ଭୁବନେଶ୍ୱର ୧୧/୧୧: ରାଜଧାନୀ ପୁଣି ଥାର ଆତଙ୍କ। ପାତ୍ରପୋଡ଼ା ହଟି ଆଣ୍ଡ ରନ୍ ଘଟଣା ମନରୁ ନ ଲିଭୁଣୁ ପୁଣି ଭୁବନେଶ୍ବରରେ ସିରିଜ ଦୁର୍ଘଟଣା ଘଟାଇଛି କଳା ଥାର। ଏଜି ଛକରୁ ଆଚାର୍ଯ୍ୟବିହାର ଛକ ପର୍ଯ୍ୟନ୍ତ ଯୋଉ ଗାଡ଼ି ସାମ୍ନାକୁ ଆସିଲା ତାକୁ ପିଟିଛି। ସିରିଜ ଦୁର୍ଘଟଣାରେ ଏକାଧିକ ଗାଡ଼ି ନଷ୍ଟ ହୋଇଛି। ଶେଷରେ ଥାର ଚକା ଫାଟି ବେରିଙ୍ଗ ଭାଙ୍ଗି ଯିବାରୁ ଅଟକଛି। ଏହି ଉତ୍ପାତ ଘଟାଇଥିବା କାର୍ ଚାଳକକୁ ଧରିଛି ପିସିଆର୍ ।
ସୂଚନା ଅନୁଯାଇ, ଦିଲ୍ଲୀରେ ଭୟଙ୍କ ବିସ୍ଫୋରଣ ପରେ ସାରା ଦେଶ ଆତଙ୍କ ଖେଳିଯାଇଥିଲା। ଓଡ଼ିଶାରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଥିଲା। ସହର ଗୁଡିକ ପ୍ରବେଶ ଓ ପ୍ରସ୍ଥାନ ପଥ ଗୁଡ଼ିକରେ ରାତି ତମାମ ଚେକିଂ ଏବଂ ବ୍ଳକିଙ୍ଗ ଆରମ୍ଭ କରିଥିଲା ପୁଲିସ। ହେଲେ ଆଜି ଦିନ ଦ୍ବିପ୍ରହରରେ ରାଜଧାନୀରେ ଜଣେ ମଦୁଆ ଥାର୍ ଡ୍ରାଇଭର ଆତଙ୍କ ଖେଳାଇଥିଲା । ଅଫିସ ସମୟରେ ଟ୍ରାଫିକ ଭିଡ଼ ଥିବା ବେଳେ ସିରିଜ ଦୁର୍ଘଟଣା ଘଟାଇଥିଲା । ଗୋଟିଏ ପରେ, ଗୋଟିଏ ଗାଡିକୁ ଏଜି ଛକରୁ ପିଟି ପିଟି ଆଚାର୍ଯ୍ୟ ବିହାର ଟ୍ରାଫିକ୍ ସିଗନାଲ୍ ଭାଙ୍ଗିଥିଲା। ଦୁର୍ଘଟଣାରେ ଗାଡିର ଚକା ଫାଟି ଯିବାରୁ ରିମ୍ ସାହାଯ୍ୟରେ ପ୍ରାୟ ୫୦୦ ମିଟର ଗାଡି ଦୌଡ଼ାଇଥି । ବେରିଙ୍ଗ ଏକ୍ସେଲ ଭାଙ୍ଗିଯିବାରୁ ଆପୋଲୋ ରୋଡ଼ରେ ଥାର୍ ଗାଡିକୁ ଅଟକାଇବାକୁ ବାଧ୍ୟ ହୋଇଥିଲା ଡ୍ରାଇଭର। ଘଟଣାସ୍ଥଳରେ ପିସିଆର ପହଞ୍ଚି ଉକ୍ତ ଥାର୍ ଗାଡିକୁ ଥାନାକୁ ଉଠାଇ ନେଇଥିବା ବେଳେ ଗାଡି ଡ୍ରାଇଭରକୁ ଅଟକ ରଖିଛି ।
ଉଲ୍ଲେଖଯୋଗ୍ୟ ଯେ, ଗତ ରାକ୍ଷୀ ପୂର୍ଣ୍ଣିମା ଦିନ ଭୁବନେଶ୍ବର ପାତ୍ରପଡ଼ା ଛକରେ ଥାର୍ ଧକ୍କାରେ ଜଣେ ୮ ବର୍ଷର ଝିଅର ମୃତ୍ୟୁ ହୋଇଥିଲା । ଦୁଇ ଜଣ ଗୁରୁତର ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ । ମାତ୍ର କିଛି ଦିନ ପରେ ଚିକିତ୍ସାଧିନ ଅବସ୍ଥାରେ ମା’ଙ୍କର ଜୀବନ ଚାଲିଯାଇଥିଲା । ଥାର୍ ଗାଡ଼ିଟି ଜଟଣୀ ଅଞ୍ଚଳର ହୋଇଥିବା ଜଣାପଡ଼ିଥିଲା । ରିଲ୍ସ କରିବା ନିଶା ଯୋଗୁଁ କାର୍ ରେସିଂ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ ଥାର୍ ମାଲିକ ସୋମନାଥ ବେହେରାଙ୍କ ସମେତ ମୋଟ୍ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏହି ଦୁର୍ଘଟଣା ପରେ ଗାଡ଼ି ଚଳାଇଲା ବେଳେ, ଚାଳକ କିମ୍ବା ପାସେଞ୍ଜର ରିଲ୍ସ କରିବା ସହ ରେସିଂ ନକରିବାକୁ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।