ଖଲ୍ଲିକୋଟ, ୧।୨: ପ୍ରାୟ ୩୦୦ ବର୍ଷ ପୁରାତନ ଖଲ୍ଲିକୋଟ ଶ୍ରୀଜଗନ୍ନାଥ ମନ୍ଦିର । ଖଲ୍ଲିକୋଟ ସହର କେନ୍ଦ୍ରସ୍ଥଳରେ ଥିବା ଏହି ପୁରାତନ ମନ୍ଦିର ପୁରୀ ପରେ ରାଜ୍ୟର ଦ୍ୱିତୀୟ ବୃହତ୍ତମ ଶ୍ରୀଜଗନ୍ନାଥ ମନ୍ଦିର ବୋଲି କୁହାଯାଉଛି । ତେବେ ରକ୍ଷଣାବେକ୍ଷଣ ଅଭାବରୁ ଧିରେ ଧିରେ ଜରାଜୀର୍ଣ୍ଣ ହୋଇ ଏବେ ଧ୍ୱଂସାଭିମୁଖୀ ଏହି ସ୍ଥାନ । ସିଂହଦ୍ୱାର ଗୁମୁଟରୁ ଦୁଇ ବର୍ଷ ତଳେ ଦୁଇ କିଲୋ ଓଜନର ଏକ ପଥର ଖସିଥିଲା । ପ୍ରାୟ ୪ ବର୍ଷ ତଳେ ଗୁମୁଟରୁ ୭ କିଲୋ ଓଜନର ଆଉ ଏକ ପଥର ଖସିଥିଲା । ତା ପୂର୍ବରୁ ମନ୍ଦିରର ଉତ୍ତର ଦିଗରେ ଥିବା ଏକ ସିଂହ ମୂର୍ତ୍ତି ଭାଙ୍ଗି ଖସି ପଡ଼ିଥିଲା । ବିଜେଡି ସରକାର ସମୟରେ ରାଜ୍ୟର ବହୁ ଛୋଟ ବଡ଼ ମନ୍ଦିରର ରୂପାନ୍ତରୀକରଣ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଦିଆଯାଇଥିବା ବେଳେ ଖଲ୍ଲିକୋଟ ଶ୍ରୀଜଗନ୍ନାଥ ମନ୍ଦିର ସେଥିରୁ ବାଦ୍ ପଡ଼ିଥିଲା । ଏହାର ମରାମତି ପାଇଁ ବିଭିନ୍ନ ମହଲରେ ଦାବି ହେବା ପରେ ପ୍ରାକ୍ତନ ବିଜେଡି ସରକାରର ବହୁ ମନ୍ତ୍ରୀ ଓ ପ୍ରଶାସକ, ଏପରିକି ପୁରୀ ଗଜପତି ଦିବ୍ୟସିଂହ ଦେବ ଏହାର ମରାମତି କରାଯିବାର ଆଶ୍ୱାସନା ଦେଇଥିଲେ ।

ଆହୁରି ପଢ଼ନ୍ତୁ... ଅଙ୍ଗଦାନ କରି ପୁଅର ସ୍ମୃତିକୁ ବଞ୍ଚାଇ ରଖିଲେ ଅଭିଭାବକ, ଡିଏମ୍ଏଲ୍‌ଟି ଛାତ୍ର ଆଶିଷଙ୍କୁ ସ୍ୱର୍ଗଦ୍ୱାରରେ ଗାର୍ଡ ଅଫ୍ ଅନର

