ଶ୍ରୀନଗର, ୮।୭: ଜମ୍ମୁ-କାଶ୍ମୀରର ଶୋପିଆନ ଜିଲ୍ଲାରେ ସୁରକ୍ଷାବଳକୁ ମିଳିଛି ଏକ ବଡ଼ ସଫଳତା । ପହଲଗାମ ଆତଙ୍କବାଦୀ ଆକ୍ରମଣ ସହ ଜଡ଼ିତ ଲସ୍କର-ଇ-ତୋଏବା (LeT)ର ଟପ୍ କମାଣ୍ଡର ଜାକିର ଗନିକୁ ଏନକାଉଣ୍ଟରରେ ନିପାତ କରାଯାଇଛି । ସର୍ଚ୍ଚ ଅପରେସନର ୪ ଦିନ ପରେ ଘଟଣାସ୍ଥଳରୁ ଜାକିରର ମୃତଦେହ ଉଦ୍ଧାର ହେବା ସହ ତା’ର ମୃତ୍ୟୁ ନେଇ ସ୍ପଷ୍ଟ ହୋଇଛି । ସୁରକ୍ଷା ଏଜେନ୍ସିଗୁଡ଼ିକର ସୂଚନା ଅନୁଯାୟୀ, ଜାକିର ଗନି ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିଲା ଏବଂ ପହଲଗାମ ଆକ୍ରମଣ ପଛରେ ମଧ୍ୟ ତାର ପ୍ରମୁଖ ହାତ ଥିଲା । ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ଜୁଲାଇ ୩ ତାରିଖରେ ମିମାନ୍ଦର ଅଞ୍ଚଳର ଏକ ଘଞ୍ଚ ଜଙ୍ଗଲରେ ଲାଗିଥିବା ସର୍ଭିଲାନ୍ସ କ୍ୟାମେରାରେ ଦୁଇଜଣ ଆତଙ୍କବାଦୀଙ୍କ ଗତିବିଧି ନଜରକୁ ଆସିଥିଲା । ଏହାପରେ ଭାରତୀୟ ସେନା, ଜମ୍ମୁ-କାଶ୍ମୀର ପୁଲିସ ଏବଂ ସିଆରପିଏଫ ପକ୍ଷରୁ ସେହି ଅଞ୍ଚଳରେ ଏକ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ସେନା ଗତିବିଧି ବଢ଼ିବା ଦେଖି ଲୁଚି ରହିଥିବା ଆତଙ୍କବାଦୀ ଜାକିର ଓ ଲତିଫ୍ ପ୍ରଥମେ ଗୁଳିଚାଳନା କରିଥିଲେ । ଏହାର ଜବାବରେ ସୁରକ୍ଷାବଳ ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା ।
ଏହା ବି ପଢ଼ନ୍ତୁ... Encounter: ବରୁଇପୁର ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର, ମା' କହିଲେ କଲା କର୍ମର ଫଳ ପାଇଲା
ଆତଙ୍କବାଦୀମାନେ ଯେପରି ଘଞ୍ଚ ଜଙ୍ଗଲ ଓ ବଗିଚାର ସୁଯୋଗ ନେଇ ଫେରାର ନ ହୋଇପାରିବେ, ସେଥିପାଇଁ ସେନାର ସ୍ପେଶାଲ ଆଣ୍ଟି-ଟେରର ୟୁନିଟ୍ 'ଭିକ୍ଟର ଫୋର୍ସ'କୁ ମୁତୟନ କରାଯାଇଛି । ସେନା ଅଧିକାରୀ କହିଛନ୍ତି ଯେ, ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହୁଛନ୍ତି ଏବଂ ସେମାନେ ଖସିଯିବାକୁ ଚେଷ୍ଟା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାବଳ ପକ୍ଷରୁ ସାରା ଅଞ୍ଚଳରେ କଡ଼ା ନଜର ରଖାଯିବା ସହ ରାତିରେ ସର୍ଚ୍ଚ ଅପରେସନ ପାଇଁ ଆଲୋକର ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଏଜେନ୍ସିର ରେକର୍ଡ ଅନୁଯାୟୀ, ନିହତ ଜାକିର ଗନି ଏବଂ ତା’ର ସହଯୋଗୀ ଲତିଫ୍ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ବାସିନ୍ଦା । ଜାକିର ୨୦୨୪ ମସିହାରୁ ଲସ୍କର ସହ ଜଡ଼ିତ ଥିବାବେଳେ ଲତିଫ୍ ଗତବର୍ଷ ଏହି ସଂଗଠନରେ ସାମିଲ ହୋଇଥିଲା ।
"ବର୍ତ୍ତମାନ ସମୟରେ ଉପତ୍ୟକାରେ ଆକ୍ରମଣ ପାଇଁ ବିଦେଶୀ ଆତଙ୍କବାଦୀଙ୍କ ବ୍ୟବହାର ବଢ଼ୁଥିବା ବେଳେ, ଜାକିର ଓ ଲତିଫ୍ ଭଳି ସ୍ଥାନୀୟ ଆତଙ୍କବାଦୀଙ୍କୁ ନିପାତ କରିବା ଅତ୍ୟନ୍ତ ଜରୁରୀ ଥିଲା । ଏହାଦ୍ୱାରା ଆତଙ୍କବାଦୀଙ୍କ ସ୍ଥାନୀୟ ନେଟୱର୍କ ଦୁର୍ବଳ ହେବ ଏବଂ ସ୍ଥାନୀୟ ଯୁବକମାନଙ୍କୁ ଆତଙ୍କବାଦୀ ସଂଗଠନରେ ଭର୍ତ୍ତି ହେବାରୁ ରୋକାଯାଇପାରିବ ।" ଶୋପିଆନ ଅଞ୍ଚଳରେ ଏବେ ବି ସୁରକ୍ଷାବଳ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।