ଭୁବନେଶ୍ୱର,୧୫/୧୧ : ଆଜି ନିଯୁକ୍ତି, କାଲି ଛଟେଇ । ଏଥିରେ ବର୍ତ୍ତମାନ ନାହିଁ କି ଭବିଷ୍ୟତ ନାହିଁ । ଚାକିରି ସର୍ତ୍ତାବଳୀ ଅଛି ସତ, ମାନୁଛି କିଏ? ସକାଳୁ ସଞ୍ଜ କ୍ରୀତଦାସ ଭଳି ଖଟୁଛନ୍ତି । ଅଫିସରଙ୍କ ଇଙ୍ଗିତରେ ବସ୍ ଉଠ ହେଉଛନ୍ତି । ପ୍ରତି ମୁହୂର୍ତ୍ତରେ ଚାକିରିରୁ ଛଟେଇର ଭୟ । ସରକାର ମାସକୁ ଯେତିକି ପାଉଣା ଦେବେ କର୍ମଚାରୀଙ୍କୁ ମିଳିବ ତା’ର ୮୫ରୁ ୯୦ ପ୍ରତିଶତ । ବଳକା ଅର୍ଥ ଯାଉଛି ନିଯୁକ୍ତି ଯୋଗାଇଥିବା ଆଉଟ୍ସୋର୍ସିଂ ସଂସ୍ଥା ପକେଟକୁ । ସେବା ଆଳରେ ବର୍ଷ ବର୍ଷ ଧରି ଏମିତି ଶୋଷୁଛନ୍ତି ସର୍ଭିସ ପ୍ରୋଭାଇଡର୍ ଏଜେନ୍ସି । ସରକାର ସବୁ ଜାଣୁଛନ୍ତି । ସବୁ ଶୁଣୁଛନ୍ତି । ହେଲେ ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଛନ୍ତି । ହାତରେ ନମାରି ଭାତରେ ମାରୁଛନ୍ତି ସରକାର ।
ଯୋଗ୍ୟତା ବିଟେକ୍ । ଦରମା ମାସକୁ ୧୦ ହଜାର । ଛୁଟିରେ ରହିଲେ ଦରମା କାଟ । ଏକାଧିକ ଛୁଟି ମାଗିଲେ ଦଣ୍ଡ ହେଉଛି ଚାକିରିରୁ ଛଟେଇ । ନିଯୁକ୍ତି ଆଳରେ ଯୁବକ ଯୁବତୀଙ୍କୁ ଠକିବାକୁ ନିଯୁକ୍ତିର ନୂଆ ଢାଞ୍ଚା ଧରିଛନ୍ତି ସରକାର । ନିଯୁକ୍ତି ଆଳରେ ଶୋଷଣର ପ୍ରୟୋଗଶାଳା ହେଉଛି ଓଡ଼ିଶା । ରାଜ୍ୟରେ ଗତ କିଛି ବର୍ଷ ହେବ ଆଉଟସୋର୍ସିଂ ଜରିଆରେ ନିଯୁକ୍ତିକୁ ସରକାର ଅଗ୍ରାଧିକାର ଦେଉଛନ୍ତି । ଲୋକସେବା ଭବନରୁ ଖାରବେଳ ଭବନ । ଜିଲ୍ଲା ମୁଖ୍ୟାଳୟ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରୁ ବ୍ଲକ ଅଫିସ୍ ଯାଏ ସବୁଠି ଏ ଆଉଟ୍ସୋର୍ସିଂ ନିଯୁକ୍ତି । ଡାଟା ଏଣ୍ଟ୍ରି ଅପରେଟର, ପ୍ରୋଗ୍ରାମର, କନ୍ସଲଟାଣ୍ଟ, କଂପ୍ୟୁଟର ଶିକ୍ଷକ, ମେଡିକାଲରେ ଟିକଟ କାଉଣ୍ଟରରୁ ପାଥୋଲୋଜି ଯାଏ ସବୁଠି ‘ଆଉଟସୋର୍ସିଂ’ ନିଯୁକ୍ତି । ସର୍ଭିସ ପ୍ରୋଭାଇଡରଙ୍କ ଜାଲରେ ଯୁବପିଢ଼ି ଛଟପଟ ।
