ପୁରୀ ୦୨/୦୯: ମଙ୍ଗଳବାର ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ପର୍ବ ତଥା ଶ୍ରୀମନ୍ଦିରରେ କଂସ ପ୍ରସ୍ତାବ ଅନୁଷ୍ଠିତ ହେବ । ସିଂହଦ୍ୱାର  ନିକଟରେ ରାକ୍ଷସ ରାଜା କଂସଙ୍କୁ ଶ୍ରୀକୃଷ୍ଣ ବଧ କରିବେ । ଏହି ଅବସରରେ  ପବିତ୍ର ବଡ଼ଦାଣ୍ଡ ପାଲଟିବ ମଥୁରାପୁରୀ । ଅନୁଷ୍ଠିତ ହେବ ଶ୍ରୀକୃଷ୍ଣଙ୍କ ଅପୂର୍ବ ଲୀଳା । ଲବଣିଖିଆ ମଣ୍ଡପରେ ବିଜେ ହୋଇ ଶ୍ରୀରାମକୃଷ୍ଣ ସର, ଲବଣି ଖାଇବେ ।

ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଠାକୁରଙ୍କ ଏହି ସମସ୍ତ ଲୀଳା ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀରାମକୃଷ୍ଣ ବିଜେ ହୋଇ ଠାକୁରଙ୍କ ନୀତି ହେବ । ବିମାନବଡ଼ୁମାନେ ଠାକୁରଙ୍କୁ ପାଲିଙ୍କିରେ ନେଇ ଶ୍ରୀମନ୍ଦିରରୁ ବାହାରିବେ । ବିଭିନ୍ନ ସ୍ଥାନରେ ଠାକୁରେ ବିଜେ ହୋଇ ଶ୍ରୀକୃଷ୍ଣ ଲୀଳାର ବିଭିନ୍ନ ପର୍ବ ଅନୁଷ୍ଠିତ ହେବ । ବଡ଼ଦାଣ୍ଡରେ ଅକ୍ରୂର ପ୍ରସ୍ତାବ, ରଜକ ପ୍ରସ୍ତାବ, ଧନୁଘର ପ୍ରସ୍ତାବ, ମଲ୍ଲଯୁଦ୍ଧ  ପ୍ରସ୍ତାବ ଓ ରାଜାନହର ସମ୍ମୁଖରେ କୁବ୍ଚା ଉଦ୍ଧାର ନୀତି ଆଦି ହେବ ।  ସିଂହଦ୍ୱାର ସମ୍ମୁଖରେ ପାଲିଙ୍କି ବିଜେ ହେଲେ କଂସବଧ ନୀତି ହେବ ।