ପୁରୀ,୨୩/୦୨: ଶ୍ରୀମନ୍ଦିରରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ ଜୈବିକ ଖତ ଓ ବାୟୋଗ୍ୟାସ୍‌ । ମାଳତିପାଟପୁରଠାରେ ଏଥିନିମନ୍ତେ ପ୍ରତିଷ୍ଠା କରାଯାଉଛି ବାୟୋପ୍ଲିକ୍ସ ପ୍ଲାଣ୍ଟ । ଏହି ପ୍ଲାଣ୍ଟ ନିର୍ମାଣ ଚୂଡ଼ାନ୍ତ ସ୍ଥିତିରେ ପହଞ୍ଚିଛି ।  ଏନେଇ ଶନିବାର ଏକ୍ସରେ ସୂଚନା ଦେଇଛନ୍ତି  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । 




ଶ୍ରୀମନ୍ଦିରରୁ ଦୈନିକ ଠାକୁରଙ୍କ ବ୍ୟବହାର  ପରେ ବାହାରୁଥିବା ପୂଜା ଫୁଲ, ତୁଲସୀ, ବ୍ୟବହୃତ  ଅନୁପଯୋଗୀ ମହାପ୍ରସାଦ, ନଡ଼ିଆ କତା, କଦଳୀ ପତ୍ର ସମେତ ରୋଷଘରୁ ବାହାରୁଥିବା ପରିବା  ଚୋପା ପ୍ରଭୃତି ବ୍ୟବହାର କରାଯାଇ ଏହି  ଜୈବିକ ଖତ ଓ ବାୟୋଗ୍ୟାସ୍‌ ପ୍ରସ୍ତୁତ କରାଯିବ ।  ପିଜିସିଆଇଏଲ୍‌ ଇଣ୍ଡିଆ ସହାୟତାରେ ଏହି ପ୍ଲାଣ୍ଟ  ମାଳତିପାଟପୁରଠାରେ ପ୍ରତିଷ୍ଠା କରାଯାଇଛି ।  ପ୍ରକଳ୍ପ କାମ ଶେଷ ହେବା ସ୍ଥିତିରେ ରହିଛି । ଦୈନିକ ପ୍ରାୟ ୩ଟନ୍‌ ବର୍ଜ୍ୟବସ୍ତୁ ପରିଚାଳନା  କ୍ଷମତା ଏହି ପ୍ଲାଣ୍ଟର ରହିଛି । ପ୍ରକଳ୍ପ ଅଗ୍ରଗତି ନେଇ  ଏଠାକୁ ପରିଦର୍ଶନ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ  ପ୍ରଶାସକ । ଏଠାରେ ମୁତୟନ ଯନ୍ତ୍ରୀ ଓ କର୍ମଚାରୀଙ୍କ  ସହ ପ୍ରକଳ୍ପ ସ୍ଥିତି ନେଇ ଆଲୋଚନା କରିଥିଲେ ।  ଏହାର ଫଟୋ ଡ. ପାଢ଼ୀ ଏକ୍ସରେ ପୋଷ୍ଟ କରିଛନ୍ତି । ଏପର୍ଯ୍ୟନ୍ତ ଶ୍ରୀମନ୍ଦିରରୁ କୌଣସି ବର୍ଜବସ୍ତୁ  ଏଠାକୁ ଯାଇନି । ପ୍ଲାଣ୍ଟ ନିର୍ମାଣ କାମ ଶେଷ ପରେ ବର୍ଜ୍ୟବସ୍ତୁ ଏଠାକୁ ଯିବ ବୋଲି ଜଣାପଡ଼ିଛି । ଏଠାରେ  ପ୍ରସ୍ତୁତ ଜୈବିକ ଖତ ଚାଷୀଙ୍କ କାମରେ ଆସିବ ।  ବାୟୋଗ୍ୟାସ୍‌ ଶ୍ରୀମନ୍ଦିର ଓ ଲୋକଙ୍କ ବ୍ୟବହାରରେ  ଆସିବ । ଶ୍ରୀମନ୍ଦିରରୁ ବାହାରୁଥିବା ବର୍ଜ୍ୟବସ୍ତୁ  ବାୟୋମାଇନ୍‌ ଜରିଆରେ ନ୍ୟାଚୁରାଲ୍‌ ଗ୍ୟାସ୍‌ ଓ  ଜୈବିକ ଖତ ହେବ । ଜୈବିକ ଖତ ଶ୍ରୀମନ୍ଦିରରେ  ଉପବନ ନିମନ୍ତେ ବ୍ୟବହାର ହେବ । ବାୟୋଗ୍ୟାସ୍‌  ବା ରନ୍ଧନ ଉପଯୋଗୀ ଗ୍ୟାସ୍‌କୁ ଶ୍ରୀମନ୍ଦିରରେ କିମ୍ବା  କ୍ୟାଣ୍ଟିନ୍‌ରେ ରୋଷେଇ ନିମନ୍ତେ ବ୍ୟବହାର ହେବ ।  ଏପରି ଭାବେ ଉଦ୍ୟାନର ଫୁଲ, ଚାଷ ଜମିର  ପରିବା ଓ ରୋଷ ଘର ବର୍ଜ୍ୟବସ୍ତୁ ରିସାଇକେଲିଂ  ପ୍ରକ୍ରିୟାରେ ପୁନଶ୍ଚ ଉଦ୍ୟାନ, ଚାଷ ଜମି ଓ  ରୋଷ ଘରେ ପୁନଶ୍ଚ ବ୍ୟବହାର ହୋଇପାରିବ । 

ଶ୍ରୀମନ୍ଦିରରୁ ବାହାରୁଥିବା ଆବର୍ଜନା ଏପର୍ଯ୍ୟନ୍ତ  ଉତ୍ତମ ପରିଚାଳନା ହୋଇପାରିନି । ଉତ୍ତର ପାଶ୍ୱର୍  ଓ ଦକ୍ଷିଣ ପାଶ୍ୱର୍ ପରିକ୍ରମା ମାର୍ଗରେ ଶ୍ରୀମନ୍ଦିରରୁ  ବାହାରୁଥିବା ଆବର୍ଜନା ଡମ୍ପିଂୟାଡ୍‌ ଭଳି ଗଦା ହେଉଛି । ଗନ୍ଧରେ ନାକ ଫାଟୁଛି । ନର୍ଦ୍ଦମା ପାଣି  ଭିତର ପରିକ୍ରମା ମାର୍ଗରେ ଭାସୁଛି । ଶ୍ରଦ୍ଧାଳୁ  ଖରାପ ଅନୁଭୂତି ନେଇ ଫେରୁଛନ୍ତି । ହେଲେ  ଅବଢ଼ା ଯୋଜନାରେ ଶ୍ରୀମନ୍ଦିରରୁ ବାହାରୁଥିବା  ଆବର୍ଜନାକୁ ସୁରକ୍ଷିତ ପରିଚାଳନା ନିମନ୍ତେ ହେବାକୁ  ଥିବା ପ୍ରକଳ୍ପ କାମ ଏପର୍ଯ୍ୟନ୍ତ ସରିପାରିଲା ନାହିଁ ।