ପୁରୀ/କଣାସ, ୧୨।୨: ଦ୍ୱାରଦେଶରେ ଗ୍ରୀଷ୍ମ । ଦିନ ୧୦ଟା ପରେ ଖରାକୁ ବାହାରିଲେ ମୁଣ୍ଡ ବୁଲାଇ ଦେଉଛି । ମୁନ୍ଦାଏ ସ୍ୱଚ୍ଛ ଜଳ ପିଇବାକୁ ଖୋଜିଲେ ମିଳୁନି । ନଦୀ ଜଳ ପ୍ରଦୂଷିତ ହୋଇପଡ଼ିଛି । କୂଅ, ପୋଖରୀ, ନଳକୂଅ ଝରର ମଧ୍ୟ ସମାନ ସ୍ଥିତି । ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଏବେଠୁ ପାନୀୟ ଜଳକୁ ନେଇ ଦେଖାଦେଇଛି ହାହାକାର । ଦୟା ଓ ରାଜୁଆରେ ଜଳସ୍ତର କମି ଗଲାଣି । ନଦୀ ଭିତରେ ବାଲିଚର ଫୁଟି ଦିଶୁଛି । ମଲାଗୁଣି, ଲୁଣା ଓ ଦୟାର ଛୋଟଛୋଟ ଶାଖା ନଦୀରେ କେଉଁଠି ପାଦେ ପାଣି ତ ଆଉ କେଉଠି ଆଣ୍ଠୁଏ । ଅନେକ ସ୍ଥାନରେ ନଦୀ ଶଯ୍ୟା ଶୁଖି ଯାଇଥିବାରୁ ଏହା ପିଲାମାନଙ୍କ ଖେଳ ପଡ଼ିଆ ପାଲଟିଛି । ଏଭଳି ସ୍ଥିତିରେ ପିଇବା ପାଣି ପାଇଁ ଲୋକେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ଏ ପର୍ଯ୍ୟନ୍ତ ସରକାରୀ ଯୋଜନା ମୁତାବକ ସମସ୍ତ ପରିବାରକୁ ପାଇପ୍ ପାନୀୟ ଜଳ ମିଳିପାରିଲା ନାହିଁ । ତେଣୁ ମାସ ପରେ ଆରମ୍ଭ ହେବାକୁ ଥିବା ଉତ୍କଟ ଗ୍ରୀଷ୍ମ ପ୍ରବାହ ବେଳେ ଲୋକେ କ’ଣ କରିବେ ସେନେଇ ଭାଳେଣୀ ପଡ଼ିଛି । ରାଜୁଆର ଢୋଲପାଟଣା ବ୍ୟାରେଜ୍ ଓ ତିରୁମଲ ନିକଟ ପାଣ୍ଡିଆବିଲି ଦୟା ନଦୀ ଆଡ଼ିବନ୍ଧ ଯୋଗୁ ତଳିଆ ନଦୀ କୂଳିଆବାସୀଙ୍କ ଦୁର୍ଦ୍ଦଶା ବଢ଼ି ଯାଇଛି । ତଳମୁଣ୍ଡକୁ ପାଣି ଆସୁନଥିବାରୁ ନଦୀ ଶୁଖି ଗଲାଣି । କେନାଲ ପାଣି ନଆସିବାରୁ ଧାନ ଓ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି ।
ଆହୁରି ପଢ଼ନ୍ତୁ... ଲୋପ ହେବାକୁ ବସିଛି ମର୍ଦ୍ଦରାଜ ବଂଶର କୀର୍ତ୍ତି, ଭଗ୍ନ ଅବସ୍ଥାରେ ରାଜ୍ୟର ଦ୍ୱିତୀୟ ବୃହତ୍ତମ ଶ୍ରୀଜଗନ୍ନାଥ ମନ୍ଦିର
ସେପଟେ ଏପରି ସ୍ଥିତିରେ ମେଗା ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ନଦୀ ଜଳସ୍ତର ଓ ଭୂତଳ ଜଳସ୍ତର ହ୍ରାସ ଆଶଙ୍କା ରହିଛି । ତେଣୁ ନଦୀ ପାଣି ଉପରେ ନିର୍ଭରଶୀଳ ୫ ହଜାର ହେକ୍ଟର ଜମିରେ ଚାଷ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ନଦୀ ପାଣି ଉପରେ ରବି ଧାନ, ମୁଗ, ଚିନାବାଦାମ ଓ ପନିପରିବା ଫସଲ ନିର୍ଭରଶୀଳ । ଏନେଇ କଣାସର ଚାଷୀ ରବୀନ୍ଦ୍ର କୁମାର ରାଉତରାୟ କହିଛନ୍ତି, ଜଳ ପ୍ରବାହ ସବୁଦିନିଆ ଜାରି ରଖିବା ନିମନ୍ତେ ଦୟା ମୁହଁରେ(ପାଣ୍ଡିଆବିଲି ନିକଟରେ) କାଜ ନିର୍ମାଣ ହେବା ଦରକାର । ଢୋଲପାଟଣା ବ୍ୟାରେଜ ବନ୍ଧ ମଧ୍ୟ ସାମାନୁପାତିକ ଉଚ୍ଚ ହେବା ଆବଶ୍ୟକ । ଏମିତି ହେଲେ ଅଧିକ ପାଣି କେନାଲ ସହ ଦୟା ଓ ରାଜୁଆକୁ ଗଡ଼ିବ । ଚାଷୀଙ୍କ ସୁବିଧା ନିମନ୍ତେ ରାଜୁଆ ଗେଟ୍ ଖୋଲି ପାଣି ଛାଡ଼ିବା ଆବଶ୍ୟକ । ବ୍ୟାରେଜ୍ର ବାମ ପାଶ୍ୱର୍ କେନାଲରେ ପାଣି ଆସୁନଥିବାରୁ ଗଡ଼ବଡ଼ପୁଟ ଓ ପାଣ୍ଡିଆକେରା ପଞ୍ଚାୟତରେ ଚାଷ ପ୍ରଭାବିତ ହେଉଛି । ଜଳଯୋଗାଣ ଠିକ୍ ପରିଚାଳନା ନହେଲେ ମେଗା ପାନୀୟ ମଧ୍ୟ ପ୍ରଭାବିତ ହେବ । ନଦୀ ଜଳକୁ ପ୍ରଦୂଷଣ ମୁକ୍ତ କରିବା ଜରୁରୀ । ତେଣୁ ତୁରନ୍ତ ଟ୍ରିଟମେଣ୍ଟ ପ୍ଲାଣ୍ଟ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ଜୀବନ ମହାନ୍ତି କହିଛନ୍ତି, କଣାସର ୨୮ ପଞ୍ଚାୟତ ସମେତ ବ୍ରହ୍ମଗିରି ୧୮ ସତ୍ୟବାଦୀର ୧୪ଟି ଗ୍ରାମକୁ ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପରୁ ଜଳ ଯୋଗାଣ ହେବ । ମେଗା ପ୍ରକଳ୍ପରୁ ପ୍ରତି ପରିବାରକୁ ଦୈନିକ ୭୦ ଲିଟର ପାଣି ଯୋଗାଣ ଲକ୍ଷ୍ୟ ରଖିଛି । କାର୍ଯ୍ୟ ବିଳମ୍ବ ଯୋଗୁ ଲୋକେ ପାଣି ପାଇପାରୁ ନାହାନ୍ତି ।
ଫଳରେ ପନୀୟ ଜଳ ସମସ୍ୟାର ସମାଧାନ ହୋଇପାରୁନି । କଣାସ ଅଞ୍ଚଳରେ ଝାଡ଼ାବାନ୍ତି, ଜଣ୍ଡିସ, ଓ ଚର୍ମ ରୋଗ ବ୍ୟାପୁଛି । ଲୋକେ ରୋଗବ୍ୟାଧିରେ ପଡ଼ି ଜୀବନ ହରାଇବା ସହ ଚିକିତ୍ସାଜନିତ ଆର୍ଥିକ କଷ୍ଟ ପାଉଛନ୍ତି । ତେଣୁ ଲୋକଙ୍କ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହେଉ ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ବିଡିଓ ସୌମ୍ୟରଞ୍ଜନ ସ୍ୱାଇଁ କହିଛନ୍ତି, ମେଗା ପ୍ରକଳ୍ପରେ ଆମେ ୧୨୬ଟି ଗାଁକୁ ଜଳ ଯୋଗାଣ ଯୋଜନା ରହିଛି । ସେଥିରୁ ଏବେ ୨୭ଟି ଗ୍ରାମକୁ ସମ୍ପୂର୍ଣ୍ଣ ଜଳ ଯୋଗାଣ କାର୍ଯ୍ୟକ୍ଷମ ହୋଇଛି । ଆଉ ୭୦ଟି ଗାଁକୁ ଟ୍ରାଏଲ ଚାଲିଛି । ମାର୍ଚ୍ଚ ୩୧ ସୁଦ୍ଧା ୯୬ଟି ଗାଁରେ ପାଣି ପହଞ୍ଚାଇବା ଲକ୍ଷ୍ୟ ରଖିଛି । ଜୁନ ୩୧ ସୁଦ୍ଧା ସବୁ ଗାଁ’ କୁ ପାଣି ପହଞ୍ଚିବ । ଖରାଦିନ ପାଇଁ ବଡ଼ାସ, କଖାରୁବସ୍ତ ଆଦି ଜଳକ୍ଲିଷ୍ଟ ପଞ୍ଚାୟତକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ବ୍ୟବସ୍ଥା ହେବ ।