ମୁମ୍ୱାଇ : ଉକ୍ତ ଖବରଟି ବର୍ତ୍ତମାନ ସଙ୍ଗୀତ ଦୁନିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ବଲିଉଡର ଦୁଇ ସୁପରଷ୍ଟାର ଗାୟକ ଶ୍ରେୟା ଘୋଷାଲ ଏବଂ ଅରିଜିତ ସିଂହଙ୍କୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ବଲିଉଡର ସୁମଧୁର କଣ୍ଠଶିଳ୍ପୀ ଅରିଜିତ ସିଂହ ନିକଟରେ ନିଜର ଅବସରକୁ ନେଇ ଦେଇଥିବା ବୟାନ ସଙ୍ଗୀତ ପ୍ରେମୀଙ୍କୁ ଚକିତ କରି ଦେଇଛି। କିନ୍ତୁ ଏହି ଘଟଣାରେ ଅନ୍ୟତମ ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି, ତାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ଜାନୁଆରୀରେ ଗାୟକ ଅରିଜିତ ସିଂହ ଟ୍ୱିଟରରେ ଏକ ପୋଷ୍ଟ ମାଧ୍ୟମରେ ନିଜର ବିରତ ନେବାର ଘୋଷଣା କରିଥିଲେ । ଏହି ନିଷ୍ପତ୍ତିରେ ସଙ୍ଗୀତ ଜଗତରେ ହଇଚଇ ସୃଷ୍ଟି ହୋଇଛି , ହେଲେ ଅନେକ ସାଥି ସଙ୍ଗୀତକାର ତାଙ୍କର ଏହି ନିଷ୍ପତ୍ତିର ପ୍ରଶଂସା କରିଛନ୍ତି। ଏବେ ଗାୟିକା ଶ୍ରେୟା ଘୋଷାଲ ତାଙ୍କର ଅବସର ଉପରେ ବିଚାର ସେୟାର କରିଛନ୍ତି।

ଏବିପି ନ୍ୟୁଜ୍ ସହ କଥାବାର୍ତ୍ତାରେ ଶ୍ରେୟା କହିଛନ୍ତି – ମୋତେ ମଧ୍ୟ କେବେ କେବେ ବ୍ରେକ୍ ନେବାକୁ ଇଚ୍ଛା ହେଉଛି। ସେ ଏହି ନିଷ୍ପତ୍ତି ଖୁବ୍ ସାହସର ସହ ନେଇଛନ୍ତି... ସେ ହୃଦୟରେ ସଙ୍ଗୀତକାର। ସେ ଏହା ଭାବନ୍ତି ନାହିଁ ଯେ, ସଙ୍ଗୀତ କାହିଁକି ତିଆରି କରୁଛନ୍ତି କିମ୍ୱା ଏଥିରୁ ତାଙ୍କୁ କଣ ମିଳିବ। ସେ କେବଳ ତାହା କରନ୍ତି , ଯେଉଁଥିରୁ ତାଙ୍କୁ ଖୁସି ମିଳେ।

ଏହି ପ୍ରସଙ୍ଗରେ ଶ୍ରେୟା ଘୋଷାଲ ଅରିଜିତଙ୍କୁ ପ୍ରଶଂସା କରି କହିଛନ୍ତି, ଏହା ତାଙ୍କର ଏକ ସାହସିକ ନିଷ୍ପତ୍ତି। ଶ୍ରେୟାଙ୍କ ମତରେ, କ୍ୟାରିୟରର ଶୀର୍ଷରେ ଥାଇ ଅବସର ବା ବିରତି ନେବା ପାଇଁ ବହୁତ ବଡ଼ କଲିଜା ଦରକାର। ଅରିଜିତଙ୍କ ଏହି ନିଷ୍ପତ୍ତି ଅତ୍ୟନ୍ତ ସାହସିକ। ଶ୍ରେୟା କହିଛନ୍ତି ଯେ, ଜଣେ କଳାକାର ଉପରେ ସବୁବେଳେ ଭଲ କରିବାର ଚାପ ଥାଏ। ସେଥିପାଇଁ ମଝିରେ ମଝିରେ ବ୍ରେକ୍ ନେବା ଜରୁରୀ।

ଆଶ୍ଚର୍ଯ୍ୟଜନକ ଭାବେ ଶ୍ରେୟା ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ବେଳେବେଳେ ତାଙ୍କୁ ମଧ୍ୟ କାମରୁ ବିରତି ନେଇ କିଛି ଦିନ ନିଜ ପାଇଁ ବଞ୍ଚିବାକୁ ଇଚ୍ଛା ହୁଏ। ଲଗାତାର ରେକର୍ଡିଂ ଏବଂ ଟୁର ମଧ୍ୟରେ ଆମେ ନିଜକୁ ହଜାଇ ଦେଉ। ଅରିଜିତ ଯାହା ଭାବୁଛନ୍ତି, ସେଇଟା ଅନେକ ସମୟରେ ମୋ ମନକୁ ମଧ୍ୟ ଆସେ ବୋଲି ଶ୍ରେୟା କହିଛନ୍ତି।

ଯଦିଓ ଅରିଜିତ ସିଂହ ଏବଂ ଶ୍ରେୟା ଘୋଷାଲ ବଲିଉଡର ଦୁଇଟି ମୁଖ୍ୟ ସ୍ତମ୍ଭ, ସେମାନଙ୍କର ଏହି 'ବ୍ରେକ୍' ନେବା କଥା ଶୁଣି ପ୍ରଶଂସକମାନେ ଟିକେ ମର୍ମାହତ ହୋଇଛନ୍ତି। ତେବେ ଅଧିକାଂଶ ଲୋକ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଏବଂ ନିଜସ୍ୱ ସମୟକୁ ଗୁରୁତ୍ୱ ଦେବା ନିଷ୍ପତ୍ତିକୁ ସ୍ୱାଗତ ମଧ୍ୟ କରିଛନ୍ତି।

ଆହୁରି ମଧ୍ୟ ପଢନ୍ତୁ : ରାଜନୀତିରେ ଏଣ୍ଟ୍ରୀ କରିବେ ଅରିଜିତ ସିଂହ, ନିଜର ଦଳ କରି ଲଢିବେ ନିର୍ବାଚନ !