ପୁରୀ,୦୭/୧୧: ଶ୍ରୀମନ୍ଦିର ସୁପରଭାଇଜର ବକ୍ସି ରାମଚନ୍ଦ୍ର  ପ୍ରତିହାରୀଙ୍କୁ ଅକ୍ଟୋବର ୧୮  ତାରିଖରେ ହୋଇଥିବା ଆକ୍ରମଣ  ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ସେବାୟତଙ୍କୁ ନିଲମ୍ବନ କରିଛନ୍ତି  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ନିଲମ୍ବିତ ସେବାୟତ ଅମ୍ରିତ୍ରାଂଶୁ ସାମନ୍ତରାୟଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ବାରଣ  କରାଯାଇଛି । ପୂର୍ବରୁ ମଧ୍ୟ ଆକ୍ରମଣ ଘଟଣାରେ ଅନ୍ୟଜଣେ ସେବାୟତ  ତାଙ୍କ ଭାଇ ସୁମନ ସାମନ୍ତରାୟ ଓରଫ ଚନ୍ଦନଙ୍କୁ ପୂର୍ବରୁ ନିଲମ୍ବନ କରାଯାଇଥିଲା ।  

ଶ୍ରୀମନ୍ଦିରରେ ଏହି  ଦୁଇ ସେବାୟତଙ୍କର ଏକ ଭୋଗ  ଦୋକାନ ରହିଛି । ସେମାନଙ୍କ ଭୋଗ  ଦୋକାନରେ ଅମୁଣିଆ ଖିରା ବିକ୍ରିକୁ ରାମଚନ୍ଦ୍ର ବିରୋଧ କରଥିଲେ ।  ତେବେ ଏହି ସେବାୟତଙ୍କ  ପ୍ରରୋଚନାରେ ସେମାନଙ୍କ ଭୋଗ  ଦୋକାନରେ କାମ କରୁଥିବା ଦୁର୍ବୃତ୍ତ ଜଣକ ରାଗ ରଖି ପଶ୍ଚିମ ଦ୍ୱାର  ପରିକ୍ରମାରେ ରାମଚନ୍ଦ୍ରଙ୍କୁ ଭୁଜାଲିରେ  ଆକ୍ରମଣ କରିଥିଲେ । ଗୁରୁତର  ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି  ଘଟଣାରେ ସେବାୟତଙ୍କ ସମ୍ପୃକ୍ତି  ଜଣାପଡ଼ିଥିଲା । ପୁଲିସର ତଦନ୍ତ  ରିପୋର୍ଟ ଓ ଗିରଫଦାରୀକୁ ଆଧାର  କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ବିଶୃଙ୍ଖଳାକାରୀ ସେବାୟତଙ୍କ  ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ  ନେଇଛନ୍ତି । ଏହି ମାମଲାରେ ସମ୍ପୃକ୍ତ  ଏହି ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ  ଗିରଫ କରି ଜେଲ୍‌ ପଠାଇଛି ।