ମୁମ୍ବାଇ ୨୭/୦୬: ୫୦ ବର୍ଷ ତଳେ ଭାରତୀୟ ସିନେ ପରଦାକୁ ଆସିଥିଲା ‘ଶୋଲେ’ । ହିନ୍ଦୀ ସିନେ ଜଗତର ଅନ୍ୟତମ ପ୍ରତିଷ୍ଠିତ ଚଳଚ୍ଚିତ୍ର ଭାବେ ପରିଚିତ ଏହି ଫିଲ୍ମ ପୁଣି ଥରେ ବଡ଼ ପରଦାକୁ ଫେରୁଛି । ଭାରତୀୟ ସିନେପ୍ରେମୀଙ୍କ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ । ୧୯୭୫ରେ ମୁକ୍ତିପ୍ରାପ୍ତ ରମେଶ ସିପ୍ପିଙ୍କ ଲୋକପ୍ରିୟ ଫିଲ୍ମ ‘ଶୋଲେ’ର ପୂର୍ଣ୍ଣ ‘ଅନ୍କଟ୍’ ସଂସ୍କରଣ ଆଜି ଇଟାଲିର ବୋଲୋଗ୍ନା ସ୍ଥିତ ଏଲ୍’ଇମାଜିନ୍ ସିନେମା ରିଟ୍ରୋଭାଟୋ ମହୋତ୍ସବରେ ୱର୍ଲଡ୍ ପ୍ରିମିୟର ହେବ । ଏହି ସଂସ୍କରଣରେ ଫିଲ୍ମର ଡିଲିଟ୍ ହୋଇଥିବା ସିନ୍ ଓ ମୂଳ କ୍ଲାଇମାକ୍ସ ସିନ୍ ରହିଛି, ଯାହାକୁ ସେନ୍ସର ବୋର୍ଡର ଆପତ୍ତି ଯୋଗୁ ପରିବର୍ତ୍ତନ କରାଯାଇଥିଲା ।
ଉକ୍ତ ସିନେ ମହୋତ୍ସବରେ ପିୟାଜ୍ଜିୟା ମ୍ୟାଗିଓର୍ ସ୍ଥିତ ୟୁରୋପର ଅନ୍ୟତମ ସର୍ବବୃହତ କିମ୍ବଦନ୍ତୀ ମୁକ୍ତାକାଶ ପରଦାରେ ଏହି ଫିଲ୍ମର ଅନ୍କଟ୍ ସଂସ୍କରଣ ପ୍ରଦର୍ଶିତ ହେବ । ସଲିମ-ଜାଭେଦଙ୍କ ଲିଖିତ ‘ଶୋଲେ’ରେ ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର, ହେମା ମାଲିନୀ, ଜୟା ଭାଦୁରୀ, ସଞ୍ଜୀବ କୁମାର ଏବଂ ଗବ୍ୱର ସିଂହ ଭାବେ ବିଶ୍ୱପ୍ରସିଦ୍ଧ ଅମଜାଦ ଖାନ୍ ଅଭିନୟ କରିଥିଲେ ।
୨୦୪ ମିନିଟ୍ର ଏହି ଫିଲ୍ମ ଭଲ ଓ ଖରାପ ମଧ୍ୟରେ ଲଢ଼େଇର ଏକ କିମ୍ବଦନ୍ତୀ କାହାଣୀ, ଯାହା ରାମଗଡ଼ ନାମକ କାଳ୍ପନିକ ଗାଁରେ ପର୍ଯ୍ୟବସିତ । ଏଠାରେ ପୂର୍ବତନ ଜେଲର୍ ଠାକୁର ବଲଦେବ ସିଂହ ଦୁଇଜଣ ମାମୁଲି ଅପରାଧୀ ଜୟ ଓ ବୀରୁ (ଅମିତାଭ ଓ ଧର୍ମେନ୍ଦ୍ର)ଙ୍କୁ ଭଡ଼ାରେ ଆଣିଛନ୍ତି । ଭାରତୀୟ ସିନେମାର ଅନ୍ୟତମ ସବୁଠୁ ଚର୍ଚ୍ଚିତ ଭିଲେନ୍ ଗବ୍ୱର ସିଂହ ନାମକ ଦୁର୍ଦ୍ଦାନ୍ତ ଡାକୁକୁ ମାରିବା ପାଇଁ ଉଭୟଙ୍କୁ ସେ ଜେଲରୁ ମୁକୁଳାଇଛନ୍ତି ।
