ମୁମ୍ବାଇ,୦୨/୧୧: ଶାହରୁଖ ଖାନ, ନାଁ ତ ଆପଣ ନିଶ୍ଚିତ ଶୁଣିଥିବେ । କାରଣ ଏହି ନାଁ କେବଳ ବଲିଉଡରେ ନୁହେଁ, ସାରା ବିଶ୍ବର ଲୋକଙ୍କ ହୃଦୟରେ ରାଜ୍ କରିଥାଏ । ତେବେ ବଲିଉଡର 'ବାଦଶାହ' ଶାହରୁଖ ଖାନ ୨ ନଭେମ୍ବରରେ ତାଙ୍କର ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଶାହାରୁଖଙ୍କୁ ଜନ୍ମଦିନର ସୁଅ ଛୁଟୁଛି। ଯଦିଓ ଏହା ପୂର୍ବରୁ ଶାହାରୁଖ ଖାନ ଅନେକ ଟିଭି ସିରିଏଲ କରିଥିଲେ । ତେବେ ଶାହରୁଖ ଏଥର ମୁମ୍ବାଇରେ ନୁହେଁ, ଆଲିବାଗରେ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି। ବର୍ତ୍ତମାନ ତାଙ୍କ ମନ୍ନତ ବଙ୍ଗଳାରେ ନବୀକରଣ କାର୍ଯ୍ୟ ଚାଲିଛି। ତେଣୁ, ଶାହରୁଖ ତାଙ୍କ ଆଲିବାଗ ଫାର୍ମହାଉସରେ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି। ଯାହାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ପରିବାର ଏବଂ ନିକଟତର ବନ୍ଧୁମାନେ ପାର୍ଟିରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି।
କରଣ ଜୋହର ମଧ୍ୟରାତ୍ରିରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ, ସେ ରାଣୀ ମୁଖାର୍ଜୀଙ୍କ ସହ ଏକ ସେଲଫି ନେଉଛନ୍ତି। ଅନନ୍ୟା ପାଣ୍ଡେ ମଧ୍ୟ ପାର୍ଟିରେ ଯୋଗ ଦେଇଥିଲେ। ସେ କରଣଙ୍କ ଫଟୋରେ ଦେଖିବାକୁ ମିଳିଛନ୍ତି। ସେହିପରି ଫରାହ ଖାନ ଶାହରୁଖ ଖାନଙ୍କ ସହ ଦୁଇଟି ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଏହି ଫଟୋଗୁଡ଼ିକ ଶାହରୁଖ ଖାନଙ୍କ ଜନ୍ମଦିନ ପାଳନର। କ୍ୟାପସନରେ ଫରାହ ଖାନ ଲେଖିଛନ୍ତି, "ଜନ୍ମଦିନର ଶୁଭେଚ୍ଛା ରାଜା! ଆପଣ ଆଗାମୀ ୧୦୦ ବର୍ଷ ପାଇଁ ରାଜତ୍ୱ କରନ୍ତୁ।" ଗୋଟିଏ ଫଟୋରେ ଫରାହ ଖାନ ଶାହରୁଖ ଖାନଙ୍କୁ ଚୁମ୍ବନ ଦେଉଛନ୍ତି, ଯେତେବେଳେ ଦ୍ୱିତୀୟ ଫଟୋରେ ସେମାନେ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି। ଫରାହ ଖାନଙ୍କ ଫଟୋରେ ସୁହାନା ଏବଂ ଆର୍ଯ୍ୟାନ ଖାନଙ୍କୁ ବି ଦେଖିବାକୁ ମିଳିଛି।
ତେବେ ୨ ନଭେମ୍ବର ୧୯୬୫ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଶାହାରୁଖ । ତାଙ୍କ ବାପା ତାଜ ମହମ୍ମଦ ଖାନ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଓ ତାଙ୍କ ମାଙ୍କ ନାଁ ଥିଲା ଫାତିମା । ଶାହାରୁଖ ନିଜ ସ୍କୁଲ ଶିକ୍ଷା ଦିଲ୍ଲୀର ସେଣ୍ଟ କଲୋମ୍ବସ ସ୍କୁଲରୁ କରିଥିଲେ । ପାଠ ସହିତ ସେ ଥିଏଟରରେ ମଧ୍ୟ ନିଜ ପ୍ରତିଭା ଦେଖାଇଥିଲେ । ଏହାପରେ ସେ ହଂସରାଜ କଲେଜରୁ ଡିଗ୍ରୀ ହାସଲ କରିଥିଲେ । ପରେ ଜାମିଆ ମିଲିଆ ଇସଲାମିୟା ବିଶ୍ୱବିଦ୍ୟାଳୟରୁ ମାସ କମ୍ୟୁନିକେସନରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ବାପା ମାଙ୍କ ମୃତ୍ୟୁ ପରେ ଶାହାରୁଖ ମୁମ୍ବାଇ ଚାଲି ଆସିଥିଲେ । କିଛି ବର୍ଷ ସଂଘର୍ଷ ପରେ ସେ ସିରିଏଲରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଟେଲିଭିଜନ ପରେ ସେ ପାଦ ଦେଇଥିଲେ ସିନେମା ଜଗତରେ । ଚଳଚ୍ଚିତ୍ର ‘ଦିୱାନା’ ଜରିଆରେ ପ୍ରଥମେ ସେ ନିଜ ଅଭିନୟରେ ଦର୍ଶକଙ୍କୁ ମତୁଆଲା କରିଥିଲେ । ଡର୍, ଅଞ୍ଜାମ ଓ ବାଜିଗର, ରାଜୁ ବନ୍ ଗୟା ଜେଣ୍ଟଲ୍ ମ୍ୟାନ୍, କୁଛ୍ କୁଛ୍ ହୋତା ହୈ, ଦେବଦାସ, ଦିଲୱାଲେ ଦୁଲହନିୟା ଲେ ଜାୟେଙ୍ଗେ୍, ଚକ୍ ଦେ ଇଣ୍ତିଆ ଭଳି ସିନେମାରେ ସେ ଉତ୍ତମ ଅଭିନୟ କରି ସାରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଚି କରିଥିଲେ । ଆଜି ତାଙ୍କ ଜନ୍ମଦିନ ଅବସରରେ ଶାହାରୁଖଙ୍କ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ତାଙ୍କ ସଫଳତାର ଜୀବନ ଭିତରେ ସେ ବହୁତ ସଂଘର୍ଷ କରିଛନ୍ତି । ହେଲେ ତାଙ୍କ ଏହି ସଫରରେ ସେ ଫ୍ୟାନମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇଛନ୍ତି ।