ନୂଆଦିଲ୍ଲୀ, ୧୫/୨ : ସାଥୀ ହୋଇ ରହିବା ପାଇଁ କଥା ଦେଇଥିଲେ । ଆଉ ଭଲ ପାଇବା ଦିନରୁ ଏକାଠି ରହିବା ପାଇଁ କଥା ଦିଆନିଆ ହୋଇଥିଲେ । ଶେଷରେ ପ୍ରେମ ଦିବସ ବା ଭାଲେଣ୍ଟାଇନ୍ ଡେ’ରେ ମଧ୍ୟ ଏକାଠି ଗଲା ଜୀବନ । ଉତ୍ତରାଖଣ୍ଡରୁ ଆସିଥିବା ଏକ ହତ୍ୟା ଘଟଣା ଏବେ ସବୁଠି ପାଲଟିଛି ଚର୍ଚ୍ଚାର ବିଷୟ । ଭାଲେଣ୍ଟାଇନ୍ ଡେ’ରେ ପ୍ରେମୀଯୁଗଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ତାହାପୁଣି ନିଜ ସାଙ୍ଗମାନେ ଏଥିରେ ସାମିଲ୍ ରହିଥିଲେ । ପୁଲିସ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଉଲମୋଡାର ଶୁଭମ ଏବଂ ନେନିତାଲର ଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଛି । ଏହି ପ୍ରେମୀ ଯୁଗଳ ଭାଲେଣ୍ଟାଇନ୍ ଡେ’ରେ ସାଙ୍ଗମାନଙ୍କ ସହ ମଦପାର୍ଟି କରିଥିଲେ । ନିଶା ହେବା ପରେ ସାଙ୍ଗମାନେ ଲକ୍ଷ୍ମୀଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ଯାହାକୁ ବିରୋଧ କରିଥିଲେ ଶୁଭମ୍ । ଏହାପରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତାଙ୍କ ସାଙ୍ଗମାନେ ଏମିତି ରାଗିଥିଲେ କି, ଶୁଭମଙ୍କୁ ହତ୍ୟା କରି ଦେଇଥିଲେ। ପରେ ପ୍ରମାଣ ନଷ୍ଟ କରିବା ପାଇଁ ଲକ୍ଷ୍ମୀଙ୍କୁ ମଧ୍ୟ ହତ୍ୟା କରିଥିଲେ । ପ୍ରଥମେ ଦୁଷ୍କର୍ମ ଏବଂ ପରେ ହତ୍ୟା କରିଥିଲେ । ପୁଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।
ତେବେ ଲକ୍ଷ୍ମୀ ଏବଂ ଶୁଭମଙ୍କ ପ୍ରେମ ଏକ ମେଡିସିନ୍ ଷ୍ଟୋରରୁ ଆରମ୍ଭ ହୋଇଥିଲା । ଏଠାରେ ଲକ୍ଷ୍ମୀ କାମ କରୁଥିବାବେଳେ ସେମାନଙ୍କ ଦେଖା ଆଉ ପରେ ପ୍ରେମ ଆଗକୁ ବଢ଼ିଥିଲା । ଏବେ ସେମାନେ ଦେଢ଼ମାସ ହେବ ଲିଭ୍ ଇନ୍ ରିଲେସନସିପରେ ମଧ୍ୟ ରହୁଥିଲେ । ଶୁଭମଙ୍କ ମଦ୍ୟପାନ ଅଭ୍ୟାସ ରହିଥିଲା । ସେ ଅନେକ ସମୟରେ ସାଙ୍ଗମାନଙ୍କ ସହ ମଦ୍ୟପାନ କରନ୍ତି । ଭାଲେଣ୍ଟାଇନ୍ ଡେ’ରେ ସେମାନେ ପାର୍ଟି କରିବା ପାଇଁ ସାଙ୍ଗମାନଙ୍କ ପାଖକୁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି । ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହାସହ ପଢ଼ନ୍ତୁ : ଟି-୨୦ ବିଶ୍ବକପ ୨୦୨୬ : ପ୍ରଥମ ଦଳ ଭାବେ ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ୍