ପୁରୀ ୧୫/୧୨: ପୁରୀରେ ରହିଛି ବିଶାଳ ବାଲୁଖଣ୍ଡ ଜଙ୍ଗଲ । ବନ୍ୟପ୍ରାଣୀ ରହୁଥିବା ଏହି ଘଞ୍ଚ ଜଙ୍ଗଲ ଓ ଗ୍ରାମ୍ୟ ଜଙ୍ଗଲ ପରିମାଣ ପ୍ରାୟ ୧୮ ହଜାର ୧୭୫ ହେକ୍ଟର । ରାଜ୍ୟରେ ରହିଛି ୫୨ ହଜାର ୧୫୬ ବର୍ଗ କିଲୋମିଟର ଜଙ୍ଗଲ । ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ କାଠ ଚାହିଦା ମେଣ୍ଟାଇବାକୁ ରାଜ୍ୟର ଏହି ବିଶାଳ ଜଙ୍ଗଲ ଅସମର୍ଥ । ସରକାରଙ୍କ ଦାୟିତ୍ୱହୀନତାରୁ ବିଶାଳ ଜଙ୍ଗଲରେ ଆବଶ୍ୟକତା ମୁତାବକ ଚନ୍ଦନ ଗଛ ଲଗାଯାଉନି । ରଥ ନିର୍ମାଣ ନିମନ୍ତେ ଆବଶ୍ୟକ କାଠ ଯୋଗାଇବାରେ ଦାୟିତ୍ୱରେ ଥିବା ଜଗନ୍ନାଥ ବନ ପ୍ରକଳ୍ପ ବିଫଳ ହୋଇଥିବା ବେଳେ ଚନ୍ଦନ କାଠ ନେଇ ଏହି ଉଦ୍‌ବେଗଜନକ ସ୍ଥିତି ସାମ୍ନାକୁ ଆସିଛି । ଫଳରେ ପ୍ରତିବର୍ଷ ମହାପ୍ରଭୁଙ୍କ ଚନ୍ଦନ କାଠ ଆବଶ୍ୟକତା ମେଣ୍ଟାଇବାକୁ ରାଜ୍ୟ ସରକାର ତଥା ଶ୍ରୀମନ୍ଦିର ପ୍ରଶାସନକୁ ତାମିଲନାଡ଼ୁ କିମ୍ବା କର୍ଣ୍ଣାଟକ ସରକାରଙ୍କ ନିକଟରେ ହାତ ପାତିବାକୁ ପଡ଼ୁଛି । 

ମହାପ୍ରଭୁଙ୍କ ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ବାର୍ଷିକ ହାରାହାରି ୨.୬୦ କୁଇଣ୍ଟାଲ ଚନ୍ଦନକାଠ ଦରକାର । ଚନ୍ଦନ କାଠ ଆବଶ୍ୟକତା ମେଣ୍ଟାଇବା ନେଇ ଚଳିତ ବିଧାନସଭାରେ ମଧ୍ୟ ପ୍ରଶ୍ନ ଆସିଥିଲା । ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆବଶ୍ୟକତା ପୂରଣ ନିମନ୍ତେ ବାର୍ଷିକ କେତେ ଚନ୍ଦନ କାଠର ଆବଶ୍ୟକତା ପଡ଼ୁଛି ଓ ରାଜ୍ୟରେ କେତେ ଚନ୍ଦନ ଗଛ ସରକାର ରୋପଣ କରିଛନ୍ତି ବୋଲି ସତ୍ୟବାଦୀ ବିଧାୟକ ଓମ୍‌ପ୍ରକାଶ ମିଶ୍ର ପ୍ରଶ୍ନ କରିଥିଲେ । ଚନ୍ଦନ କାଠ ଚାହିଦା ପୂରଣ ପାଇଁ ସରକାର କି ପଦକ୍ଷେପ ଗ୍ରହଣ କରିବେ ବୋଲି ଜଙ୍ଗଲ ମନ୍ତ୍ରୀଙ୍କୁ ପଚାରିଥିଲେ । ଲିଖିତ ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଜଣାଇଥିଲେ, ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିତ୍ୟ ଦେବନୀତି ନିମନ୍ତେ ବାର୍ଷିକ ହାରାହାରି ୨.୬୦ କୁଇଣ୍ଟାଲ ଚନ୍ଦନ କାଠ ଆବଶ୍ୟକତା ରହିଛି । ଏହାବାଦ ରାଜ୍ୟର ବିଭିନ୍ନ ଜଗନ୍ନାଥ ମନ୍ଦିର, ଅନ୍ୟାନ୍ୟ ଦେବଦେବୀ ମନ୍ଦିର ତଥା ଘରୋଇ ବ୍ୟବହାର ପାଇଁ ବାର୍ଷିକ ଚନ୍ଦନ କାଠର ଆବଶ୍ୟକତା ବିଷୟରେ ବନ ବିଭାଗ ପାଖରେ ତଥ୍ୟ ନାହିଁ । ଓଡ଼ିଶାର ବନ ବିଭାଗ ଦ୍ୱାରା କୌଣସି ବନଖଣ୍ଡରେ ଚନ୍ଦନ ଗଛ ରୋପଣ କାର୍ଯ୍ୟକ୍ରମ କରାଯାଉନାହିଁ ବୋଲି ମନ୍ତ୍ରୀ ଲିଖିତ ଉତ୍ତରରେ କହିଥିଲେ ।

