ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଗାଇଡଲାଇନ୍‌, ଅନ୍ୟ ଛାତ୍ରବୃତ୍ତି ମିଳୁଥିଲେ ବି ବଞ୍ଚିତ ହେବେନି

Published By : Rasmita Pradhan | October 10, 2024 12:04 PM

ଭୁବନେଶ୍ୱର, ୧୦/୧୦ : ‘ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ର ଆସିଲା ଗାଇଡଲାଇନ୍‌ । ଏହି ଯୋଜନା ପାଇବା ପାଇଁ ଯୋଗ୍ୟ ଛାତ୍ରଛାତ୍ରୀ ଅନୁସୂଚିତ ଜନଜାତି ବର୍ଗର ହେବା ସହ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ । ସେହି ଛାତ୍ରଛାତ୍ରୀଙ୍କୁ ଯଦି ପୂର୍ବରୁ ଅନ୍ୟ ଛାତ୍ରବୃତ୍ତି ମିଳୁଥିବ, ତେବେ ସେ ଏହି ‘ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ରୁ ବଞ୍ଚିତ ହେବେନି । ତେବେ ଆବେଦନ କରିବା ପାଇଁ ଛାତ୍ରଛାତ୍ରୀଙ୍କ ପରିବାରର ଆୟ ଅଢ଼େଇ ଲକ୍ଷରୁ କମ୍ ଥିବ । ସରକାରୀ କିମ୍ବା ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବେ । ଏଥିପାଇଁ ବିଦ୍ୟାର୍ଥୀ ଓଡ଼ିଶା ଷ୍ଟେଟ୍‌ ସ୍କଲାରସିପ୍‌ ପୋର୍ଟାଲ୍‌ରେ ଆବେଦନ କରିବେ । ରାଜ୍ୟରେ ଅଷ୍ଟମ ଓ ଦଶମ ପାସ୍‌ ପରେ ପାଠ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା କମାଇବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । 

ଗତ କିଛି ଦିନ ହେବ ଓଡ଼ିଶା ସର୍ବାଧିକ ଡ୍ରପଆଉଟ୍‌ର ବଦନାମ ମୁଣ୍ଡାଉଥିଲା । ମାତ୍ର ବିଜେପିକୁ କ୍ଷମତାକୁ ଆସିବା ପରେ ଏହାକୁ ମୁକାବିଲା କରିବାକୁ ଆରମ୍ଭ କରିଛି ‘ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ । ଯାହା ଦ୍ୱାରା ରାଜ୍ୟରେ ଅଷ୍ଟମ ଓ ଦଶମ ପରେ ଅଧାରୁ ପାଠପଢ଼ା ଛାଡୁଥିବା ଅନୁସୂଚିତ ଜନଜାତି ବର୍ଗଙ୍କ ସଂଖ୍ୟା କମାଯାଇପାରିବ । ସହିଦ ମାଧୋ ସିଂଙ୍କ ନାମରେ ଆରମ୍ଭ ହୋଇଥିବା ଏହି ହାତ ଖର୍ଚ୍ଚ ଯୋଜନା ପୂର୍ବରୁ କ୍ୟାବିନେଟରେ ଅନୁମୋଦନ ହୋଇଥିବା ବେଳେ ବୁଧବାର ଏହାର ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ରାଜ୍ୟ ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ(ପାସ୍‌) ହୋଇ ନବମ ଏବଂ ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଏକକାଳୀନ ପ୍ରୋତ୍ସାହନ ରାଶି ଭାବେ ବାର୍ଷିକ ପାଞ୍ଚ ହଜାର (୫ ହଜାର) ଟଙ୍କା ମିଳିବ । ଏହି ଯୋଜନା ଦ୍ୱାରା ନବମ ଏବଂ ଏକାଦଶ ଶ୍ରେଣୀରେ ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ନାମ ପଞ୍ଜୀକରଣ ହାର ବୃଦ୍ଧି ପାଇବ । 

ଏହା ସହିତ ନିୟମିତ ପଢ଼ୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଯୋଜନା ଦ୍ୱାରା ଉପକୃତ ହେବେ । ଆବେଦନକାରୀ ଛାତ୍ରଛାତ୍ରୀଙ୍କୁ ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ବ୍ୟାଙ୍କ ଆକାଉଣ୍ଟର ବିବରଣୀ ଓ ଆଧାର କାର୍ଡର ଜେରକ୍ସ ଦେବାକୁ ପଡିବ । ‘ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ରେ ଆବେଦନ ପାଇଁ ଓଡ଼ିଶା ଷ୍ଟେଟ୍‌ ସ୍କଲାରସିପ୍‌ ପୋର୍ଟାଲ୍‌ରେ ସ୍ୱତନ୍ତ୍ର ଏଣ୍ଟ୍ରି ସ୍କ୍ରିନର୍‌ ରହିବ । ନବମ ଏବଂ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଆବଶ୍ୟକ କାଗଜପତ୍ର ସହ ଆବେଦନ କରିବେ । ଯାଞ୍ଚ ପରେ ଶିକ୍ଷାନୁଷ୍ଠାନର ମୁଖ୍ୟ ଆବେଦନ ପତ୍ରକୁ ମଞ୍ଜୁର କରି ବିଭାଗକୁ ଅନଲାଇନରେ ପଠାଇବେ । ସମ୍ପୂର୍ଣ୍ଣ ଯାଞ୍ଚ ପରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା(ଡିବିଟି) ମାଧ୍ୟମରେ ଆକାଉଣ୍ଟକୁ ଟଙ୍କା ଯିବ । ନକଲି ଆବେଦନକୁ ରୋକିବାକୁ ଆଧାର ସଂଯୋଗ ବାଧ୍ୟତାମୂଳକ ରହିବ । ଘରୋଇ ଓ ଅଣଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥି ପାଇଁ ଯୋଗ୍ୟ ବିବେଚିତ ହେବେନାହିଁ । ଅଷ୍ଟମ ଓ ଦଶମରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶିକ୍ଷଣ ଏବଂ ପରାମର୍ଶ ଶିବିର ଅନୁଷ୍ଠିତ ହେବ । ଯୋଜନାରେ ସହଜରେ ଆବେଦନ କରିବା ପାଇଁ, ଜିଲ୍ଲା ପ୍ରଶାସନ ଦ୍ୱାରା ବିଦ୍ୟାଳୟ ସ୍ତରୀୟ ଶିବିର କରାଯିବ । ଏହି ଯୋଜନା ଚଳିତ ଶିକ୍ଷା ବର୍ଷରୁ କାର୍ଯ୍ୟକାରୀ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.