ୍ତଙ୍କ  ପଞ୍ଚମ ସିଲଭର ସ୍କ୍ରିନର ସିନେମା ।  ଆସନ୍ତା ଡିସେମ୍ବର ୨୦ରେ ଏହା  ମୁକ୍ତିଲାଭ କରିବ ।   

ଜୟନ୍ତ କହିଛନ୍ତି, ଓଲିଉଡର  ଏକ ବ୍ୟବବହୁଳ ବଜେଟରେ ପ୍ରସ୍ତୁତ  ହୋଇଛି ‘ପରବ’ । ଗଜପତି ଜିଲ୍ଲା  ଏବଂ ଭୁବନେଶ୍ୱରରେ ଏହାର ସୁଟିଂ ହୋଇଛି । ଏହି ସିନେମାର ଅଭିନେତା  ଦୀପାନମିତ୍‌ ମହାପାତ୍ରଙ୍କ ବାପା  ଭୂମିକାରେ ତାଙ୍କୁ ଅଭିନୟ କରିବାର  ସୁଯୋଗ ମିଳିଛି । ପ୍ରାୟ ସପ୍ତାହେ  ଧରି ତାଙ୍କର ସୁଟିଂ ଚାଲିଥିଲା । ଏହି  ସିନେମାରେ ବରିଷ୍ଠ ସିନେ ଅଭିନେତା  ସିଦ୍ଧାନ୍ତ ମହାପାତ୍ର, ଅଭିନେତ୍ରୀ  ଅନୁ ଚୌଧୁରୀ ଓ ସୂର୍ଯ୍ୟାମାୟୀ,  ଜୟପ୍ରକାଶ ଦାଶ ପ୍ରମୁଖ ରହିଛନ୍ତି ।  ଏଠାରେ ପ୍ରସ୍ତୁତ ହୋଇଥିବା କ୍ଷୁଦ୍ର  ଚଳଚ୍ଚିତ୍ର ‘ପେନସନ୍‌’ରେ ବୃଦ୍ଧ  ବାପାର ଅଭିନୟକୁ ଦେଖିବା ପରେ  ‘ପରବ’ ସିନେମା ଲାଗି ତାଙ୍କୁ ଚୟନ  କରାଯାଇଥିଲା । ଅଭିନୟ ଭଲଭାବେ  କରିଛନ୍ତି । ସିନେମାକୁ ଦର୍ଶକ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।   

ସୂଚନାଥାଉକି,୧୯୭୫  ମସିହାରୁ ଜୟନ୍ତ ମଞ୍ଚ ଅଭିନେତା  ଭାବେ ନିଜ ପ୍ରତିଭାର ପରାକାଷ୍ଠା  ଦେଖାଇ ଆସୁଛନ୍ତି । ଏ ଭିତରେ  କ୍ଷୁଦ୍ର ଚଳଚ୍ଚିତ୍ର ଚଣ୍ଡାଳ, ମାଳିପୁଟ  ମେଲୋଡି, ମହାନାଟକ, ମାଟି  ଓ ମା, ପେନସନରେ ନିଖୁଣ  ଅଭିନୟ କରି ଦର୍ଶକଙ୍କ ହୃଦୟ  ଜିତିଛନ୍ତି । ୧୦୦ରୁ ଅଧିକ ମଞ୍ଚ  ନାଟକରେ ଅଭିନୟ କରି ନିଜର  ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।