ବ୍ରହ୍ମଗିରି, ୧୫/୦୫: ବିଶ୍ୱପ୍ରସିଦ୍ଧ ଠାକୁର ହେଉଛନ୍ତି ଶ୍ରୀଅଲାରନାଥ ।  କୋଟି କୋଟି ଟଙ୍କା ଭୂସମ୍ପତ୍ତିର ମାଲିକ ।  ବିଭିନ୍ନ ମାର୍ଗରୁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା  ଆୟ ହୋଇଥାଏ । ଠାକୁରଙ୍କ ପରିଚାଳନା ଦାୟିତ୍ୱ ଖୋଦ ଦେବୋତ୍ତର ବିଭାଗ ବହନ କରିଥିବା ବେଳେ ମଧ୍ୟବର୍ତ୍ତୀକାଳୀନ   ଟ୍ରଷ୍ଟି ଅଛନ୍ତି ବ୍ରହ୍ମଗିରି ତହସିଲ୍‌ଦାର ।  ହେଲେ ଦୁଃଖ ଓ ପରିତାପର ବିଷୟ  ଚନ୍ଦନ ଯାତ୍ରା ସମୟରେ ଠାକୁରଙ୍କ  ଚଳନ୍ତି ବିଗ୍ରହ ରାମକୃଷ୍ଣ ଭଙ୍ଗା ଦଦରା ପାଲିଙ୍କିରେ ପ୍ରତ୍ୟେହ ଚନ୍ଦନ ପୁଷ୍କରିଣୀକୁ  ଯାତ୍ରା କରୁଛନ୍ତି । ଛିଣ୍ଡା କନାଧଡ଼ି ଓ କତା  ଦଉଡ଼ି ବନ୍ଧା ପାଲିଙ୍କିରେ ଶ୍ରୀଜିଉଙ୍କୁ ବିଜେ  କରାଯାଇ ଚାପକୁ ନିଆଯାଉଛି ।  

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି  ଓ ପରମ୍ପରା ସହିତ ଶ୍ରୀଅଲାରନାଥଙ୍କ  ରୀତିନୀତି ଜଡ଼ିତ । କାଳିଆ ଠାକୁରଙ୍କ ୧୨  ମାସରେ ୧୩ ପର୍ବ ଅନୁଷ୍ଠିତ ହେଉଥିବା  ବେଳେ ଶ୍ରୀଅଲାରନାଥଙ୍କ ନିକଟରେ  ଅନବସର ଯାତ୍ରା ଓ ଚନ୍ଦନ ଯାତ୍ରା  ଅନ୍ୟତମ । ପରିତାପର ବିଷୟ କୋଟି କୋଟି ଟଙ୍କା ଭୂସମ୍ପତ୍ତିର ମାଲିକ ହୋଇ  ମଧ୍ୟ ଠାକୁରଙ୍କ ପର୍ବ ଓ ପରମ୍ପରା ପ୍ରତି  ଅଣଦେଖା କରାଯାଉଛି । ଦୀର୍ଘ ବର୍ଷ ତଳୁ  ଚନ୍ଦନ ଚାପରେ ବ୍ୟବହୃତ ହେଉଥିବା  ପାଲିଙ୍କି ଅବସ୍ଥା ଭଲନାହିଁ । ଏହାର  ବାହାଙ୍ଗି କାଠ ପୋକରା ହୋଇଯାଇଛି ।  ମରାମତି କିମ୍ବା ନୂଆ ପାଲିଙ୍କି ନିର୍ମାଣ ପାଇଁ ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟି, ସେବାୟତ  ନିଯୋଗ, ପରିଚାଳନା କମିଟିର ନିଘା  ନାହିଁ । ଏଭଳି ଘଟଣା କୋଟି କୋଟି  ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଶକ୍ତ ଧକ୍କା  ଦେଇଛି । ଶ୍ରୀଅଲାରନାଥଙ୍କ ପ୍ରତି ଏଭଳି  ହତାଦରକୁ ନେଇ ଭକ୍ତଙ୍କ ମଧ୍ୟରେ  ଅସନ୍ତୋଷ ବଢ଼ିବାରେ ଲାଗିଛି । 

ଏନେଇ ଅଲାରନାଥଙ୍କ ସେବାୟତ  ମଧୁସୂଦନ ପଣ୍ଡା କୁହନ୍ତି, ସେବାୟତ କମିଟି  ତରଫରୁ ବାରମ୍ବାର ମଧ୍ୟବର୍ତ୍ତୀକାଳୀନ  ଟ୍ରଷ୍ଟି ତଥା ତହସିଲ୍‌ଦାରଙ୍କ ନିକଟରେ  ଅଭିଯୋଗ କରାଯାଇଇଛି । ପରିଚାଳନା  କମିଟି ବୈଠକରେ ମଧ୍ୟ ଆଲୋଚନା  ହୋଇଛି । କିନ୍ତୁ ଏଥିପ୍ରତି ଧ୍ୟାନ ଦିଆଯାଉନି ।