ଭୁବନେଶ୍ୱର,୦୯/୧୦:  ଶୁଭ ନା ଅଶୁଭ। ଆଗକୁ ଆସୁଛି କି ବଡ଼ ବିପଦ ? କ'ଣ ସଚେତନ କଲେ କି ଲିଙ୍ଗରାଜ ମହାପ୍ରଭୁ ?  ବଜ୍ରପାତରେ ଜଳିଗଲା ଲିଙ୍ଗରାଜ ମନ୍ଦିରର ପତାକା ।  ବୁଧବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ଘଡ଼ଘଡିରେ ଶ୍ରୀଲିଙ୍ଗରାଜ  ମନ୍ଦିର ପରିସରରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।  ମୁଖ୍ୟତଃ ମନ୍ଦିର ସୁରକ୍ଷା ବ୍ୟବସ୍ଥା ପାଇଁ  ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରା ଅଚଳ  ହୋଇଯାଇଛି । ଏଥିସହ ଇନ୍‌ଭର୍ଟର ଓ ବିଦ୍ୟୁତ୍‌  ବଲ୍‌ବଗୁଡ଼ିକ ମଧ୍ୟ ଅକାମୀ ହୋଇଯାଇଛି ବୋଲି କର୍ମଚାରୀମାନେ କହିଛନ୍ତି । ସେହିପରି ବିଜୁଳି  ପ୍ରତିରୋଧ ବ୍ୟବସ୍ଥା ମଧ୍ୟ କାମ ନକରିବାରୁ ଭୟଙ୍କର ଘଡ଼ଘଡ଼ିରେ ଉଭୟ ସେବାୟତ ଓ  ଶ୍ରଦ୍ଧାଳୁ ଭୟଭୀତ ହୋଇପଡ଼ିଥିଲେ ।

ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ସୁରକ୍ଷା  ପାଇଁ ବିଭିନ୍ନ ସ୍ଥାନରେ ପ୍ରାୟ ୩୫ଟି ସିସିଟିଭି  କ୍ୟାମେରା ଲାଗିଛି । ସେଥିରୁ ମାତ୍ର ୧୨ଟି  କ୍ୟାମେରା କାମ କରୁଥିଲା । ବୁଧବାର ବଜ୍ରପାତ  ଯୋଗୁ ସବୁ କ୍ୟାମେରା ଅକାମୀ ହୋଇଯାଇଛି ।  ଏଣେ କାର୍ତ୍ତିକ ମାସ ହେତୁ ପ୍ରତ୍ୟେହ ମନ୍ଦିରରେ  ଶ୍ରଦ୍ଧାଳୁଙ୍କ ଭିଡ଼ । ବିଶେଷ କରି ସୋମବାର  ସର୍ବାଧିକ ଭିଡ଼ ହେବ । ତେଣୁ ଶୀଘ୍ର ମରାମତି  ନ ହେଲେ ଅନେକ ସମସ୍ୟା ସୃଷ୍ଟି ହେବାର  ଆଶଙ୍କା ରହିଛି । ମନ୍ଦିରର ଇନ୍‌ଭର୍ଟର ସମେତ  ସମସ୍ତ ବିଦ୍ୟୁତ୍‌ ବଲ୍‌ବ ଖରାପ ହୋଇଯାଇଥିବା  ଇଲେକ୍ଟ୍ରିସିଆନ ହେମନ୍ତ ମହାପାତ୍ର କହିଛନ୍ତି ।  ସନ୍ଧ୍ୟା ପୂର୍ବରୁ କେତେକ ବଲ୍‌ବ ମରାମତି କରି  ଠିକ୍‌ କରାଯାଇଛି । ଅବଶିଷ୍ଟ ଗୁରୁବାର ସୁଦ୍ଧା  କାମ କରାଯିବ ବୋଲି ସେ କହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଠାକାର  ବଜ୍ରପାତ ପ୍ରତିରୋଧ ବ୍ୟବସ୍ଥା ନୂଆକରି  କାମ ହୋଇଥିଲେ ସୁଦ୍ଧା ଆଦୌ ଉପଯୋଗୀ  ହୋଇପାରୁନି ବୋଲି ସେବାୟତମାନେ  କହିଛନ୍ତି ।

ସେମାନେ ଅଭିଯୋଗ କରିଛନ୍ତି  ଯେ, ଠିକାସଂସ୍ଥା ସହିତ ବୋଧହୁଏ ଭାରତୀୟ  ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)  କର୍ତ୍ତୃପକ୍ଷ ବୁଝାମଣା କରି ନିମ୍ନମାନର କାମ  କରିଛନ୍ତି। ବଜ୍ରପାତ ହେବାରୁ ଗୁମୁଟ  ଘର, ଭୋଗ ମଣ୍ଡପ, ଗର୍ଭଗୃହ, ପାର୍ବତୀ  ମନ୍ଦିରରେ ସେବାରେ ନିୟୋଜିତ ସେବାୟତ ଓ  ଶ୍ରଦ୍ଧାଳୁଙ୍କୁ ବିଦ୍ୟୁତ୍‌ ଝଟ୍‌କା ଜୋରରେ ଅନୁଭବ ହୋଇଛି । ତେଣୁ ଏହି କାମକୁ ପୁନଃ ପରୀକ୍ଷା  କରି ସଂଶୋଧନ କରିବା ନିହାତି ଆବଶ୍ୟକ ।  କ୍ଷୟକ୍ଷତି ବାବଦରେ ମନ୍ଦିର କାର୍ଯ୍ୟ ନିର୍ବାହୀ  ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ  ମହାନ୍ତି କହିଛନ୍ତି, ଆମେ ଘଟଣା ଘଟିବାର ଅଳ୍ପ  ସମୟ ମଧ୍ୟରେ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ସହ  ଆଲୋଚନା କରି ସାରିଛୁ । ଏଣେ ମନ୍ଦିର ଦାୟିତ୍ୱରେ  ଥିବା ଏଏସ୍‌ଆଇର ଜଣେ ବରିଷ୍ଠ ଅଧିକାରୀ  କହିଛନ୍ତି, ଆମେ ଆସନ୍ତାକାଲି ନିଜ ଭିତରେ  ଆଲୋଚନା କରି ବିହୀତ ପଦକ୍ଷେପ ନେବୁ ।