ନୂଆଦିଲ୍ଲୀ,୨୮।୭: ବ୍ୟାଙ୍କିଙ୍ଗ, ରିଅଲିଟି ଓ ଆଇଟି ସେୟାର ହ୍ରାସ ହେବା କାରଣରୁ ଆଜି ସେୟାର ବଜାର ଲାଲ ସଙ୍କେତରେ ବନ୍ଦ ହୋଇଛି। କୋଟାକ ମହିନ୍ଦ୍ରା ବ୍ୟାଙ୍କର ସେୟାର ୭ ପ୍ରତିଶତରୁ ଅଧିକ ଖସିଛି, ଯାହାକି ଗତ ୧୫ ମାସରେ ସର୍ବାଧିକ। ସେଭଳି ଟିସିଏସ୍ରେ ୧୨ ହଜାର କର୍ମଚାରୀଙ୍କ ଛଟେଇର ସୂଚନା ଦ୍ବାରା ସେୟାର ମାର୍କେଟର ସୂଚକାଙ୍କ ତଳକୁ ଖସିଛି। ଯାହାଦ୍ବାରା ସପ୍ତାହର ପ୍ରଥମ ବିଜନେସ୍ ଡେ’ ରେ ଏସ୍ଆଣ୍ଡପି ବିଏସ୍ଇ ସେନସେକ୍ସ ୫୭୨.୦୭ ପଏଣ୍ଟ ତଳକୁ ଖସି ୮୦,୮୯୧.୦୨ ରେ ବନ୍ଦ ହୋଇଥିଲା। ସେଭଳି ଏନ୍ଏସ୍ଇରେ ନିଫ୍ଟି ମଧ୍ୟ ୧୫୬.୧୦ ପଏଣ୍ଟ ହ୍ରାସ ପାଇ୨୪,୬୮୯.୯୦ରେ ପହଁଞ୍ଚି କାରବାର ବନ୍ଦ ହୋଇଥିଲା।
ବିଏସ୍ଇ ସେନସେକ୍ସରେ ସବୁଠାରୁ ଅଧିକ କ୍ଷତି ଆଜି କୋଟାକ୍ ମହିନ୍ଦ୍ରାର ରହିଥିଲା। ଯାହାର ସେୟାର ୭.୫୦ ପ୍ରତିଶତ ହ୍ରାସ ପାଇଛି। କୋଟାକ ମହିନ୍ଦ୍ରାର ତ୍ରୟମାସିକ ଫଳାଫଳା ଶନିବାର ଆସିଥିଲା। ଏହାପରେ ବଜାଜ ଫାଇନାନ୍ସ ୩.୬୪ ପ୍ରତିଶତ, ଭାରତୀ ଏୟାରଟେଲ ୨.୩୫ %, ଟାଇଟନ୍ ୨.୧୭% ଓ ଟାଟା କନସଲଟାନ୍ସି ସର୍ଭିସେଜ୍ର ସେୟାର ୧.୭୬ % ହ୍ରାସ ପାଇବା କାରଣରୁ ବଜାରରେ ନିବେଶକଙ୍କ ମଧ୍ୟରେ ଚିନ୍ତା ଦେଖିବାକୁ ମିଳିଥିଲା।
ଅନ୍ୟପକ୍ଷେ ଲାଭରେ ଥିବା ସେୟାରରେ ହିନ୍ଦୁସ୍ତାନ ୟୁନିଲିଭର, ଏସିଆନ୍ ପେଣ୍ଟସ୍,ଆଇସିଆଇସିଆଇ ବ୍ୟାଙ୍କ, ପାଓ୍ବାର ଗ୍ରୀଡ୍, ଏଚ୍ଡିଏଫ୍ସି ବ୍ୟାଙ୍କ ଓ ଆଇଟିସି ରହିଛି। ସେୟାର ବଜାରର ସୂଚନା ଅନୁସାରେ, ବିଦେଶୀ ଅନୁଷ୍ଠାନର ନିବେଶକ (ଏଫ୍ଆଇଆଇ) ଶୁକ୍ରବାର ୧,୯୭୯.୯୬ କୋଟି ଟଙ୍କାର ସେୟାର ବିକ୍ରି କରିଛନ୍ତି। ଏସିଆର ଅନ୍ୟ ବଜାରରେ ଜାପାନର ନିକ୍କେ ହ୍ରାସ ସହିତ ବନ୍ଦ ହୋଇଛି। ସେଭଳି ଦକ୍ଷିଣ କୋରିଆର କୋପ୍ସି, ଚୀନ୍ର ଶଙ୍ଘାଇ କମ୍ପୋଜିଟ୍ ଓ ହଂକଂର ହାଙ୍ଗ୍ ସେଙ୍ଗ୍ ଆଗୁଆ ଥିଲା।