ନୂଆଦିଲ୍ଲୀ : ଜଳବାୟୁ ପରିବର୍ତ୍ତନର ଭୟାନକ ପ୍ରଭାବ। ବଡ଼ ବିପର୍ଯ୍ୟୟର ପୂର୍ବାଭାଷ। ଦକ୍ଷିଣ ଆଫ୍ରିକୀୟ ତଟରୁ ଆସିଲା ହୃଦୟ ବିଦାରକ ଚିତ୍ର। ଆଧାର ବିନା ଭୋକ ବିକଳରେ ମରିଗଲେ ୬୨ ହଜାର ପେଙ୍ଗୁଇନ୍। ସାର୍ଡିନ୍ ମାଛର ଘୋର ଅଭାବ। ଅତ୍ୟଧିକ ମାଛ ଧରିବାକୁ ଦାୟୀ କଲେ ବୈଜ୍ଞାନିକ। ଅଷ୍ଟ୍ରିଚ୍ ଜର୍ଣ୍ଣାଲରେ ପ୍ରକାଶିତ ଜର୍ଣ୍ଣାଲ ଅଫ୍ ଆଫ୍ରିକାନ୍ ଓରିନ୍ଥୋଲୋଜି ରିପୋର୍ଟରୁ ଖୁଲାସା।

୨୦୦୪ରୁ ୨୦୧୨ ମଧ୍ୟରେ ଦକ୍ଷିଣ ଆଫ୍ରିକାର ଦୁଇଟି ସବୁଠୁ ବଡ଼ ପେଙ୍ଗୁଇନ୍ କଲୋନି ଡେସନ୍ ଏବଂ ରୋବେନ ଦ୍ୱୀପରେ ୯୫%ରୁ ଅଧିକ ପେଙ୍ଗୁଇନ୍ ମରିଯାଇଛନ୍ତି। ବୈଜ୍ଞାନିକଙ୍କ ଅନୁସାରେ ଏହି ପେଙ୍ଗୁଇନମାନେ ନିଜ ଡେଣା ବଦଳାଇବା ବା ମୋଲ୍ଟିଂ ସମୟରେ ଭୋକିଲା ରହିଥିଲେ । ଯାହାଫଳରେ ସେମାନଙ୍କ ମୃତ୍ୟୁ ଘଟିଛି । ପ୍ରତିବର୍ଷ ପେଙ୍ଗୁଇନ୍ମାନେ ନିଜ ପୁରୁଣା ଡେଣା ବଦଳାନ୍ତି । ଏହି ଡେଣା ସେମାନଙ୍କୁ ଶୀତ ଏବଂ ପାଣିରୁ ସୁରକ୍ଷା ଦିଏ । ଏହି ପ୍ରକ୍ରିୟା ପ୍ରାୟ ୨୧ ଦିନ ଧରି ଚାଲିଥାଏ । ନୂଆ ଡେଣା ଯୋଗୁ ଏହି ସମୟରେ ସେମାନେ ସମୁଦ୍ର ଭିତରକୁ ଯାଇପାରନ୍ତିନି । ତଟବର୍ତ୍ତୀ ଅଞ୍ଚଳରେ ଭୂମିରେ ରହିଥାନ୍ତି । ଏହା ପୂର୍ବରୁ ସେମାନେ ପ୍ରଚୁର ମାତ୍ରାରେ ଖାଦ୍ୟ ଖାଇ ମୋଟା ହୋଇଥାନ୍ତି ଏବଂ ଶରୀରରେ ଚର୍ବି ବଢ଼ାଇଥାନ୍ତି। ମୋଲ୍ଟିଂ ପୂର୍ବରୁ କିମ୍ବା ପରେ ପେଙ୍ଗୁଇନଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଖାଦ୍ୟ ନ ମିଳିଲେ ସେମାନଙ୍କ ଶରୀରରେ ଗଚ୍ଛିତ ଥିବା ଖାଦ୍ୟ ସରିଯାଏ । ତେଣୁ ସେମାନଙ୍କ ବଞ୍ଚିବା କଷ୍ଟକର ହୋଇଯାଏ।