‘ଶୋଲେ’ ଯେତେବେଳେ ପ୍ରଥମେ ମୁକ୍ତିଲାଭ କଲା, ମୁମ୍ବାଇର ୧,୫୦୦ ସିଟ୍ବିଶିଷ୍ଟ ମିନର୍ଭା ଥିଏଟରରେ ବିନା ବାଧାରେ ଲଗାତାର ୫ ବର୍ଷ ଧରି ପ୍ରଦର୍ଶିତ ହେଲା । ପରେ ଏହା ବିବିସି ଇଣ୍ଡିଆ ଅନ୍ଲାଇନ୍ ଭୋଟ୍ରେ ‘ଫିଲ୍ମ ଅଫ୍ ଦ ମିଲେନିୟମ୍’ (ସହସ୍ରାବ୍ଦୀର ଚଳଚ୍ଚିତ୍ର)ର ମାନ୍ୟତା ଲାଭ କଲା । ଏକ ବ୍ରିଟିଶ ଫିଲ୍ମ ପ୍ରତିଷ୍ଠାନର ଭୋଟ୍ରେ ମଧ୍ୟ ସର୍ବଶ୍ରେଷ୍ଠ ଭାରତୀୟ ଫିଲ୍ମର ଟାଇଟଲ ହାସଲ କଲା । ଏଥିରେ ପ୍ରଦର୍ଶିତ ଆର୍ଡି ବର୍ମନଙ୍କ ଗୀତ ଏବଂ ଫିଲ୍ମ ଡାଇଲଗ୍ର ପ୍ରାୟ ୫ ଲକ୍ଷ ରେକର୍ଡ ଓ କ୍ୟାସେଟ୍ ବିକ୍ରି ହୋଇଥିଲା ।
‘ଶୋଲେ’ ଏକ ସାଂସ୍କୃତିକ ଘଟଣା ମଧ୍ୟ । ଏହାର ଡାଇଲଗ୍ ଆଜି ବି ବିବାହରେ ଦୋହରାଯାଉଛି । ରାଜନୈତିକ ଭାଷଣ ଓ ବିଜ୍ଞାପନରେ ମଧ୍ୟ ମଜାରେ ମଜାରେ ଉପସ୍ଥାପନ କରାଯାଉଛି । ଫିଲ୍ମରେ ଚୋର ଭୂମିକା ନିର୍ବାହ କରିଥିବା ଧର୍ମେନ୍ଦ୍ର ନିକଟରେ କହିଥିଲେ ‘ଶୋଲେ’ ବିଶ୍ୱର ଅଷ୍ଟମାଶ୍ଚର୍ଯ୍ୟ । ସେହିପରି ଅମିତାଭ ବଚ୍ଚନ ଫିଲ୍ମର ସୁଟିଂକୁ ଅଭୁଲା ଅନୁଭବ ବୋଲି କହିଥିଲେ । ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ର ଶିବେନ୍ଦ୍ର ସିଂହ ଡୁଙ୍ଗରପୁର କହିଛନ୍ତି, ଏହି ନୂଆ ସଂରକ୍ଷଣ ‘ଶୋଲେ’ର ସବୁଠୁ ବିଶ୍ୱସନୀୟ ସଂସ୍କରଣ ।
ମୂଳ ଶେଷ ସିନ୍ ସହିତ କଦାପି ଲୋକଲୋଚନକୁ ନ ଆସି ଡିଲିଟ୍ ହୋଇଥିବା ସିନ୍ସବୁର ଏହା ଏକ ସୁନ୍ଦର ସମାହାର । ମୂଳ ସଂସ୍କରଣରେ ଡାକୁ ଗବ୍ୱର ସିଂହକୁ ଠାକୁର ନିଜର କଣ୍ଟାଯୁକ୍ତ ଜୋତାରେ ଦଳି ହତ୍ୟା କରିଥିଲେ । କିନ୍ତୁ ସେନ୍ସର ଏଥିରେ ଆପତ୍ତି କରିଥିଲା । ଜଣେ ପୂର୍ବତନ ପୁଲିସ ଅଧିକାରୀ ଆଇନକୁ ହାତକୁ ନେବାର ବିଚାରକୁ ସେନ୍ସର ଗ୍ରହଣ କଲାନାହିଁ । ଫିଲ୍ମରେ ହିଂସା ମଧ୍ୟ ଅଧିକ ଥିବା ଏହା ଦର୍ଶାଇଲା । କଂଗ୍ରେସ ଶାସନକାଳରେ ଦେଶରେ ଆପାତକାଳ ଲାଗୁ ହୋଇଥିବା ସମୟରେ ଫିଲ୍ମଟି ଥିଏଟରକୁ ଆସିଥିବାରୁ ସେନ୍ସର୍ ବୋର୍ଡର କଠୋର ଆଭିମୁଖ୍ୟର ସମ୍ମୁଖୀନ ହୋଇଥିଲା ।
