ଭୁବନେଶ୍ୱର,୨୪/୦୫: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ  ମଙ୍ଗନ, ବିବାହ ଓ ଶୀତଳ ଷଷ୍ଠୀ ଯାତ୍ରା ତିଥି ଏବଂ ତାରିଖରେ  ପରିବର୍ତ୍ତନ କରାଯାଇଛି । ପୂର୍ବରୁ କେଦାରଗୌରୀ ମନ୍ଦିର  ପରିଚାଳନା କମିଟି ପକ୍ଷରୁ ଆସନ୍ତା ୩୦ ତାରିଖରେ ମଙ୍ଗନ,  ୩୧ରେ ବିବାହ ଓ ଜୁନ୍‌ ୧ରେ ପ୍ରତ୍ୟାବର୍ତ୍ତନ ତଥା ଶୀତଳ ଷଷ୍ଠୀ  ଯାତ୍ରା ଅନୁଷ୍ଠିତ ହେବ ବୋଲି କୁହାଯାଇଥିଲା । ମାତ୍ର ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ  ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତିଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ତିଥି  ପରିବର୍ତ୍ତନ କରାଯାଇଛି । ନୂତନ ତିଥି ଅନୁଯାଇ ଆସନ୍ତା  ୨୯ରେ ମଙ୍ଗନ(ଅଷ୍ଟ ଚଣ୍ଡୀ ନିମନ୍ତ୍ରଣ), ୩୦ରେ ବରାନୁଗମନ  ଓ ବାହାଘର ଏବଂ ୩୧ରେ ପ୍ରତ୍ୟାବର୍ତ୍ତନ ତଥା ଶୀତଳ ଷଷ୍ଠୀ  ଯାତ୍ରା ଅନୁଷ୍ଠିତ ହେବ । 

ଚୂଡ଼ାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ୩୦ ତାରିଖ  ରାତି ୧୧ଟାରେ କେଦାରଗୌରୀ ଅଭିମୁଖେ ବରାନୁଗମନ ଓ  ରାତି ସାଢେ ୨ଟା ମଧ୍ୟେ ହାତଗଣ୍ଠି ପଡ଼ିବ । ଭୋର ୪ଟାରେ  କଉଡ଼ି ଖେଳ ନୀତି ସମାପନ ହୋଇ ୩୧ ତାରିଖ ସକାଳ  ୫ଟାରୁ ନବ ଦମ୍ପତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ପରେ ସମସ୍ତ  ନୀତି ବଢ଼ି ଠିକ ରାତି ୧୦ଟାରେ ଦେଉଳ ପ୍ରତ୍ୟାବର୍ତ୍ତନ(ଶୀତଳ  ଷଷ୍ଠୀ) ଶୋଭାଯାତ୍ରା ହେବ । ବୈଠକରେ ମନ୍ଦିର ଜ୍ୟୋତିଷ  ଏହି ପ୍ରସ୍ତାବ ରଖିବା ପରେ ସେବାୟତଙ୍କ ମଧ୍ୟରେ କିଛି  ସମୟ ବାଦବିବାଦ ହୋଇଥିଲା। ଏହ ପରିବର୍ତ୍ତିତ ତିଥି କେଦାରଗୌରୀ ମନ୍ଦିର ପରିଚାଳନା କମିଟି ଓ ଶୀତଳ ଷଷ୍ଠୀ  କମିଟି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା । କେଦାରଗୌରୀ  ପରିଚାଳନା କମିଟି ସମ୍ପାଦକ ଲୁଲୁ ମହାପାତ୍ର କହିଛନ୍ତି, ଆମେ  ନିମନ୍ତ୍ରଣ ପତ୍ର ମୁଦ୍ରିତ କରି ବାଣ୍ଟିବା ଆରମ୍ଭ କରିଦେଇଥିଲୁ । 

ଏବେ ହଠାତ ତିଥି ପରିବର୍ତ୍ତନ ହେଲା । ଜ୍ୟୋତିଷ ଆଗ  କହିଥିଲେ ଗୋଟେ ତାରିଖ, ଆଜି ପୁଣି ଆଉ ଏକ ତାରିଖ  କହୁଛନ୍ତି । ଯାହା ବି ହେଉ ଆମକୁ ମହାପ୍ରଭୁଙ୍କ ତିଥି ଅନୁଯାୟୀ  କାମ କରିବାକୁ ହେବ । ତେଣୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନୁରୋଧ  କରୁଛୁ, ସେମାନେ ଜୁନ ୧ତାରିଖ ବଦଳରେ ଚଳିତ ମାସ  ୩୧ ତାରିଖରେ ନବ ବିବାହିତ ଦେବଦମ୍ପତିଙ୍କ ଦର୍ଶନ ନିମନ୍ତେ  ଆସି ପ୍ରୀତିଭୋଜନ ଏବଂ ଶୀତଳ ଷଷ୍ଠୀରେ ଯୋଗ ଦେବେ ।  ଆଜିର ବୈଠକରେ ବ୍ରାହ୍ମଣ ନିଯୋଗର ନାରାୟଣ  ମହାପାତ୍ର, ଭାଗିରଥି ମହାସୁଆର, ହିମାଦ୍ରୀ ମହାପାତ୍ର, ବିରଞ୍ଚି  ନାରାୟଣ ପତି, ପୂଜାପଣ୍ଡା ନିଯୋଗର ପ୍ରସନ୍ନ ପୂଜାପଣ୍ଡା ଓ  ସଚିକାନ୍ତ ପୂଜାପଣ୍ଡା, ପର୍ବ ଜାତ ବିଷୋୟୀ, ପ୍ରଶାନ୍ତ ସମର୍ଥା,  ସୁପରଭାଇଜରଙ୍କ ସମେତ ମନ୍ଦିର କର୍ମଚାରୀ ଉପସ୍ଥିତ ଥିଲେ ।