ଇସଲାମାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବହୁ ମୁସଲିମ ନେତାଙ୍କ ସହ ଭେଟିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ । ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ରବିବାର ଘୋଷଣା କରିଛି ଯେ, ନ୍ୟୁୟର୍କରେ ୮୦ତମ ମିଳିତ ଜାତିସଂଘ ସାଧାରଣ ସଭା (UNGA)ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଟ୍ରମ୍ପଙ୍କୁ ଭେଟିବେ। ଏହି ବୈଠକରେ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ସହିତ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା ହେବ। ସରିଫ ପାକିସ୍ତାନୀ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବେ । ଯେଉଁଥିରେ ବୈଦେଶିକ ମନ୍ତ୍ରୀ ଇସାକ ଦାର ଏବଂ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀମାନେ ସାମିଲ ରହିବେ।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ, UNGAରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଭାଷଣ ବିଶେଷ ଭାବରେ ପାଲେଷ୍ଟାଇନ ଏବଂ କାଶ୍ମୀରରେ ଅଧିକାରର ଉଲ୍ଲଂଘନ ପରିସ୍ଥିତି ଉପରେ ରହିବ। ସରିଫ ବିଶ୍ୱ ସୁରକ୍ଷା ଚ୍ୟାଲେଞ୍ଜ ଏବଂ ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ, ଇସଲାମୋଫୋବିଆ ଏବଂ ସ୍ଥାୟୀ ବିକାଶ ଭଳି ଅନ୍ତର୍ଜାତୀୟ ଚିନ୍ତା ଉପରେ ପାକିସ୍ତାନର ମତ ମଧ୍ୟ ଉପସ୍ଥାପନ କରିବେ। ତାଙ୍କର ଲକ୍ଷ୍ୟ ହେଉଛି ଶାନ୍ତି, ସୁରକ୍ଷା ଏବଂ ବିଶ୍ୱ ସମୃଦ୍ଧି ପାଇଁ ସମସ୍ତ ସଦସ୍ୟ ରାଷ୍ଟ୍ର ସହିତ କାମ କରିବା ପାଇଁ ପାକିସ୍ତାନର ପ୍ରତିବଦ୍ଧତା ଜଣାଇବା।

ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରଥମ କାର୍ଯ୍ୟକାଳରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭେଟିଥିଲେ। ଜୋ ବାଇଡେନ ଏହା ପରେ ପାକିସ୍ତାନଠାରୁ ନିଜକୁ ଦୂରେଇ ରଖିଥିଲେ। ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ ମଧ୍ୟ କରି ନଥିଲେ। କିନ୍ତୁ ଏବେ ଟ୍ରମ୍ପ ଶାହବାଜ ସରିଫଙ୍କ ସହ ସାକ୍ଷାତ କରିବାକୁ ଯାଉଛନ୍ତି। ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିରଙ୍କ ସହ ସାକ୍ଷାତ କରିଥିଲେ।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଶାହବାଜ ସରିଫଙ୍କ ନ୍ୟୁୟର୍କ ଗସ୍ତରେ ଅନେକ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମ ସାମିଲ ହେବ । ଯେଉଁଥିରେ ଜାତିସଂଘ ସୁରକ୍ଷା ପରିଷଦର ବୈଠକ, ଗ୍ଲୋବାଲ ଡେଭଲପମେଣ୍ଟ ଇନିସିଏଟିଭ୍ (GDI)ର ଏକ ଉଚ୍ଚସ୍ତରୀୟ ଅଧିବେଶନ ଏବଂ ଜଳବାୟୁ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ସେ ପାରଷ୍ପରିକ ସ୍ୱାର୍ଥର ପ୍ରସଙ୍ଗ ଏବଂ ବିଶ୍ୱ ଚ୍ୟାଲେଞ୍ଜ ଉପରେ ଆଲୋଚନା କରିବା ପାଇଁ ଜାତିସଂଘର ବରିଷ୍ଠ ଅଧିକାରୀ ଏବଂ ଅନ୍ୟ ବିଶ୍ୱ ନେତାମାନଙ୍କୁ ଭେଟିବେ।