ଏପରିକି ବର୍ତ୍ତମାନର ବିଜେପି ସରକାର ଅମଳରେ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ଏହି ମନ୍ଦିରରେ ଅବଢ଼ା ପ୍ରସାଦ ବଣ୍ଟନ ଆରମ୍ଭ ବେଳେ ଜିଲ୍ଲାର ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଗୋକୁଳାନନ୍ଦ ମଳିକ ଏବଂ ଅନେକ ବିଧାୟକ ଶୀଘ୍ର ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ । କିନ୍ତୁ ଏଯାବତ ମନ୍ଦିର ପାଇଁ କୌଣସି ସରକାରୀ ଅନୁଦାନ ଘୋଷଣା କରାଯାଇ ନାହିଁ । ଓଲଟି ସମୟକ୍ରମେ ମନ୍ଦିରର ସ୍ଥିତି ଅଧିକ ଶୋଚନୀୟ ହୋଇ ଉଠୁଛି । ମୁଖ୍ୟ ମନ୍ଦିରର କେବଳ ଅଁଳାଶ୍ରୀ ମରାମତି ହୋଇଥିବାବେଳେ ଟଙ୍କା ଅଭାବରୁ ମରାମତି ପାଇଁ ବନ୍ଧା ଯାଇଥିବା ବାଉଁଶ ବହୁ ଦିନ ପରେ ବାହାର କରି ଦିଆଯାଇଥିଲା । ମନ୍ଦିରର ପଥରରେ ନିର୍ମିତ ଭାସ୍କର୍ଯ୍ୟ ସବୁ ନଷ୍ଟ ହେବାକୁ ବସିଛି, ରାଜ୍ୟ ସରକାର ଦୃଷ୍ଟି ନ ଦେବା ଫଳରେ ମର୍ଦ୍ଦରାଜ ବଂଶର ଏହି କୀର୍ତ୍ତି ଏବେ ଲୋପ ହେବାକୁ ବସିଛି । ଖଲ୍ଲିକୋଟରେ ଥିବା ରାଧାକୃଷ୍ଣ ମନ୍ଦିର ଓ ଯଜ୍ଞ ନାରାୟଣ ମଠ ମଧ୍ୟ ଭୁଶୁଡ଼ିବା ସ୍ଥିତିକୁ ଚାଲି ଆସିଲାଣି । ମଠ ଓ ମନ୍ଦିର ଉପରେ ବଡ଼ ବଡ଼ ଗଛ ଉଠିଗଲାଣି । ରକ୍ଷଣାବେକ୍ଷଣ ଅଭାବରୁ ପଥର ଖସୁଛି । ଯଜ୍ଞ ନାରାୟଣ ମଠର କାନ୍ଥରେ ବଡ଼ ବଡ଼ ଗର୍ତ୍ତ ହୋଇ ସରୀସୃପ ରହୁଛନ୍ତି । ପୂଜକ ଭିତରକୁ ଯିବା ସକାଶେ ଭୟ କରୁଛନ୍ତି ।

ତେଣୁ ଶ୍ରୀଜଗନ୍ନାଥ ମନ୍ଦିର ସହିତ ରାଧାକୃଷ୍ଣ ମନ୍ଦିର ଓ ଯଜ୍ଞ ନାରାୟଣ ମଠ ପୁନରୁଦ୍ଧାର ପାଇଁ ସରକାର ଶୀଘ୍ର ବିହିତ ପଦକ୍ଷେପ ନେବା ପାଇଁ ବହୁ ବୁଦ୍ଧିଜୀବୀ ଦାବି କରିଥିଲେ । ସ୍ଥାନୀୟ ଡକ୍ଟର ଏପିଜେ ଅବଦୁଲ କାଲାମ ଜନକଲ୍ୟାଣ ଟ୍ରଷ୍ଟ ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା, ଦୁଇ ଉତ୍ସାହୀ ଯୁବକ ଦିଲ୍ଲୀପ କୁମାର ସାହୁ ଓ ଅବନୀ କୁମାର ରଥ ଭୁବନେଶ୍ୱରରେ ନିକଟରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିରରେ ଖଲ୍ଲିକୋଟର ମନ୍ଦିର ଓ ମଠର ରୂପାନ୍ତରୀକରଣ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ଶିବିରରେ ସେମାନେ ରାଜସ୍ୱ ଓ ଦୋବୋତ୍ତର ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ଭେଟି ମନ୍ଦିରର ଦୁରାବସ୍ଥା ସମ୍ପର୍କରେ ଅବଗତ କରାଇଛନ୍ତି । ଏଥିରେ ମନ୍ତ୍ରୀ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ୭ ଦିନ ମଧ୍ୟରେ ପଦକ୍ଷେପ ନେବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଟ୍ରଷ୍ଟ ସଭାପତି ପୂର୍ଣ୍ଣ ଚନ୍ଦ୍ର ବେହେରା ।