ନୂଆଦିଲ୍ଲୀ,୨୨/୦୩ : ଆଇପିଏଲ କାଉଣ୍ଟଡାଉନ । ଆଉ କିଛି ଘଣ୍ଟାର ଅପେକ୍ଷା । ଆଜିଠୁ ଆରମ୍ଭ ହେବ ଲୋକପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସଂସ୍କରଣ । ଡିଫେଣ୍ଡି ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସର ପୂର୍ବତନ ଅଧିନାୟକ ଶ୍ରେୟାସ ଆୟର ଚଳିତ ସିଜନରେ ପଞ୍ଜାବ କିଙ୍ଗସର ନେତୃତ୍ବ ନେଇଛନ୍ତି । ପଞ୍ଜାବ ସହ ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ଆଇପିଏଲ ଅଧିନାୟକତ୍ବ ଯାତ୍ରାରେ ଆୟରଙ୍କ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି ।
ରୋହିତ-କୋହଲିଙ୍କଠୁ ଆଗରେ- ପୂର୍ବ ଆଇପିଏଲ ସିଜନରେ ଶ୍ରେୟାସ ଆୟରଙ୍କ ନେତୃତ୍ବରେ କୋଲକାତା ନାଇଟ ରାଇଡର୍ସ ଚାମ୍ପିଅନ ହୋଇଥିଲା । ଏଥର ସେ ପଞ୍ଜାବ କିଙ୍ଗସର କମାଣ ସମ୍ଭାଳିଛନ୍ତି । ଆଇପିଏଲରେ ଆୟରଙ୍କ ଅଧିନାୟକତ୍ବରେ ଦମଦାର ରେକର୍ଡ ରହିଛି । ଯାହା ରୋହିତ ଶର୍ମା, ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କଠୁ ବି ଉନ୍ନତ । ଆଇପିଏଲରେ ଅତିକମରେ ୫୦ ମ୍ୟାଚରେ କ୍ୟାପ୍ଟେନ୍ସି କରିଥିବା ଆୟର ଜିତିବା ହାରିବା ହାର ୧.୩୧ ଅନୁପାତ ରହିଛି । ସେ ତୃତୀୟ ସ୍ଥାନରେ ରହିଛନ୍ତି । ଏବେ ସୁଦ୍ଧା ୭୦ ମ୍ୟାଚର ନେତୃତ୍ବ ନେଇ ୩୮ଟି ଜିତିଛନ୍ତି । ୨୯ଟି ମ୍ୟାଚ ହାରିଛନ୍ତି । ସେ ଦିଲ୍ଲୀ କ୍ୟାପିଟାଲ୍ସକୁ ମଧ୍ୟ ଫାଇନାଲରେ ପହଞ୍ଚାଇଥିଲେ । ଏହି ରେକର୍ଡ ବଳରେ ସେ ୫ଥର ଟ୍ରଫି ଜିତିଥିବା ମୁମ୍ବାଇର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି । ଅଧିନାୟକ ହିସାବରେ ସବୁଠୁ ଅଧିକ ମ୍ୟାଚ ଜିତିଥିବା ଲିଷ୍ଟରେ ଧୋନୀ ଓ ସଚିନ ଆଗରେ ରହିଛନ୍ତି ।
ସନ୍ଧ୍ୟାରେ ଇଣ୍ଡିଆନ ପ୍ରିମିୟର ଲିଗ ୧୮ ସିଜନର ଉଦଘାଟନୀ ମ୍ୟାଚ ଖେଳାଯିବ । ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ମାର୍ଚ୍ଚ ୨୫ରେ ପଞ୍ଜାବ କିଙ୍ଗସ ତାର ଅଭିଯାନ ଆରମ୍ଭ କରିବ । ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଖେଳିବ ।