ନୂଆଦିଲ୍ଲୀ ୧୧/୦୨: ଆଗଧାଡ଼ିର ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଫେବ୍ରୁଆରୀର ଦ୍ୱିତୀୟ, ତୃତୀୟ ଓ ଶେଷ ତଥା ଚତୁର୍ଥ ସପ୍ତାହରେ ରିଲିଜ ହେବାକୁ ଯାଉଛି ନୂଆ ବିଷୟବସ୍ତୁ ସମ୍ବଳିତ ଏକାଧିକ ସିନେମା ଓ ସିରିଜ୍ । ରୋମାଣ୍ଟିକ୍ ଡ୍ରାମାଠାରୁ ଆରମ୍ଭ କରି କ୍ରାଇମ୍ ଥ୍ରୀଲର୍ ଓ ହତ୍ୟା ରହସ୍ୟ ଉପରେ ଆଧାରିତ ଏସବୁ ଫିଲ୍ମ ଓ ସିରିଜ୍ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବ । ଏ ମାସର ୧୧ରୁ ୨୮ ତାରିଖ ମଧ୍ୟରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରୁଥିବା ସିନେମା ଓ ସିରିଜ୍ଗୁଡ଼ିକର ତାଲିକା ପଢ଼ନ୍ତୁ ଓ ଓଟିଟିରୁ ଦେଖିବାର ମଜା ନିଅନ୍ତୁ ।
କୋହରା ସିଜନ୍ ୨ :
ସୁଦୀପ ଶର୍ମା, ଗୁଞ୍ଜିତ ଚୋପ୍ରା ଓ ଡିଗ୍ଗିଙ୍କ ଦ୍ୱାରା ନିର୍ମିତ କ୍ରାଇମ୍ ଥ୍ରୀଲର୍ ପୁଲିସ ପ୍ରୋସିଜରାଲ୍ ସିରିଜ୍ର ଏହା ଦ୍ୱିତୀୟ ସଂସ୍କରଣ । ମର୍ଡର ମିଷ୍ଟ୍ରି ଉପରେ ଆଧାରିତ ଏ ସିରିଜ୍ ମାଧ୍ୟମରେ ବରୁଣ ସୋବତୀ ଓ ମୋନା ସିଂହ ପୁଣି ଥରେ ଏକାଠି ଦେଖିବାକୁ ମିଳିବେ । ଏହି ସିରିଜରେ ସୁଖୱିନ୍ଦର ବିକ୍କି, ହରଲିନ ସେଠୀ, ସୌରଭ ଖୁରାନା, ରଚେଲ ସେଲି ଓ ମନୀଷ ଚୌଧୁରୀ ପ୍ରମୁଖ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି । ପ୍ରଥମ ସିଜନର ସଫଳତା ପରେ ଦ୍ୱିତୀୟ ଭାଗକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି । ‘କୋହରା ସିଜନ୍ ୨’ ୧୧ ତାରିଖରେ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେଉଛି ।
ଲଭ୍ ଇଜ୍ ବ୍ଲାଇଣ୍ଡ୍ ସିଜନ୍ ୧୦ :
ଏବେ ପ୍ରେମ ସପ୍ତାହ ବା ଭାଲେନଟାଇନ୍ ୱିକ୍ର ସମୟ । ଠିକ୍ ଏହି ଅବସରରେ, ୧୧ ତାରିଖରେ ଷ୍ଟ୍ରିମିଂ ହେଉଛି ‘ଲଭ୍ ଇଜ୍ ବ୍ଲାଇଣ୍ଡ୍’ର ୧୦ମ ସଂସ୍କରଣ । ଏହି ଡେଟିଂ ରିୟଲିଟି ସୋ’ଟିକୁ ଦେଖିବା ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ । ‘ଲଭ୍ ଇଜ୍ ବ୍ଲାଇଣ୍ଡ୍ ୧୦’ କୌଣସି ଗୋଟିଏ ସହର ଉପରେ ଧ୍ୟାନ କେନ୍ଦ୍ରିତ କରିବା