ଶ୍ରୀଜଗନ୍ନାଥ ସଂସ୍କୃତିର ବରିଷ୍ଠ ଗବେଷକ ଭାସ୍କର ମିଶ୍ର କହିଛନ୍ତି, କିଛି ଭକ୍ତଙ୍କ ଠାରୁ ବ୍ୟକ୍ତିଗତ ଭାବେ ଖୁବ୍‌ କମ୍‌ ପରିମାଣର ଚନ୍ଦନ କାଠ ଶ୍ରୀମନ୍ଦିରକୁ ଦାନରେ ମିଳୁଛି । ଓଡ଼ିଶାରେ ମହାପ୍ରଭୁଙ୍କ ଆବଶ୍ୟକତା ମୁତାବକ ଚନ୍ଦନ କାଠ ମିଳୁ ନଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପୂର୍ବରୁ ତାମିଲନାଡ଼ୁରୁ ଚନ୍ଦନ କାଠ ଆଣୁଥିବା ବେଳେ ଏବେ କର୍ଣ୍ଣାଟକରୁ ଆଣୁଛି । ଚନ୍ଦନ କାଠ କିଲୋ ପ୍ରତି ୨୩ ହଜାର ଟଙ୍କାରୁ ଅଧିକ ମୂଲ୍ୟ ଦେଇ କିଣାଯାଏ । ପ୍ରତିବର୍ଷ ଚନ୍ଦନ କାଠ ଆଣିବା କଷ୍ଟକର ହୋଇଥିବାରୁ ଏକକାଳୀନ ପ୍ରାୟ ୪ରୁ ୫ବର୍ଷର ଆବଶ୍ୟକତା ମୁତାବକ ଚନ୍ଦନ କାଠ ଗାଡ଼ି କିମ୍ବା ଟ୍ରେନ୍‌ ଯୋଗେ ଅଣାଯାଉଛି । ପ୍ରତିଥର ୭ରୁ ୮ କୁଇଣ୍ଟାଲ ଚନ୍ଦନ କାଠ ଅଣାଯାଉଛି । ୧୯୯୬ରେ ତାମିଲନାଡ଼ୁର ସାଲେମ୍‌ ଡିପୋରୁ ଚନ୍ଦନ କାଠ ଅଣାଯାଇଥିଲା । ପରେ କର୍ଣ୍ଣାଟକ ହାସନ୍‌ରୁ ମହୀଶୂର ଚନ୍ଦନ କାଠ ଅଣାଯାଉଛି ।

ଶ୍ରୀଜଗନ୍ନାଥ ମନ୍ଦିର ପୂର୍ବତନ ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ସେବାୟତ ମାଧବ ଚନ୍ଦ୍ର ପୂଜାପଣ୍ଡା କହିଛନ୍ତି, ରାଜ୍ୟରେ ଭଲ ଚନ୍ଦନ କାଠ ନାହିଁ । ରାଜ୍ୟ ଭିତରୁ ମିଳୁଥିବା ଚନ୍ଦନ କାଠ ଘୋରିଲେ ଭଲ ବାସ୍ନା ଆସୁନି । ଘୋରିଲେ ଖଦଡ଼ା ଅଂଶ ବାହାରୁଛି । ତେଣୁ ଶ୍ରୀମନ୍ଦିର ପ୍ରଶାସନ ବାହାର ରାଜ୍ୟରୁ ଚନ୍ଦନ କାଠ ଆମଦାନି କରୁଛି । ସରକାର ଏହାକୁ ଲକ୍ଷ୍ୟରେ ରଖି ରାଜ୍ୟ ଭିତରେ ଭଲ ଚନ୍ଦନ କାଠ ଉତ୍ପାଦନ ନିମନ୍ତେ ପ୍ରୟାସ କଲେ ଭଲ ହୁଅନ୍ତା । ସେପଟେ ପ୍ରତିବର୍ଷ ରଥଯାତ୍ରା ବେଳେ ଚନ୍ଦନ କାଠ ଓ ରଥ କାଠ ଆବଶ୍ୟକତା ମେଣ୍ଟାଇବାରେ ରାଜ୍ୟ ସରକାର ପଦକ୍ଷେପ ନେଉନଥିବା ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଅଭିଯୋଗ ହୋଇଆସୁଛି । ହେଲେ ସରକାର ଏହାକୁ ଗମ୍ଭୀରତାର ସହ ନେଉ ନଥିବା ପରିବେଶବିତ୍‌ ବଦ୍ରି ମିଶ୍ର ଅଭିଯୋଗ କରିଛନ୍ତି । ଏ ସଂପର୍କରେ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ କହିଛନ୍ତି, ଶ୍ରୀମନ୍ଦିରକୁ ଏହା କିପରି ରାଜ୍ୟ ଭିତରୁ ସୁବିଧାରେ ମିଳିପାରିବ ସରକାର ସେ ଦିଗରେ ବିଚାର କରି ପଦକ୍ଷେପ ନେବେ ।