ତର୍କରେ ବିଫଳ ହେବା ପରେ ସିପ୍ପି ଫିଲ୍ମର ଶେଷ ସିନ୍କୁ ପୁନଃ ସୁଟ୍ କରିବାକୁ ବାଧ୍ୟ ହେଲେ । ଫିଲ୍ମ ଟିମ୍ ପୁଣି ଥରେ କାଳ୍ପନିକ ରାମଗଡ଼ ଗାଁରେ ରୂପାନ୍ତରିତ ହୋଇଥିବା ଦକ୍ଷିଣ ଭାରତର ରାମନଗରମ୍ ପାହାଡ଼କୁ ଧାଇଁଲେ । ସଂଶୋଧିତ ଶେଷ ସିନ୍ରେ ଗବ୍ୱର ସିଂହକୁ ହତ୍ୟା କରାଗଲା ନାହିଁ । ଶେଷରେ ସେନ୍ସର ବୋର୍ଡ ଫିଲ୍ମକୁ ପ୍ରମାଣପତ୍ର ପ୍ରଦାନ କଲା । ଫିଲ୍ମର ଅନ୍କଟ୍ ସିନ୍ଗୁଡ଼ିକର ପୁନଃ ସଂରକ୍ଷଣରେ ୩ ବର୍ଷ ସମୟ ବିତିଗଲା । ଏହି ଯାତ୍ରା ଆଦୌ ସହଜ ନ ଥିଲା । ମୂଳ ୭୦ ଏମ୍ଏମ୍ ପ୍ରିଣ୍ଟ୍ ହଜିଯାଇଥିଲା । କ୍ୟାମେରା ନେଗେଟିଭ୍ଗୁଡ଼ିକ ମଧ୍ୟ ଜୀର୍ଣ୍ଣ ସ୍ଥିତିରେ ଥିଲା । କିନ୍ତୁ ୨୦୨୨ରେ ରମେଶ ସିପ୍ପିଙ୍କ ପୁଅ ଶେହଜାଦ ସିପ୍ପି ଫିଲ୍ମର ପୁନଃ ସଂରକ୍ଷଣ ପାଇଁ ମୁମ୍ବାଇ ସ୍ଥିତ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍କୁ ଅନୁରୋଧ କଲେ ।
ଫିଲ୍ମର ଅନେକ ଉପକରଣ ମୁମ୍ବାଇ ସ୍ଥିତ ଏକ ୱେୟାରହାଉସ୍ରେ ଥିବା ସେ ଜାଣିବାକୁ ପାଇଲେ । ପରିତ୍ୟକ୍ତ ଡବା ମଧ୍ୟରେ ମୂଳ ୩୫ ଏମ୍ଏମ୍ କ୍ୟାମେରା ଓ ସାଉଣ୍ଡ୍ ନେଗେଟିଭ୍ ମିଳିଲା, ଯାହା ତାଙ୍କ ପାଇଁ ଅଳିଆ ଭିତରେ ଚମତ୍କାର ଥିଲା । ଅତିରିକ୍ତ ରିଲ୍ସବୁ ବ୍ରିଟେନରେ ଗଚ୍ଛିତ ଥିବା କଥା ସିପ୍ପି ଫିଲ୍ମସ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍କୁ ସୂଚନା ଦେଲା । ବ୍ରିଟିଶ ଫିଲ୍ମ ଇନ୍ଷ୍ଟିଚ୍ୟୁଟ୍ର ସମର୍ଥନରେ ସଂଗଠନର ଟିମ୍ ଏହି ଚଚ୍ଛିତ ଉପକରଣ ଲାଭ କଲେ । ଏଗୁଡ଼ିକୁ ତା’ପରେ ଅତି ଯତ୍ନର ସହ ବିଶ୍ୱର ଅନ୍ୟତମ ପ୍ରମୁଖ ଫିଲ୍ମ ପୁନଃସଂରକ୍ଷଣ କେନ୍ଦ୍ର ବୋଲୋଗ୍ନା ସ୍ଥିତ ଏଲ୍’ଇମାଜିନ୍ ରିଟ୍ରୋଭାଟାକୁ ପଠାଗଲା ।
ମୂଳ ୭୦ ଏମ୍ଏମ୍ ପ୍ରିଣ୍ଟ୍ ନଷ୍ଟ ହେବା ଏବଂ ଆପାତତଃ ନଷ୍ଟ ହୋଇସାରିଥିବା ନେଗେଟିଭ୍ ସତ୍ତେ୍ୱ ଅଭିଲେଖାଗାର ବିଶେଷଜ୍ଞମାନେ ଫିଲ୍ମ ଉପକରଣଗୁଡ଼ିକୁ ମୁମ୍ବାଇ ଓ ବ୍ରିଟେନରୁ ହାସଲ କଲେ । ବ୍ରିଟିଶ ଫିଲ୍ମ ଇନ୍ଷ୍ଟିଚ୍ୟୁଟ୍ ଓ ଇଟାଲିର ଏଲ୍’ଇମାଜିନ୍ ରିଟ୍ରୋଭାଟାର ସହଯୋଗରେ କଠିନ ପରିଶ୍ରମରେ ଫିଲ୍ମକୁ ପୁନଃ ପ୍ରସ୍ତୁତ କରାଗଲା । ଏହି ପ୍ରୟାସରୁ ଫିଲ୍ମ ସୁଟିଂ ପାଇଁ ବ୍ୟବହୃତ ମୂଳ କ୍ୟାମେରା ବିଷୟରେ ମଧ୍ୟ ଜଣାପଡ଼ିଲା ।