ନୂଆଦିଲ୍ଲୀ,୧୩/୧୨; ଶୁକ୍ରବାର ସଂସଦ ଭବନର ଆନେକ୍ସ ଏକ୍ସଟେନସନ ବିଲ୍ଡିଂରେ କଂଗ୍ରେସ ସାଂସଦଙ୍କର ବୈଠକ ହୋଇଥିଲା । ରାହୁଲ ଗାନ୍ଧୀ ଏଥିରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ୯୯ ସାଂସଦ ଯୋଗଦେଇଥିଲେ । କିନ୍ତୁ ଦଳୀୟ ସାଂସଦ ଶଶି ଥରୁର ସାମିଲ ହୋଇ ନ ଥିଲେ । ବର୍ତ୍ତମାନ ଶୀତକାଳୀନ ଅଧିବେଶନ ବେଳେ କଂଗ୍ରେସ ସାଂସଦଙ୍କର କାର୍ଯ୍ୟଧାରା କିଭଳି ଅଛି, ତାହା ନେଇ ବୈଠକରେ ସମୀକ୍ଷା ହୋଇଥିଲା । କୋଲକାତାରେ ବନ୍ଧୁଙ୍କ ଉତ୍ସବକୁ ଗଲେ । ବୈଠକରେ ସାମିଲ ହେଲେ ନାହିଁ ଶଶି ଥରୁର । ଲଗାତାର ୩ ଥର ଏହିପରି କଂଗ୍ରେସ ବୈଠକକୁ ବର୍ଜନ କଲେଣି କଂଗ୍ରେସ ସାଂସଦ ଶଶି ଥରୁର ।
ଦଳୀୟ ସୂତ୍ର ଅନୁସାରେ, ଥରୁର ଏହି ବୈଠକରେ ଯୋଗଦେଇ ପାରିବେ ନାହିଁ ବୋଲି ପୂର୍ବରୁ ଅବଗତ କରାଇଥିଲେ । ‘ଏକ୍ସ’ରେ ସେ ଗୁରୁବାର ଲେଖିଥିଲେ, କୋଲକାତାରେ ନିଜ ବନ୍ଧୁଙ୍କ ବିବାହ ଉତ୍ସବକୁ ଆସିଛି । ତେବେ ଲଗାତର ତୃତୀୟ ଥର ପାଇଁ ଥରୁର ଶୀତକାଳୀନ ଅଧିବେଶନ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇ ନାହାନ୍ତି । ଏହା ପୂର୍ବରୁ ନଭେମ୍ବରରେ କଂଗ୍ରେସର ଦୁଇଟି ବଡ଼ ବୈଠକ ବସିଥିଲା । ଏଥିରେ ଥରୁର ଯୋଗଦେଇ ନ ଥିଲେ ।
ପ୍ରଥମ ବୈଠକ ନଭେମ୍ବର ୩୦ରେ ହୋଇଥିଲା । ସୋନିଆ ଗାନ୍ଧୀ ଏହି ରଣନୀତିକ ବୈଠକ ଡାକିଥିଲେ । ଏହା ପୂର୍ବରୁ ନଭେମ୍ବର ୧୮ରେ ଏସ୍ଆଇଆର୍ ପ୍ରକ୍ରିୟାକୁ ନେଇ ରଣନୀତି ଉପରେ ଚର୍ଚ୍ଚା ଲାଗି ବୈଠକ ବସିଥିଲା । ଥରୁର ଅନୁପସ୍ଥିତ ରହିଥିଲେ । ୩୦ରେ ଥରୁର ତାଙ୍କ ମାଆଙ୍କ ଜନ୍ମଦିନ ପାଇଁ କେରଳ ଯାଇଥିଲେ । ୧୮ରେ ଅନୁଷ୍ଠିତ ବୈଠକର ପୂର୍ବଦିନ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ ଥିଲେ ।