ପୁରୀ, ୧୮/୦୩ : ଯେତେ ଯାହା କରାଗଲେ ମଧ୍ୟ ଶ୍ରୀମନ୍ଦିର ବ୍ୟବସ୍ଥିତ ହେଲାନି । ଠାକୁରଙ୍କ ନୀତି ଅବହେଳାକୁ ତାଳ ଦେଇ ଦର୍ଶନାର୍ଥୀଙ୍କ ସମସ୍ୟା ବଢ଼ିଚାଲିଛି । ସୀମାପାର କଲାଣି ଶ୍ରୀମନ୍ଦିର ଦର୍ଶନ ଯନ୍ତ୍ରଣା । ବଡ଼ଦେଉଳ ଭିତରେ ବାହାରେ ଶ୍ରଦ୍ଧାଳୁଙ୍କ ମାଳ ମାଳ ଅସୁବିଧା । ମହିଳା ଦର୍ଶନାର୍ଥୀଙ୍କୁ ଯାଞ୍ଚ କରୁଛନ୍ତି ପୁରୁଷ ସୁରକ୍ଷା କର୍ମୀ । ଧାଡ଼ି ଜଣା ନପଡ଼ିବାରେ ଦର୍ଶନ ପାଇଁ ବୁଲି ବୁଲି ନୟାନ୍ତ ହେଉଛନ୍ତି ଶ୍ରଦ୍ଧାଳୁ । ବଡ଼ କଷ୍ଟ ସହି ଠାକୁରଙ୍କ ସମ୍ମୁଖରେ ପହଞ୍ଚିଲା ବେଳକୁ ଗର୍ଭଗୃହରେ ପ୍ରବଳ କଳାଧୂଆଁ ଯୋଗୁ ଭଲରେ ଦିଶୁନି ଠାକୁରଙ୍କ ଶ୍ରୀମୁଖ । ଠାକୁରଙ୍କ ନାମରେ ସବୁକିଛି ସହୁଥିଲେ ସୁଦ୍ଧା ଅବ୍ୟବସ୍ଥାରୁ ଦୁର୍ଦ୍ଦଶା ଭୋଗି ଅସନ୍ତୋଷ ପ୍ରକାଶ କରୁଛନ୍ତି ଶ୍ରଦ୍ଧାଳୁ ।
କାଳିଆ ସାଆନ୍ତଙ୍କ କ୍ଷଣିକ ଶ୍ରୀମୁଖ ଦର୍ଶନରେ ସକଳ ଦୁଃଖ ହରଣ ହୁଏ । ହେଲେ ଏଠାକାର ସ୍ଥିତି ଶ୍ରଦ୍ଧାଳୁଙ୍କୁ ଗଭୀର ବ୍ୟଥା ଦେଉଛି । ମୁମ୍ବାଇରୁ ଆସିଥିବା ପାୟଲ ଗାଙ୍ଗୁଲି କୁହନ୍ତି, ଧାଡ଼ିରେ ବହୁ ଠେଲାପେଲାରେ ଠାକୁରଙ୍କ ସମ୍ମୁଖକୁ ଗଲି । ଟଙ୍କା ଦେଉଥିବା ବ୍ୟକ୍ତିଙ୍କୁ ସେଠାରେ ଭଲ ଦର୍ଶନ କରାଉଛନ୍ତି । ଦର୍ଶନ ପାଇଁ ଆସୁଥିବା ବୟସ୍କ ଶ୍ରଦ୍ଧାଳୁଙ୍କ ଅବସ୍ଥା ଶ୍ରୀମନ୍ଦିର ଭିତରେ ଦେଖି ହେବନି । ଏଭଳି ସ୍ଥିତିରେ ବାପା ମା’ଙ୍କୁ ଭିତରକୁ ଛାଡ଼ିବାର ନାହିଁ । ଶ୍ରୀମନ୍ଦିର ସମ୍ମୁଖରେ ଦର୍ଶନ କରାଇ ଫେରାଇ ନେବି । ମହାରାଷ୍ଟ୍ରର ସି ପି ଚୌଧୁରୀ କୁହନ୍ତି, ଦାନଦକ୍ଷିଣା ପାଇଁ ଅନ୍ୟ ମନ୍ଦିର ଭଳି ଶ୍ରୀମନ୍ଦିରରେ ଜବରଦସ୍ତ କରାଯାଉଛି । ଧାଡ଼ି ବ୍ୟବସ୍ଥା ବୁଝି ହେଉନି । ଦୁଇ ଦୁଇ ଥର ଅଲଗା ଅଲଗା ଧାଡ଼ିରେ ପଶି ବାହାରିଲୁ । ଠାକୁରଙ୍କ ସମ୍ମୁଖରେ ପହଞ୍ଚିଲା ବେଳକୁ ଶ୍ରୀଜଗନ୍ନାଥଙ୍କୁ ଭଲରେ ଦେଖି ପାରିଲୁନି । ଠାକୁରଙ୍କ ଆସ୍ଥାନରେ ଧୂଆଁ ଭର୍ତ୍ତି ହୋଇଥିଲା । ଶ୍ରୀମନ୍ଦିର ଭିତରେ ଓ ବାହାରେ ଦର୍ଶନ ବ୍ୟବସ୍ଥା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଧାଡ଼ିରେ ଥିବା ସମୟରେ ଯଦି ଦର୍ଶନ ବନ୍ଦ ହେଲା ସେମାନଙ୍କୁ ଦର୍ଶନ ବନ୍ଦର କୌଣସି ସୂଚନା ମିଳୁନି ।
ପଣ୍ଡାଙ୍କ ସ୍ୱତନ୍ତ୍ର ଧାଡ଼ି ଜାଣି ନପାରି ଶ୍ରଦ୍ଧାଳୁ ପ୍ରବେଶ କରିଯାଉଛନ୍ତି । ଶ୍ରୀମନ୍ଦିର ଭିତରେ ଏହି ଧାଡ଼ି ମାଜଣା ମଣ୍ଡପ ତଳୁ ଲମ୍ବି ମୁକ୍ତିମଣ୍ଡପ ପାର ହୋଇ ବିମଳାଙ୍କ ମନ୍ଦିର ଛୁଉଁଛି । ତାହା କେବଳ ପଣ୍ଡା ତଥା ସେମାନଙ୍କ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ନଜାଣି ପ୍ରତିଦିନ ଶହ ଶହ ଯାତ୍ରୀ ସେଥିରେ ପଶି ଘଣ୍ଟାଏ କାଳ ଠିଆ ହୋଇ କିଛି ବାଟ ଯିବା ପରେ ଯାଞ୍ଚ ହୋଇ ତଡ଼ା ଖାଉଛନ୍ତି । ସେହିଭଳି ଉତ୍ତରଦ୍ୱାର ଓ ପଶ୍ଚିମଦ୍ୱାର ସମ୍ମୁଖ ଧାଡ଼ି ଲମ୍ବି ମିଶିଗଲେ ଶ୍ରଦ୍ଧାଳୁ ଜାଣି ନପାରି ହିନସ୍ତା ହେଉଛନ୍ତି । ଶ୍ରୀମନ୍ଦିରକୁ ମୋବାଇଲ୍ ଓ ଚମଡ଼ା ଯାତୀୟ ସମେତ ଅନେକ ଜିନିଷ ବାରଣ ରହିଛି । ସେସବୁ ଦେଖିବାକୁ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ପଣ୍ଡାଙ୍କ ଧାଡ଼ିରେ ଯାଉଥିବା ମହିଳା ଶ୍ରଦ୍ଧାଳୁଙ୍କୁ ଯାଞ୍ଚ କରୁଛନ୍ତି ପୁରୁଷ ସୁରକ୍ଷା କର୍ମୀ । ସେମାନେ କେବଳ ପର୍ସ ଓ ଭ୍ୟାନିଟି ଚେକ୍ କରୁଛନ୍ତି । କୌଣସି ପ୍ରକାରେ ମହିଳା ଶ୍ରଦ୍ଧାଳୁ ମୋବାଇଲ ଲୁଚାଇ ବଡ଼ଦେଉଳ ଭିତରକୁ ନେଉଥିଲେ କିପରି ଜଣାଯିବ! ପ୍ରଶାସକ ନିଜେ ବୁଲି ଦେଖିଲେ ଏସବୁ ସମସ୍ୟା ନଜରକୁ ଆସନ୍ତା ଓ ପ୍ରତିକାର ହୋଇପାରନ୍ତା ।
