ପୁରୀ,୧୦/୦୩ ଫଗୁ ଦଶମୀ  ଅବସରରେ ରବିବାର ଶ୍ରୀମନ୍ଦିରରେ ଦୋଳୋତ୍ସବର ଶୁଭାରମ୍ଭ ହୋଇଛି ।  ରତ୍ନସିଂହାସନରେ ଶ୍ରୀବିଗ୍ରହଙ୍କ ଚାଚେରୀ ବେଶ ଅନୁଷ୍ଠିତ ହୋଇଥିଲା । ଶ୍ରୀପଦରୁ ତ୍ରିମୁଣ୍ଡି ଲାଲ୍‌ ବସ୍ତ୍ରରେ ସୁଶୋଭିତ ହୋଇଥିଲେ ଦାରୁଦିଅଁ । ଲାଗି ହୋଇଥିଲେ ବହୁମୂଲ୍ୟ ଅଳଙ୍କାର । ବେଶରେ ଥାଇ ଠାକୁରଙ୍କୁ ଝିମିରି ଫଗୁ ଲାଗି କରାଯାଇଥିଲା । ଏଥିସହ  ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଜଗନ୍ନାଥବଲ୍ଲଭ ମଠରେ ବିଜେ ହୋଇ ଦୋଳୋତ୍ସବ ନୀତି ସମ୍ପନ୍ନ ହୋଇଥିଲା । ଦିଅଁ ବିଜେ ସମୟରେ ବଡ଼ଦାଣ୍ଡରେ  ପୁଷ୍ପ ବୃଷ୍ଟି କରାଯାଉଥିବାର ଅପୂର୍ବ  ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଶ୍ରୀମନ୍ଦିର ରୀତିନୀତି କ୍ରମେ ପାଳିଆ ।  ସିଂହାରୀ ତଥା ପୁଷ୍ପାଳକ ସେବକମାନେ ଶ୍ରୀବିଗ୍ରହଙ୍କୁ ବେଶ  କରିଥିଲେ । ପୂଜାପଣ୍ଡା  ସାମନ୍ତ ଚାଚେରୀ ଭୋଗ  କରିଥିଲେ । ପରେ ପୂଜାପଣ୍ଡା,  ପତିମହାପାତ୍ର ଓ ମୁଦିରସ୍ତ ଘଣ୍ଟ  ଛତା ଓ କାହାଳି ସହ ଚନ୍ଦନ ଓ ଫଗୁ  ହସ୍ତରେ ଆଣି ତିନି ବାଡ଼ରେ ଲାଗି  ସହ ବନ୍ଦାପନା କରିଥିଲେ । ମୁଦିରସ୍ତ  ସେବକ ରତ୍ନସିଂହାସନ ତଳେ ଥାଇ ତିନି  ବାଡ଼ରେ ଝିମିରି ଫଗୁ ଅଞ୍ଜଳି କରିଥିଲେ । 

ଏଥିସହ  ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ ଓ  ଭୂଦେବୀଙ୍କ ସମେତ  ତିନି ଠାକୁରଙ୍କୁ  ଚାଚେରୀ ବେଶରେ  ସୁଶୋଭିତ କରାଯାଇଥିଲା । ସେଠାରେ ଫଗୁ, ଚନ୍ଦନ, ପ୍ରସାଦ  ଲାଗି ହୋଇ ବନ୍ଦାପନା ଓ ଆଲଟ  ଚାମର ନୀତି ବଢ଼ିଥିଲା । ପରମ୍ପରାକ୍ରମେ  ତିନି ଠାକୁରଙ୍କ ପ୍ରଭା ଉପରକୁ ଫଗୁ  ଫିଙ୍ଗାଯାଇଥିଲା । ପରେ ସୁସଜ୍ଜିତ  ବିମାନରେ ଠାକୁରଙ୍କୁ ନେଇ ବିମାନବଡ଼ୁ  ସେବକ ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ବଲ୍ଲଭ  ମଠରେ ପହଞ୍ଚିଲେ । ସେଠାରେ ଦିଅଁଙ୍କ  ଫଗୁ ଅଞ୍ଜଳି, ପ୍ରସାଦ ଲାଗି, ବନ୍ଦାପନା,  ଚାମର ଓ ପନ୍ତି ଭୋଗ ନୀତି ସମ୍ପନ୍ନ ହେଲା । ଏହି ଅବସରରେ ଭଗବାନଙ୍କ  ଲାଗି ଫଗୁ ଆଣି ଭକ୍ତମାନେ ନିଜ ଅଙ୍ଗରେ  ଲଗାଇ ଭଗବତ୍‌ କୃପା ଲାଭ କରିଥିଲେ ।  

ମଠ ନୀତି ସମ୍ପନ୍ନ ପରେ ଠାକୁର  ଠାକୁରାଣୀ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ  କରିଥିଲେ । ଦଶମୀ ତିଥିଠାରୁ  ତ୍ରୟୋଦଶୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କର  ଚାଚେରୀ ବେଶ ଅନୁଷ୍ଠିତ ହେବ ।  ଠାକୁରେ ଜଗନ୍ନାଥ ବଲ୍ଲଭ ମଠକୁ ଯାତ୍ରା  କରି ଦୋଳ ଯାତ୍ରା ବିଧି ପାଳନ ହେବ ।