ପରିବର୍ତ୍ତେ ପୂରା ରାଜ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିଛି । ଏଥିରେ ଓହିୟୋର ୨୮ରୁ ୩୮ ବର୍ଷ ବୟସର ୩୨ ଜଣ ସିଙ୍ଗଲ୍ ବ୍ୟକ୍ତି ସାମିଲ ଅଛନ୍ତି । ରିୟଲ୍ ଲାଇଫ୍ କପଲ୍ ବା ବାସ୍ତବ ଜୀବନର ଦମ୍ପତି ନିକ୍ ଲ୍ୟାଂଚେ ଓ ବେନେସା ଲ୍ୟାଂଚେ ଏହି ସୋ’ର ହୋଷ୍ଟ ଭାବେ ପ୍ରତ୍ୟାବର୍ତ୍ତନ କରୁଛନ୍ତି ।
ହାଓ ଟୁ ଗେଟ୍ ଟୁ ହେଭେନ୍ ଫ୍ରମ୍ ୱେଲଫାଷ୍ଟ :
‘ଡେରି ଗର୍ଲସ୍’ର ନିର୍ମାତାଙ୍କ ପକ୍ଷରୁ ପୁଣି ଥରେ ନିର୍ମିତ ହୋଇଛି ଏହି ଡାର୍କ କାହାଣୀ, ଯେଉଁଥିରେ ଖୁବ୍ ହ୍ୟୁମର ଏବେ ବି କାଏମ ରହିଛି । ଏହି ଲିମିଟେଡ ସିରିଜ୍ଟି ସମୟକ୍ରମେ ଭିନ୍ନ ଭିନ୍ନ ସ୍ଥାନରେ ରହୁଥିବା ପୁରୁଣା ବନ୍ଧୁମାନଙ୍କର ଏକ ଦଳକୁ ନେଇ ଗତିଶୀଳ, ଯେଉଁମାନେ ଏକ ରହସ୍ୟମୟ ମୃତ୍ୟୁ ଘଟଣା ପରେ ପୁନର୍ବାର ଏକାଠି ହୁଅନ୍ତି ଓ ଘଟଣା ପଛର ରହସ୍ୟ ଧୀରେଧୀରେ ଉନ୍ମୋଚିତ ହେବାରେ ଲାଗେ । ସେମାନଙ୍କ ମଧ୍ୟରୁ ଅନେକେ ଏ ଘଟଣାକୁ ନେଇ ପଶ୍ଚାତାପ କରନ୍ତି । ଏ ମାସରେ ମୁକ୍ତିଲାଭ କରୁଥିବା ରୋଚକ ସିରିଜ୍ ମଧ୍ୟରୁ ଏହା ଅନ୍ୟତମ ଓ ୧୨ ତାରିଖରେ ନେଟଫ୍ଲିକ୍ସରେ ଏହାର ପ୍ରିମିୟର ହେଉଛି ।
ବିଙ୍ଗ୍ ଗର୍ଡନ ରାମସେ :
ଏହି ସିରିଜ୍ ଗର୍ଡନ ରାମସେଙ୍କ ବ୍ୟକ୍ତିତ୍ୱର ସେହି ଦିଗଟିକୁ ଦର୍ଶାଏ, ଯାହା ସମ୍ବନ୍ଧରେ କେହି ବିଶେଷ ଜାଣିନଥାନ୍ତି । ସେ କମ୍ କଥା କୁହନ୍ତି, ଅଧିକ ଚିନ୍ତା କରନ୍ତି, ଘର ପରିବାର, ଡର, ମହତ୍ତ୍ୱାକାଂକ୍ଷା ବିଷୟରେ କହନ୍ତି । କ୍ୟାମେରା ତାଙ୍କର ପଛେ ପଛେ ଥାଏ । ଯେତେବେଳେ ସେ ଲଣ୍ଡନରେ ଏକ ବହୁତ ବଡ଼ ରେସ୍ତୋରାଁ ପ୍ରୋଜେକ୍ଟ କରନ୍ତି, ଭାବନ୍ତି ଯେ ଖାଇବାରେ ରୁଚି ରଖୁଥିବା ଲୋକମାନେ ତାହାକୁ ପସନ୍ଦ କରିବେ । କିନ୍ତୁ ପ୍ରକୃତରେ ତାହା ଚାପ ଏବଂ ଉତ୍ତରାଧିକାର ହୋଇଥାଏ । ୧୮ ତାରିଖଠାରୁ ଆପଣ ଏହି ସୋ’ଟିକୁ ନେଟଫ୍ଲିକ୍ସରୁ ଉପଭୋଗ କରିପାରିବେ ।
ଆହୁରି ପଢ଼ନ୍ତୁ...ଗ୍ଲାମର ଜଗତ ଉପରେ କଳା ନଜର! ରଣବୀର, ସଲମାନ, ରୋହିତ... ୧୩ ଜଣଙ୍କୁ ମିଳିଲାଣି ହତ୍ୟା ଧମକ; କଣ ଚାହୁଁଛି ଲରେନ୍ସ ଗ୍ୟାଙ୍ଗ ?
