ମୁମ୍ବାଇ,୧୫/୦୮: ଏସିଆ କପ୍-୨୦୨୫ ଆରମ୍ଭ ହେବାରୁ ଏକ ମାସ ରହିଲା । ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହୋଇଯିବ ଏସିଆ କପ୍ କ୍ରିକେଟ୍ । ଚଳିତ ଥର ଟି-ଟ୍ବେଣ୍ଟି ଫର୍ମାଟରେ ଏହି ଟୁର୍ଣ୍ଣମେଣ୍ଟ ଖେଳାଯିବ । ଏନେଇ ଅଗଷ୍ଟ ୧୯ ତାରିଖରେ ଟିମ୍ ଇଣ୍ଡିଆ ଘୋଷଣା କରାଯିବ । ଏହା ପୂର୍ବରୁ ଭାରତୀୟ ଦଳରେ କାହାକୁ ମିଳିବ ସ୍ଥାନ ତାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି । ୧୫ଜଣିଆ ଦଳରେ କେଉଁ ଖେଳାଳିଙ୍କୁ ସାମିଲ କରାଯିବ ସେନେଇ କ୍ରିକେଟ୍ ବିଶେଷଜ୍ଞମାନେ ପ୍ରେଡିକ୍ସନ ଆରମ୍ଭ କରିଦେଲେଣି । ଏହାରି ଭିତରେ ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ସୂର୍ଯ୍ୟକୁମାର ଯାଦବ ନେତୃତ୍ବ ନେବା ବୋଲି ଆକଳନ କରାଯାଇଛି ।ସେହିପରି ଏହି ଟିମରେ ଶ୍ରେୟସ ଆୟରଙ୍କୁ ମଧ୍ୟ ସ୍ଥାନ ମିଳିପାରେ ।
ସୂର୍ଯ୍ୟକୁମାର ଯାଦବ ହେବେ ଅଧିନାୟକ:
ଭାରତୀୟ ଟି-ଟ୍ବେଣ୍ଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ସମୟରେ ବିସିସିଆଇର ବେଙ୍ଗାଲୁରୁ ସ୍ଥିତ ସେଣ୍ଟର ଅଫ୍ ଏକ୍ସେଲାନ୍ସରେ ଅଛନ୍ତି । ସୂର୍ଯ୍ୟକୁମାର ଯାଦବ ନିଜର ସ୍ପୋଟର୍ସ ହାର୍ନିଆ ସର୍ଜରୀ ପରେ ଟିମକୁ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି । ମୁମ୍ବାଇରେ ହେବାକୁ ଥିବା ସେଲେକ୍ସନ ମିଟିଂରେ ସୂର୍ଯ୍ୟକୁମାର ଯାଦବ ଉପସ୍ଥିତ ରହିବେ । ଏଥିରୁ ସ୍ପଷ୍ଟ ହୋଇଛି ଯେ ସୂର୍ଯ୍ୟକୁମାର ଯାଦବ ଏସିଆ କପରେ ଭାରତୀୟ ଟିମର ନେତୃତ୍ବ ନେବେ । ଟାଇମ୍ସ ଇଣ୍ଡିଆ ରିପୋର୍ଟ ମୁତାବକ, ଚୟନକର୍ତ୍ତା କମିଟି ବୈଠକ ପରେ ଅଜିତ୍ ଅଗରକର ଅଗଷ୍ଟ ୧୯ ତାରିଖରେ ପ୍ରେସ୍ ମିଟ୍ ମାଧ୍ୟମରେ ଟିମ୍ ଘୋଷଣ କରିବେ ।
ଗିଲ୍, ଜୟସ୍ବାଲ ଏବଂ ଆୟର ବାହାର ?
ଏସିଆ କପ୍ ଟିମରେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନ ପକ୍କା । ହେଲେ ଶୁବମନ ଗିଲ୍, ଶ୍ରେୟସ ଆୟର ଏବଂ ଯଶସ୍ବୀ ଜୟସ୍ବାଲ ଏସିଆ କପ୍ ଟି-୨୦ ଚୂଡ଼ାନ୍ତ ଦଳରୁ ବାଦ୍ ପଡ଼ିପାରନ୍ତି । ଟିମ୍ର ଟପ୍ ଅର୍ଡର ଦେଖିବାକୁ ଗଲେ ଅଭିଷେକ୍ ଶର୍ମା, ସଞ୍ଜୁ ସାମସନ, ତିଲକ୍ ବର୍ମା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ କ୍ରମ ସ୍ଥିର । ଏଭଳି ସ୍ଥିତିରେ ଜୟସ୍ବାଲ ଏବଂ ଗିଲ୍ ଟି-୨୦ ସ୍କ୍ବାଡରେ ସୁଯୋଗ ମିଳିବା ମୁସ୍କିଲ । ଶ୍ରେୟସ ଆୟର ଏବଂ ଯଶସ୍ବୀ ଜୟସ୍ବାଲ ଏସିଆ କପରୁ ବାହାର ହେବାର ମୁଖ୍ୟ କାରଣ ହେଉଛି, ଦିଲୀପ୍ ଟ୍ରଫିର ଅଂଶ ଅଛନ୍ତି । ଦିଲୀପ୍ ଟ୍ରଫିରେ ସାମିଲ୍ ଥିବା ଖେଳାଳିଙ୍କୁ ଏସିଆ କପ୍ରେ ସାମିଲ୍ ଚୟନକର୍ତ୍ତାଙ୍କ ପାଇଁ ବଡ଼ ସମସ୍ୟା ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।