ନୂଆଦିଲ୍ଲୀ : ମିଆଁମାରରୁ ପାଖାପାଖି ୩ ଶହ ପ୍ରବାସୀଙ୍କୁ ନେଇ ଭାରତ ମହାସାଗରରେ ଯାଉଥିବା ଏକ ଡଙ୍ଗା ଥାଇଲ୍ୟାଣ୍ଡ ଏବଂ ମାଲେସିଆ ମଧ୍ୟରେ ସାମୁଦ୍ରିକ ସୀମା ନିକଟରେ ବୁଡ଼ି ଯାଇଛି । ଏନେଇ ରବିବାର ଅଧିକାରୀ ମାନେ କହିଛନ୍ତି ଯେ, ଉଦ୍ଧାରକାରୀ ମାନେ ୭ଟି ମୃତଦେହ ଉଦ୍ଧାର କରିଛନ୍ତି ଏବଂ ୧୩ ଜଣଙ୍କୁ ବଞ୍ଚିଥିବା ଲୋକଙ୍କୁ ଉଦ୍ଧାର କରିଛନ୍ତି।

ମାଲେସିଆନ୍ ସାମୁଦ୍ରିକ ପ୍ରବର୍ତ୍ତନ ସଂସ୍ଥାର ଜଣେ ଅଧିକାରୀ ଫାଷ୍ଟ ଆଡମିରାଲ୍ ରୋମଲି ମୁସ୍ତାଫା କହିଛନ୍ତି ଯେ, ଡଙ୍ଗାଟି ପ୍ରଥମେ ମିଆଁମାରର ରାଖାଇନ୍ ରାଜ୍ୟର ବୁଥିଡାଉଙ୍ଗ୍ ସହରରୁ ପ୍ରାୟ ୩ଶହ ଜଣଙ୍କୁ ନେଇ ଯାତ୍ରା କରିଥିଲା। ପୋଲିସ ଏବଂ ସାମୁଦ୍ରିକ ସଂସ୍ଥା କହିଛନ୍ତି ଯେ, ଯେତେବେଳେ ଡଙ୍ଗାଟି ମାଲେସିଆ ନିକଟକୁ ଆସିଥିଲା, ଯାତ୍ରୀ ମାନଙ୍କୁ ତିନୋଟି ଛୋଟ ଡଙ୍ଗାରେ ବିଭକ୍ତ କରାଯାଇଥିଲା। ଗୁରୁବାର ଦକ୍ଷିଣ ଥାଇଲ୍ୟାଣ୍ଡର ତାରୁତାଓ ଦ୍ୱୀପ ନିକଟରେ ଗୋଟିଏ ଡଙ୍ଗା ବୁଡ଼ି ଯାଇଥିଲା। କିଛି ମୃତଦେହ ଏବଂ ବଞ୍ଚିଥିବା ଲୋକ ଉତ୍ତର ମାଲେସିଆର ଲାଙ୍ଗକାୱି ଦ୍ୱୀପକୁ ଭାସି ଯାଇଥିଲେ।

ଅଧିକାରୀମାନେ କହିଛନ୍ତି ଯେ ଘଟଣାର ସଠିକ୍ ସମୟ ଏବଂ ସ୍ଥାନ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅନ୍ୟ ଦୁଇଟି ଡଙ୍ଗାର ସ୍ଥାନ ମଧ୍ୟ ଅସ୍ପଷ୍ଟ ରହିଛି । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଉତ୍ତର ମାଲେସିଆର କେଦାହ ରାଜ୍ୟର ପୋଲିସ ମୁଖ୍ୟ ଆଦଜାଲି ଆବୁ ଶାହ କହିଛନ୍ତି ଯେ, ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ କିଛି ରୋହିଙ୍ଗ୍ୟା ମୁସଲମାନ ଥିଲେ, ଯେଉଁମାନେ ଦୀର୍ଘ ସମୟ ଧରି ମିଆଁମାରରେ ନିର୍ଯାତନାର ସମ୍ମୁଖୀନ ହୋଇଛନ୍ତି।

ଏନେଇ ଜାତିସଂଘ ଶରଣାର୍ଥୀ ଉଚ୍ଚାୟୁକ୍ତ (UNHCR) ଆଞ୍ଚଳିକ ସରକାରଙ୍କୁ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟକୁ ତୀବ୍ର କରିବାକୁ ଏବଂ ଏପରି ଦୁଃଖଦ ଘଟଣା ରୋକିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛି। UNHCR ମୁଖପାତ୍ର ଡିଓଗୋ ଆଲକାଣ୍ଟାରା କହିଛନ୍ତି ଯେ ଏହି ବର୍ଷ ଏପର୍ଯ୍ୟନ୍ତ ପ୍ରାୟ ୫୨୦୦ ରୋହିଙ୍ଗ୍ୟା ଶରଣାର୍ଥୀ ବିପଜ୍ଜନକ ସମୁଦ୍ର ଯାତ୍ରା ଆରମ୍ଭ କରିଛନ୍ତି, ଯେଉଁଥିରୁ ପ୍ରାୟ ୬ ଶହ ନିଖୋଜ ଅଛନ୍ତି କିମ୍ବା ମୃତ ବୋଲି ଅନୁମାନ କରାଯାଉଛି।