ନୂଆଦିଲ୍ଲୀ,୧୩/୦୭; ଭୀଷଣ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳିଲା ପବ୍ । ଜଳିଗଲେ ଲୋକ । ଥାଇଲ୍ୟାଣ୍ଡ ରାଜଧାନୀ ବ୍ୟାଙ୍କକରେ ଏକ ପବ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଦୁର୍ଘଟଣାରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୩ ଜଣ ଆହତ ହୋଇଛନ୍ତି । ୨୨ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଲୋକମାନେ ନିଆଁରୁ ରକ୍ଷା ପାଇବା ପାଇଁ ପବ୍ର ଶୌଚାଳୟ ଆଡ଼କୁ ଜୀବନ ବିକଳରେ ଦୌଡ଼ୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ପବରେ ଏଗଜିଟ୍ ଗେଟ୍ ନଥିଲା । ନିଆଁ ଲାଗିବା ପରେ ଲୋକମାନେ ପବ୍ରୁ ବାହାରି ପାରିନଥିଲା ।
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ପ୍ରଥମେ ଷ୍ଟେଜ୍ ପାଖରେ ଥିବା ସର୍କିଟ୍ ବ୍ରେକରରୁ ଧୂଆଁ ବାହାରିଥିଲା, ଯାହା ଫଳରେ ଲାଇଟ୍ ଲିଭିଯାଇଥିଲା । ତା’ପରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା । ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଥିଲା ଯେ କିଛି ମିନିଟ୍ ମଧ୍ୟରେ ଏହା ସମ୍ପୂର୍ଣ୍ଣ ପବ୍କୁ ଗ୍ରାସ କରିଦେଇଥିଲା। କୁହାଯାଉଛି ଯେ, ଧୂଆଁରେ ଅନେକ ଶ୍ୱାସରୁଦ୍ଧ ହୋଇ ଆଖିବୁଜିଛନ୍ତି । ପବ ପଛପାଖରେ ଥିବା ଶୌଚାଳୟରେ ଅନେକ ମୃତଦେହ ମିଳିଛି, ଯେଉଁଠାରୁ ବାହାରକୁ ଯିବା ପାଇଁ କୌଣସି ବ୍ୟବସ୍ଥା ନଥିଲା । ଏହି ଲାଇଭ୍ ମ୍ୟୁଜିକ୍ ଭେନ୍ୟୁରେ ଗୋଟିଏ ଷ୍ଟେଜ୍, ଦୁଇଟି ବାର୍ ଏବଂ ଗୋଟିଏ ରୋଷେଇ ଘର ଅଛି । ଯେଉଁଥିରେ ମୋଟ ୩୦୦ରୁ ଅଧିକ ଲୋକଙ୍କ ବସିବା କ୍ଷମତା ଅଛି । ଘଟଣାସ୍ଥଳରେ ପହଞ୍ଚିଥିବା ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଅନୁତିନ୍ ଚାର୍ଣ୍ଣଭିରାକୁଲ୍ ମୃତ୍ୟୁସଂଖ୍ୟାକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, "ଏପର୍ଯ୍ୟନ୍ତ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅଗ୍ନିକାଣ୍ଡର କାରଣ ପାଇଁ ତଦନ୍ତ ଜାରି ରହିଛି । ''
ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଚାତୁରାକ ଜିଲ୍ଲାରେ ଅବସ୍ଥିତ ରଙ୍କ ବିୟର ନା ଲାଟ୍ ଫ୍ରାଓ ପବ୍ କିଛି ମିନିଟ୍ ମଧ୍ୟରେ ଭୟଙ୍କର ନିଆଁରେ ଜଳି ପୋଡ଼ି ପାଉଁଶ ହୋଇଛି । ଉଦ୍ଧାରକାରୀମାନେ ପ୍ରଥମ ପୋଡ଼ି ଯାଇଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ପରେ ଜାଣିବାକୁ ପାଇଥିଲେ ଅନେକ ଲୋକ କୋଠା ଭିତରେ ଫସି ରହିଛନ୍ତି । ନିଆଁ ଆଁରୁ ରକ୍ଷା ପାଇବାକୁ ଅନେକ ଲୋକ ଜୀବନ ବିକଳରେ ଶୌଚାଳୟରେ ପସିଯାଇଥିଲେ । ମୃତକଙ୍କ ମଧ୍ୟରୁ ଅଧିକାଂଶ ସେହି ବ୍ୟକ୍ତି ବୋଲି କୁହାଯାଉଛି ଯେଉଁମାନେ ଶୌଚାଳୟ ଭିତରେ ପସିଥିଲେ । ଅଗ୍ନିଶମ ବିଭାଗର ଅନେକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୩୦ ମିନିଟ୍ ପରେ ନିଆଁକୁ ଆୟତ୍ତ କରିଥିଲେ । ସୋସିଆଲ ମିଡିଆ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ପବ୍ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ପୁଲିସ୍ ଏବଂ ଫରେନସିକ୍ ଟିମ୍ ଅଗ୍ନିକାଣ୍ଡର ତଦନ୍ତ କରୁଛି । ନିଆଁ ଏତେ ଶୀଘ୍ର କିପରି ବ୍ୟାପିଲା ଏବଂ ପବ୍ରେ ପର୍ଯ୍ୟାପ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଥିଲା କି ନାହିଁ ତାହାର ବି ତଦନ୍ତ ଚାଲିଛି ।
ଏହା ବି ପଢନ୍ତୁ...ଇରାନର ଆଗାମୀ ଟାର୍ଗେଟ କିଏ ? ହିଟ୍ ଲିଷ୍ଟରେ ଏହି ସବୁ ନେତା, ଖବର କାଗଜରେ ଜାରି ହେଲା ତାଲିକା…
ଏହି ଦୁର୍ଘଟଣା ପୂର୍ବରୁ ୨୦୦୯ ମସିହା ଜାନୁଆରୀ ୧ରେ ଥାଇଲ୍ୟାଣ୍ଡ ରାଜଧାନୀରେ ସାଣ୍ଟିକା ନାଇଟକ୍ଲବରେ ନୂଆବର୍ଷ ଉତ୍ସବ ପାଳନ ବେଳେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୬୬ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୦ରୁ ଅଧିକ ଆହତ ହୋଇଥିଲେ । ବାଣ ଫୁଟାଇବାକୁ ନେଇ ଏହି ଅଗ୍ନିକାଣ୍ଡ ହୋଇଥିବା ରିପୋର୍ଟ ଆସିଥିଲା । ୨୦୨୨ରେ ପୂର୍ବ ଥାଇଲ୍ୟାଣ୍ଡର ଏକ ପବ୍ରେ ଅଗ୍ନିକାଣ୍ଡ ଘଟି ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୦୯ ମସିହାରେ ବ୍ୟାଙ୍କକର ସାଣ୍ଟିକା ନାଇଟ୍ କ୍ଲବ୍ରେ ଘଟିଥିବା ଅଗ୍ନିକାଣ୍ଡ ଦେଶର ସବୁଠାରୁ ଭୟଙ୍କର ଦୁର୍ଘଟଣା ଥିଲା ।