ନୂଆଦିଲ୍ଲୀ,୦୮/୧୧: ଏଚ୍‌ସିଏଲ୍‌ର ସହ-ପ୍ରତିଷ୍ଠାତା ଶିବ ନାଦାର ଦେଶର ସବୁଠୁ ବଡ଼ ଦାନବୀର । ଶିବ ଏବଂ ତାଙ୍କ ପରିବାର  ଗତବର୍ଷ ଅର୍ଥାତ୍‌ ୨୦୨୩-୨୪ ଆର୍ଥିକବର୍ଷରେ ୨,୧୫୩ କୋଟି ଟଙ୍କା ଦାନ କରିଛନ୍ତି । ଅର୍ଥାତ୍‌  ଦୈନିକ ୫.୯୦ କୋଟି ଟଙ୍କା ଦାନ କରିଛନ୍ତି ନାଦାର ପରିବାର । ଏଡେଲ୍‌ଗିଭ୍‌ ହୁରୁନ୍‌  ଇଣ୍ଡିଆ ପରୋପକାରୀ ତାଲିକା-୨୦୨୪ରେ  ଏହା ଉଲ୍ଲେଖ କରାଯାଇଛି ।  ଗୁରୁବାର ଜାରି ଏହି ତାଲିକାରେ ଶୀର୍ଷ  ସ୍ଥାନରେ ଅଛନ୍ତି ନାଦାର ପରିବାର । 

ରିଲାଏନ୍ସ  ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ଏବଂ  ତାଙ୍କ ପରିବାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ୨୦୨୩-୨୪ ଆର୍ଥିକବର୍ଷରେ ମୁକେଶ ଅମ୍ବାନି ଏବଂ ପରିବାର ୪୦୭ କୋଟି ଟଙ୍କା  ଦାନ କରିଛନ୍ତି । ବଜାଜ ପରିବାର ୩୫୨  କୋଟି ଟଙ୍କା ଦାନ କରି ତାଲିକାରେ ତୃତୀୟ  ସ୍ଥାନ ହାସଲ କରିଛନ୍ତି । ଏହା ୨୦୨୨-୨୩  ତୁଳନାରେ ୩୩% ଅଧିକ । 

ଦାନବୀର ତାଲିକାରେ ଶ୍ରେଷ୍ଠ ୧୦ ଜଣ  ବ୍ୟକ୍ତି ୪,୬୨୫ କୋଟି ଟଙ୍କା ଦାନ କରିଛନ୍ତି,  ଯାହା ତାଲିକାରେ ଥିବା ମୋଟ ଦାନରାଶିର ପ୍ରାୟ ୫୩% । ତାଲିକାରେ କୃଷ୍ଣା ଚିବୁକୁଲା ସପ୍ତମ  ସ୍ଥାନରେ ଥିବାବେଳେ ସୁଶ୍ମିତା ଏବଂ ସୁବ୍ରତୋ  ବାଗ୍‌ଚୀ ନବମ ସ୍ଥାନ ହାସଲ କରିଛନ୍ତି । ଟପ୍‌ ୧୦ରୁ ୬ ଜଣ ଦାନବୀର ନିଜର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର୍‌)  ଅଧୀନରେ ଶିକ୍ଷାରେ ଅଧିକ ଟଙ୍କା ଦାନ  କରିଛନ୍ତି । ତାଲିକାରେ ଏସିଆନ୍‌ ପେଣ୍ଟ୍‌ସ  ସହ ଜଡ଼ିତ ୩୫ ବର୍ଷୀୟ ବିବେକ ବକିଲ  ସର୍ବକନିଷ୍ଠ ଦାନବୀର ରହିଛନ୍ତି । ସେ ୮ କୋଟି  ଟଙ୍କା ଦାନ କରିଛନ୍ତି । ସେହିଭଳି ୨୦୨୩ରେ  ସର୍ବକନିଷ୍ଠ ଦାନବୀର ରହିଥିବା ଜେରୋଧାର  ସହ-ପ୍ରତିଷ୍ଠାତା ନିଖିଲ କାମାଥ(୩୮) ଏ  ବର୍ଷ ତୃତୀୟ ସ୍ଥାନକୁ ଖସିଆସିଛନ୍ତି ।