ମୁମ୍ବାଇ,୧୮।୬: ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା। ଗୁରୁବାର ଉଦ୍ଧବଙ୍କ ଶିବସେନା (ୟୁବିଟି)ସାଂସଦଙ୍କ ବୈଠକ ଡକାଇଥିଲା। କିନ୍ତୁ ବୈଠକ ଆରମ୍ଭ ହେବାମାତ୍ରେ ଉଦ୍ଧବଙ୍କୁ ଲାଗିଛି ବଡ଼ ଝଟକା। ୯ ଲୋକସଭା ସାଂସଦଙ୍କ ମଧ୍ୟରୁ ୬ ଜଣ ଏହି ବୈଠକରେ ସାମିଲ ହୋଇନଥିଲେ। ପହଁଞ୍ଚିଥିଲେ ମାତ୍ର ୩ ଜଣ। ଏହି ଘଟଣାକ୍ରମ ପରେ ଉଦ୍ଧବଙ୍କ ଦଳରେ ବିଭାଜନ ଏକ ପ୍ରକାର ସ୍ପଷ୍ଟ ହୋଇଛି। ସଂସଦ ଭବନ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଡକାଯାଇଥିବା ବୈଠକରେ ରବିନ୍ଦ ସାୱନ୍ତ, ଅନିଲ ଦେସାଇ ଓ ରାଜା ବାଜେ ଉପସ୍ଥିତ ଥିଲେ।

ସୁତ୍ରର ସୂଚନା ଅନୁସାରେ ସଞ୍ଜୟ ଦିନା ପାଟିଲ, ସଞ୍ଚୟ ଦେଶମୁଖ, ନାଗେଶ ପାଟିଲ ଅଷ୍ଟିକର, ଓମରାଜେ ନିବାଲାକର, ଭାଉ ସାହେବ ଭାକଚୋରେ ଓ ସଞ୍ଚୟ ଯାଦବ ବୈଠକରେ ପହଁଞ୍ଚି ନଥିଲେ। ଦାବି କରାଯାଉଛି ଯେ,   ଏହି ୬ ସାଂସଦ ନିଜର ଅଲଗା ସଂସଦୀୟ ଗୋଷ୍ଠୀ ତିଆରି କରିଛନ୍ତି। ସେମାନେ ଏ ସମ୍ପର୍କରେ ବୁଧବାର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏକ ପତ୍ର ଦେଇଛନ୍ତି।  ଶିବସେନା ଏହି ଅନୁପସ୍ଥିତ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବୋଲି କହିଛି।

ବିଶେଷଜ୍ଞଙ୍କ ମତରେ ଦଶମ ଅନୁସୂଚୀ (ଦଳ-ବିରୋଧି ଆଇନ) ଅନୁସାରେ, ହ୍ବିପ୍ କେବଳ ଗୃହ କାର୍ଯ୍ୟ ପାଇଁ ବୈଧ ରୂପରେ ଜାରି କରାଯାଇପାରେ। ପାର୍ଟିର ଅନ୍ତରୀଣ ବୈଠକ ପାଇଁ ନୁହେଁ। ଏହାର କାରଣ ହେଉଛି ସର୍ବୋଚ୍ଚ ନ୍ୟାୟାଳୟ ଦଶମ ଅନୁସୂଚୀର ପାରା ୨(୧)(b) ରେ ବ୍ୟବହୃତ ମତଦାନ ଓ ମତଦାନରୁ ବିରତ ରହିବାର ବାଖ୍ୟା କରିଛି। ହ୍ବିପର ମହତ୍ବ ବିଧାନସଭାର କାର୍ଯ୍ୟବିଧି ସହିତ ଜଡିତ ରହିବା ନା କି ପାର୍ଟିର ସଂଗଠନାତ୍ମକ ବୈଠକ ସହିତ। ହ୍ବିପ୍ ଗୃହର କାର୍ଯ୍ୟାନୁଷ୍ଠାନ ଉପରେ ଲାଗୁ ହୁଏ, ପାର୍ଟିର ମଞ୍ଚ ଉପରେ ନୁହେଁ।

ଅରବିନ୍ଦ ସାୱନ୍ତ କହିଛନ୍ତି ହ୍ବିପ ଉଲଂଘନ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଦ୍ରୋହୀଙ୍କୁ ଉପଯୁକ୍ତ ଶିକ୍ଷା ଦିଆଯିବା ଦରକାର। ପାର୍ଟିର ନେତୃତ୍ବ ତିନି ଲାଇନ୍ ହ୍ବିପ୍ ଜାରି କରିଥିଲେ ଓ ଗୁରୁବାର ନୂଆ ଦିଲ୍ଲୀରେ ସଂସଦୀୟ ଦଳର ଜରୁରୀକାଳୀନ ବୈଠକ ଡକାଇଥିଲେ। ସାଂସଦଙ୍କ ବୈଠକରେ ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହିବା ବାଧ୍ୟତାମୂଳକ କରାଯାଇଥିଲା। ସାୱନ୍ତ କହିଛନ୍ତି, ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବା ଜରୁରୀ। କାରଣ ହ୍ବିପ୍ ଜାରି କରାଯାଇଥିଲା। ସାୱନ୍ତ କହିଛନ୍ତି, ଶିବସେନାର ଦିବଂଗତ ସଂସ୍ଥାପକ ବାଲ୍ ଠାକରେ ଦଳ ବଦଳୁଥିବା ସାଂସଦ ଓ ବିଧାୟକଙ୍କ ମାଡ଼ ମାରିବାକୁ ବି ପରାମର୍ଶ ଦେଇଥିଲେ।

ଆହୁରି ପଢନ୍ତୁ :ମମତାଙ୍କୁ ହାଇକୋର୍ଟ ଝଟ୍‌କା, ପଶ୍ଚିମବଙ୍ଗ ବିଧାନସଭାରେ ଋତବ୍ରତ ବାନାର୍ଜୀ ହେବେ ବିରୋଧୀ ଦଳ ନେତା