ଦ ନାଇଟ୍ ଏଜେଣ୍ଟ ୩ :
‘ଦ ନାଇଟ୍ ଏଜେଣ୍ଟ’ର ତୃତୀୟ ଭାଗ ‘ଦ ନାଇଟ୍ ଏଜେଣ୍ଟ ୩’ ନେଟଫ୍ଲିକ୍ସରେ ୧୯ ତାରିଖରେ ଷ୍ଟ୍ରିମିଂ ହେବ । ଏହା ମୁଖ୍ୟତଃ ଏକ ଆକ୍ସନ ଥ୍ରୀଲର୍ ସିରିଜ୍ । ଅଭିନେତା ଗ୍ୟାବ୍ରିୟଲ ୱାସୋ ଏଥିରେ ଏଫବିଆଇ ଏଜେଣ୍ଟ ପିଟର ସଦରଲ୍ୟାଣ୍ଡ ଚରିତ୍ରରେ ଅଭିନୟ କରିଥିବା ଦେଖିବାକୁ ମିଳିବେ । ମାଥ୍ୟୁ ବିକର୍କଙ୍କ ପୁସ୍ତକ ‘ଦ ନାଇଟ୍ ଏଜେଣ୍ଟ’ ଆଧାରରେ ଏହି ସିରିଜ୍ ନିର୍ମାଣ ହୋଇଛି । ସିଜନ୍ ୩ରେ ଇଣ୍ଟେଲିଜେନସ ବ୍ରୋକର ଜ୍ୟାକବ୍ ମୋନରୋ ଚରିତ୍ର ନିର୍ବାହ କରିଛନ୍ତି ଲୁଇସ୍ ହର୍ଥମ୍ । ଅମାଡା ୱାରେନ ମଧ୍ୟ ଏହି ସିରିଜ୍ ଜରିଆରେ ଅଭିନୟକୁ ଫେରୁଛନ୍ତି । ନେଟଫ୍ଲିକ୍ସରେ ୧୯ ତାରିଖରେ ଏହି ସିରିଜ୍ ଷ୍ଟ୍ରିମିଂ ହେବାକୁ ଯାଉଛି ।
ଫର୍ମୁଲା ୧ ଡ୍ରାଇଭ୍ ଟୁ ସର୍ଭାଇଭ୍ ସିଜନ ୮ :
୨୭ ତାରିଖରେ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବ ‘ଫର୍ମୁଲା ୧ ଡ୍ରାଇଭ୍ ଟୁ ସର୍ଭାଇଭ୍’ର ଅଷ୍ଟମ ସଂସ୍କରଣ । ଯଦି ଆପଣ ଏହି ଖେଳକୁ ଅଳ୍ପ ଟିକିଏ ବି ଫଲୋ କରୁଥାଆନ୍ତି, ତା’ହେଲେ ଏଥିରୁ ଭରପୂର ମଜା ନେଇପାରିବେ ।