ଏହି ପେଙ୍ଗୁଇନ୍ଗୁଡ଼ିକର ମୃତଦେହ ମିଳିନି। ବୈଜ୍ଞାନିକଙ୍କ ଅନୁସାରେ, ପେଙ୍ଗୁଇନ୍ମାନେ ଖାଦ୍ୟର ସନ୍ଧାନରେ ବିକଳରେ ଗଭୀର ସମୁଦ୍ରକୁ ପଶିଯାଇଛନ୍ତି । ସେଠାରେ ସେମାନଙ୍କର ମୃତ୍ୟୁ ଘଟିଛି । ବଡ଼ସଂଖ୍ୟାରେ ପେଙ୍ଗୁଇନ୍ ମୃତ୍ୟୁ ପାଇଁ ବୈଜ୍ଞାନିକମାନେ ସାର୍ଡିନ୍ ମାଛର ଅଭାବକୁ ଦାୟୀ କରିଛନ୍ତି। ଏହି ମାଛ ହିଁ ପେଙ୍ଗୁଇନ୍ମାନଙ୍କର ପ୍ରମୁଖ ଖାଦ୍ୟ । ପେଙ୍ଗୁଇନଙ୍କ ମୃତ୍ୟୁ ପଛରେ ଜଳବାୟୁ ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି ଏବଂ ମନୁଷ୍ୟଗତ କାରଣ ବି ଦାୟୀ। ଜଳବାୟୁ ପରିବର୍ତ୍ତନ ଯୋଗୁ ସ୍ୱାଭାବିକ ଭାବେ ଏହି ମାଛଗୁଡ଼ିକ ଅଣ୍ଡା ଦେଇପାରୁନାହାନ୍ତି। ଫଳରେ ସମୁଦ୍ରରେ ସେମାନଙ୍କ ସଂଖ୍ୟା ବଢ଼ିପାରୁନାହିଁ । ଏପରି ଅଭାବଜନକ ସ୍ଥିତିରେ ମଣିଷ ଅନିୟନ୍ତ୍ରିତ ଭାବେ ମାଛ ଧରିବା କାରଣରୁ ସେମାନଙ୍କ ସଂଖ୍ୟା ଆହୁରି ହ୍ରାସ ପାଉଛି । ଫଳରେ ପେଙ୍ଗୁଇନ୍ ପରି ଜୀବ ପର୍ଯ୍ୟାପ୍ତ ଖାଦ୍ୟ ପାଇପାରୁନାହାନ୍ତି ।

୨୦୦୪ ପରଠାରୁ ସାର୍ଡିନ୍ର ବାୟୋମାସ୍ ୨୫% ପର୍ଯ୍ୟନ୍ତ ହ୍ରାସ ପାଇଛି । ପାଣିରେ ତାପମାତ୍ରା ବୃଦ୍ଧି ଏବଂ ଖାରିଆପଣରେ ପରିବର୍ତ୍ତନ ଯୋଗୁ ଏହି ମାଛର ପ୍ରଜନନ ହାର କମିଛି । ସ୍ଥିତି ଏତେ ଗମ୍ଭୀର ହୋଇଛି ଯେ, ୨୦୨୪ରେ ଆଫ୍ରିକୀୟ ପେଙ୍ଗୁଇନ୍କୁ ‘କ୍ରିଟିକାଲି ଏନ୍ଡେଞ୍ଜର୍ଡ’ ବା ‘ଗମ୍ଭୀର ଭାବେ ଲୁପ୍ତ ପ୍ରାୟ’ ଘୋଷଣା କରାଯାଇଛି । ଏବେ ଦୁନିଆରେ ପ୍ରଜନନ କରିପାରିବା ଭଳି କେବଳ ୧୦ ହଜାର ପେଙ୍ଗୁଇନ୍ ଯୋଡ଼ି ବଞ୍ଚିଛନ୍ତି । ଗତ ୩୦ ବର୍ଷରେ ଏହି ପ୍ରଜାତିଙ୍କ ସଂଖ୍ୟା ପ୍ରାୟ ୮୦% କମିଛି । ନେଲ୍ସନ୍ ମାଣ୍ଡେଲା ୟୁନିଭର୍ସିଟିର ଲୋରିୟନ ପିଚଗ୍ରୁ ଏହାକୁ ବେଶ୍ ଚିନ୍ତାଜନକ ଦର୍ଶାଇଛନ୍ତି । ଏହା କେବଳ ପେଙ୍ଗୁଇନମାନଙ୍କ ପାଇଁ ନୁହେଁ ବରଂ ମାଛ ଉପରେ ନିର୍ଭର କରୁଥିବା ସବୁ ପ୍ରଜାତିଙ୍କ ପାଇଁ ବିପଜ୍ଜନକ ବୋଲି କହିଛନ୍ତି ।