ଖୋର୍ଦ୍ଧା, ୨୭/୦୯: ୧୬ ନଂ ଜାତୀୟ ରାଜପଥ ବାଣପୁର ଓଭରବ୍ରିଜ ନିକଟରେ ୩ଟି ବସ୍ର ସିରିଜ୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।
ସୂଚନା ମୁତାବକ, ଶନିବାର ସକାଳୁ ଶିମିଳିଗୁଡାରୁ ଭୁବନେଶ୍ୱର ଯାଉଥିବା ବସ୍ଟି ଏକ ଗାଈକୁ ବଞ୍ଚେଇବାପାଇଁ ଅଟକିଥିଲା । ଏହି ସମୟରେ ପଛରୁ ଆସୁଥିବା ଏକ ବାଇକ୍କୁ ପାଇଲଗୁଡ଼ାରୁ ଭୁବନେଶ୍ୱର ଯାଉଥିବା ଅନ୍ୟ ଏକ ବସ୍ ଧକା ଦେଇଥିଲା । ତା ପଛକୁ ବିଶାଖାପାଟଣାରୁ କଲିକତା ଯାଉଥିବା ବସ୍ଟି ପିଟିଥିଲା । ଫଳରେ ବାଇକ୍ରେ ବସିଥିବା ନିମିକ୍ଷେତା ଗାଁର ଶୁଭମଜ୍ୟୋତି ପ୍ରହରାଜଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ୨ ଜଣ ଯାତ୍ରୀ, ସହକାରୀ ଡ୍ରାଇଭର୍ ଓ ହେଲପର୍ ଆହତ ହୋଇ ବାଲୁଗାଁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରୁ ୩ ବସ୍ ଡ୍ରାଇଭର୍ ଫେରାର ଅଛନ୍ତି । ଖବର ପାଇ ବାଣପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।