ଗର୍ଭଗୃହରେ ବରାଦି ଦୀପ ଜାଳିବାକୁ ବାରଣ କରାଗଲେ ମଧ୍ୟ ନିତି ଶତାଧିକ ଦୀପ ଦିଁଅଙ୍କ ନିକଟରେ ଜଳୁଛି । କଳା ଧୂଆଁରେ ଭରିଯାଉଛି ଗର୍ଭଗୃହ । ମଳିନ ପଡ଼ୁଛି ଶ୍ରୀବିଗ୍ରହଙ୍କ ଶ୍ରୀମୁଖ । ବୟାସାଧିକ ଭକ୍ତ ବାହାର କାଠ ନିକଟରୁ ଠାକୁରଙ୍କୁ ନିରେଖି ଦେଖିଲେ ମଧ୍ୟ କଳା ଧୂଆଁ ଯୋଗୁ ଭଲ ଦର୍ଶନ ମିଳୁନି । ସେଥିରେ ପୁଣି ବହୁ ସଂଖ୍ୟକ ସେବକ କାଠ ନିକଟରେ ଠିଆ ହୋଇ ଆମଦାନୀରେ ଲାଗିଯିବାରେ ଦର୍ଶନ ଆଢ଼ୁଆଳ ହେଉଛି । ହଜାର ହଜାର ଭକ୍ତ ଏହି କାରଣରୁ ଠାକୁରଙ୍କୁ ଭଲରେ ନଦେଖି ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ସେହିଭଳି କୋଠ ଭୋଗରେ ଯେତିକି ଭୋଗ ବଢ଼ାଯିବ ଧାର୍ଯ୍ୟ ଥିଲେ ମଧ୍ୟ ଏହାକୁ ପାଳନ କରାଯାଉନି । କୋଠ ଭୋଗରେ ଅଧିକ ଭୋଗ ବଢ଼ାହେବାରେ ସେଥିରୁ ଧୂଆଁ ବାହାରି ଆହୁରି କଳା ପଡ଼ୁଛି ଗର୍ଭଗୃହ ଓ ନିକଟସ୍ଥ ରୁପା ଛାଉଣି ହୋଇଥିବା କଳାହାଟ ଦ୍ୱାର । ଶ୍ରୀମନ୍ଦିର ଭିତର ବିଶୃଙ୍ଖଳା ରୋକିବାକୁ କେହି ଉଚିତ ମଣୁ ନାହାନ୍ତି । ଏନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ତଥା ଅତିରିକ୍ତ ଏସ୍ପି ହେମନ୍ତ କୁମାର ପାଢ଼ୀ କୁହନ୍ତି, ଯାଞ୍ଚ ପାଇଁ ଧାଡ଼ିରେ ମହିଳା ଜେଟିପି ମୁତୟନ ହୋଇଛନ୍ତି । ଆକସ୍ମିକ ଆବଶ୍ୟକତାରୁ ହୁଏତ କେହି କୁଆଡ଼େ ଯାଇଥାଇପାରନ୍ତି । ଆଗକୁ ଦର୍ଶନାର୍ଥୀଙ୍କ ସୁବିଧା ପାଇଁ ବ୍ୟବସ୍ଥା କରାଯାଉଛି । ବାରିକେଡ଼୍ରେ ଅପେକ୍ଷାରତ ଦର୍ଶନାର୍ଥୀଙ୍କୁ ଶ୍ରୀମନ୍ଦିର ବ୍ୟବସ୍ଥା ନେଇ ସୂଚନା ଦିଆଯିବ । ଖୁବ୍ଶୀଘ୍ର ବାରିକେଡ଼୍ରେ ଛୋଟ ଛୋଟ ବକ୍ସ ଓ ଏଲ୍ଇଡ଼ି ଲାଗିବ । ସେଥିରେ ନୀତି ବାବଦରେ ସୂଚନା ମିଳିଲେ ଭକ୍ତମାନେ ଆଉ ଧୈର୍ଯ୍ୟଚ୍ୟୁତ ହେବେ ନାହିଁ । ବରଂ ଶ୍ରୀମନ୍ଦିରରେ ପ୍ରଚଳିତ ନିୟମ ନେଇ ଅବଗତ ହେବେ ।
ଏହି ଖବରଟିକୁ ପଢନ୍ତୁ- ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