ରାଜ୍ୟରେ ବର୍ଷ ବର୍ଷ ଧରି ଆଉଟ୍ସୋର୍ସିଂ କର୍ମଚାରୀଙ୍କୁ ଶୋଷି ଚାଲିଛନ୍ତି ସର୍ଭିସ ପ୍ରୋଭାଇଡର ସଂସ୍ଥା । ରାଜ୍ୟରେ ବେକାରୀ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି । ନିୟମିତ ନିଯୁକ୍ତି ବଦଳରେ ଠିକା ଓ ଆଉଟ୍ସୋର୍ସିଂ ନିଯୁକ୍ତିର ଗ୍ରାଫ୍ ଉପରମୁହାଁ ଧରିଛି । ରାଜ୍ୟରେ ପ୍ରାୟ ୫୦ ହଜାରରୁ ଅଧିକ ପିଲା ଆଉଟ୍ସୋର୍ସିଂ ଏଜେନ୍ସି ଜରିଆରେ କାମ କରୁଛନ୍ତି । ଏ ନିଯୁକ୍ତିରେ ଯାହା ମାସିକ ଦରମା ମିଳେ ତାହା ସମୁଦ୍ରକୁ ଶଙ୍ଖେ । ଏପରିକି ଶ୍ରମ କମିଶନରଙ୍କ ବିଜ୍ଞପ୍ତିର ମଜୁରିକୁ ହିସାବ କଲେ ଜଣେ କର୍ମଚାରୀ ସର୍ବନିମ୍ନ ୧୫ ହଜାର ଟଙ୍କା ମାସିକ ପାଇବା କଥା । ମାତ୍ର ଏହା ଚାକିରି କରିବାର ୫ ବର୍ଷ ପରେ ବି ସାତସପନ । ବିଡ଼ମ୍ବନା ଦରମା ବୃଦ୍ଧି ନେଇ କର୍ମଚାରୀମାନେ ତୁଣ୍ଡ ଖୋଲିପାରନ୍ତିନି । ସରକାର ବି ବିଚାର କରନ୍ତିନି । କିଛି ବର୍ଷ କାମ କରିବା ପରେ ବୟସ ଗଡ଼ିଯାଏ । ସେଇମିତି ଦହଗଞ୍ଜ ହୋଇ ସେଇ ଚାକିରିରେ ରହିବାକୁ ପଡ଼େ । ଛୁଟିରେ ଗଲେ ଦରମା କାଟ । ମାସିକ ପିଏଫ୍ ନିୟମିତ ଜମା ହୁଏନି । ସରକାରୀ ଅଫିସରେ ଯାହା ବ୍ୟବହାର ମିଳେ ନକହିବା ଭଲ ।
ସମାନ କାମ କରୁଥିବା ନିୟମିତ କର୍ମଚାରୀ ୫ ଗୁଣା ଦରମା ପାଉଥିବା ବେଳେ ବିଚରା ଆଉଟସୋର୍ସିଂ କର୍ମଚାରୀ ସେଇମିତି ଶୋଷଣର ଶିକାର ହେଉଛି । ଏପରିକି ଉପରିସ୍ଥ ବାବୁମାନେ ନିଜ କାମ କରିବାକୁ ଏ କର୍ମଚାରୀମାନଙ୍କୁ ନାଲିଆଖି ଦେଖାଉଛନ୍ତି । କ’ଣ ପାଇଁ ସରକାରଙ୍କର ଏ ବୈମାତୃକ ମନୋଭାବ? ଗତ ୨୦୨୧ ନଭେମ୍ବର ମାସରେ ରାଜ୍ୟ ସରକାର ‘ଆଉଟସୋର୍ସିଂ’ କର୍ମଚାରୀଙ୍କ ମାସିକ ଦରମା ବୃଦ୍ଧି ନେଇ ବିଜ୍ଞପ୍ତି ଜାରି କଲେ । ହେଲେ ସରକାରଙ୍କର ବହୁ ବିଭାଗ ସେ ବିଜ୍ଞପ୍ତିକୁ ଏଯାଏ ଅଣଦେଖା କରି ଚାଲିଛନ୍ତି । ସର୍ଭିସ ପ୍ରୋଭାଇଡର ଏଜେନ୍ସି ଓ କର୍ମଚାରୀଙ୍କ ଦାବିକୁ ଦୃଷ୍ଟିରେ ରଖି ନିର୍ବାଚନ ପୂର୍ବରୁ ୨୦୨୪ ମାର୍ଚ୍ଚ ୭ରେ ସାଧାରଣ ପ୍ରଶାସନ ବିଭାଗ କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ବିଜ୍ଞପ୍ତି ଜାରି କଲେ । ୫ ବର୍ଷରୁ ୨୫ ବର୍ଷ ଯାଏ କାମ କରିଥିବା କର୍ମଚାରୀଙ୍କ ଦରମା ହାର ଭିନ୍ନ ଭିନ୍ନ ଧାର୍ଯ୍ୟ କରାଗଲା । ମାତ୍ର ଏ ଯାଏ ସେହି ହାରରେ ଦରମା ସବୁ ବିଭାଗ ଲାଗୁ କରୁନାହାନ୍ତି ।
ସରକାର ଏହି ଢ଼ାଞ୍ଚା ଆପଣାଇ ପ୍ରାୟ ୧୦ ହଜାର କୋଟି ସଂଚୟ କଲେଣି । ହେଲେ ଛଟପଟ ହେଉଛନ୍ତି କର୍ମଚାରୀ । ‘ମୂଳୁ ମାଇଲେ ଯିବ ସରି’ ନୀତି ଆପଣାଇଛନ୍ତି ସରକାର । ହେଲେ ଶିକ୍ଷିତ ବେକାରଙ୍କ ଭାଗ୍ୟ ବନ୍ଧା ପଡ଼ିଛି । ଠିକା ନିଯୁକ୍ତି ଦେଲେ ୬ ବର୍ଷ ପରେ ସ୍ଥାୟୀ ନିଯୁକ୍ତି ଦେବାକୁ ହେବ । ରାଜକୋଷ ଉପରେ ଆର୍ଥିକ ବୋଝ ବଢ଼ିବ । ତେଣୁ ଏହାକୁ ଏଡ଼ାଇ ଯିବାକୁ ‘ଆଉଟ୍ସୋର୍ସିଂ’ ପନ୍ଥା ଆପଣାଇଛନ୍ତି ସରକାର । ବଡ଼ ବଡ଼ିଆ ବାବୁଙ୍କ ଭାଇ ବନ୍ଧୁ କୁଟୁମ୍ବ ଆଉଟ୍ସୋର୍ସିଂ ସଂସ୍ଥା ଖୋଲୁଛନ୍ତି । ନିଜ ମର୍ଜିରେ ନିଯୁକ୍ତି େଉଛନ୍ତି । କାହାଠାରୁ ୩ ମାସର ଆଉ କାହାଠାରୁ ୫ ମାସର ଦରମା ଅର୍ଥକୁ ଆଗୁଆ ‘ପକେଟ ଖର୍ଚ୍ଚ’ ଭାବେ ନେବା ପରେ ମିଳୁଛି ନିଯୁକ୍ତି । ଜନସାଧାରଣଙ୍କ ଟିକସ ପଇସାରେ କିଛି ନକରି କେବଳ ମଧ୍ୟସ୍ଥି ସାଜି ଲାଭ ଉଠାଇ ଚାଲିଛନ୍ତି । ଏ ପଦ୍ଧତି ଆପଣାଇ ହଜାର ହଜାର ଯୁବକ ଯୁବତୀଙ୍କ ଜୀବନକୁ ସରକାର ମଝି ନଈକୁ କାହଁକି ଠେଲୁଛନ୍ତି? ସରକାରଙ୍କର ଏ କି ବେକାରୀ ପ୍ରେମ? ଏ ପ୍ରସଙ୍ଗରେ ସରକାର ଆଖି, କାନ ଓ ମୁହଁ ବନ୍ଦ କରି ବସିବା ପଛରେ କି ରହସ୍ୟ ଅଛି? ୫୦ ହଜାର ପରିବାରର ଭବିଷ୍ୟତ ସହ ଏହା ହେଉଛି ଅମାନୁଷିକ ଖେଳ । ସରକାର ଏ ଅମାନବୀୟ ଖେଳ ବନ୍ଦ କରନ୍ତୁ । ‘ଆଉଟସୋର୍ସିଂ’ କର୍ମଚାରୀଙ୍କୁ ଶ୍ରମ ଆଇନ ଅନୁସାରେ ନ୍ୟାୟ ଦିଅନ୍ତୁ । ଏ ଗୋତି ବ୍ୟବସ୍ଥାକୁ ବନ୍ଦ କରି ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି ହେଉଛି ।