• ଆଗାମୀ ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପାଇଁ ଶୁଭମନ ଗିଲଙ୍କ ପ୍ରସ୍ତୁତି

  • ଗିଲ୍‌ ଟି-୨୦ ବିଶ୍ୱକପ୍ ପାଇଁ ଦଳରେ ସ୍ଥାନ ପାଇ ନାହାନ୍ତି

  • ସେ ଏବେ ପାୱାର-ହିଟିଂ ଉପରେ ଧ୍ୟାନ ଦେଉଛନ୍ତି

 

ନୂଆଦିଲ୍ଲୀ : ଭାରତୀୟ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍ ଗୁରୁବାର ଆଗାମୀ ନ୍ୟୁଜିଲ୍ୟାଣ୍ଡ ସିରିଜ୍ ଓ ଘରୋଇ କ୍ରିକେଟ୍ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଶୁଭମନ ଗିଲ୍ ଆସନ୍ତା ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଦଳରେ ସ୍ଥାନ ପାଇନାହାନ୍ତି,ସେ ଦଳର ଜଣେ ନିୟମିତ ସଦସ୍ୟ ଥିଲେକିନ୍ତୁ ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ମନୋନୀତ ୧୫ ଜଣିଆ ଦଳରେ ସ୍ଥାନ ପାଇ ପାରିନାହାନ୍ତି। ଭାରତୀୟ ୱାନଡେ ଓ ଟେଷ୍ଟ ଟିମର ଅଧିନାୟକ ଶୁଭମନ ଗିଲ୍ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ଶେଷ ହେବା ପରେ ପ୍ରଥମ ଥର ପାଇଁ ପଡ଼ିଆରେ ନଜର ଆସିଛନ୍ତି।

 

ଚଣ୍ଡିଗଡ଼ ଫେରିବା ପରେ,ଶୁଭମନ ଗିଲ୍ କୌଣସି ସମୟ ନଷ୍ଟ ନକରି ବ୍ୟାଟ୍ ଧରିଛନ୍ତି। ଗିଲ୍‌ଙ୍କୁ ନେଟ୍ସରେ ଘଣ୍ଟା ଘଣ୍ଟା ଧରି ବ୍ୟାଟିଂ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି। ସେ ବିଶେଷ ଭାବେ ତାଙ୍କର ପାୱାର-ହିଟିଂ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ଶୁଭମନ ଗିଲ୍ ବିଜୟ ହଜାରେ ଟ୍ରଫିରେ ପଞ୍ଜାବର ପ୍ରତିନିଧିତ୍ୱ କରୁ ଥିବାର ଦେଖାଯାଇ ପାରେ।ବିଜୟ ହଜାରେ ଟ୍ରଫିରେ ଖେଳୁଥିବା ଷ୍ଟାର ଖେଳାଳିଙ୍କ ତାଲିକାରେ ରିଷଭ ପନ୍ତ,ଶୁଭମନ ଗିଲ୍,ସୂର୍ଯ୍ୟକୁମାର ଯାଦବ ଓ ଅଭିଷେକ ଶର୍ମାଙ୍କ ଭଳି ନାମ ଅନ୍ତର୍ଭୁକ୍ତ , କିନ୍ତୁ କୋହଲି ଓ ରୋହିତଙ୍କ ଯେତେ ଚର୍ଚ୍ଚା ଆଉ କାହାକୁ ଏମିତି ମିଳୁ ନାହିଁ। କୋହଲି ଓ ରୋହିତଙ୍କୁ ଏଥିପାଇଁ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ପଡ଼ୁଛି, କାରଣ ଭାରତୀୟ କ୍ରିକେଟ୍ ବୋର୍ଡ ସମସ୍ତ ଭାରତୀୟ କ୍ରିକେଟରଙ୍କ ପାଇଁ ବିଜୟ ହଜାରେ ଟ୍ରଫିରେ ଅତି କମରେ ଦୁଇଟି ମ୍ୟାଚ୍ ଖେଳିବା ବାଧ୍ୟତାମୂଳକ କରି ଦେଇଛି।

 

୨୦ ଡିସେମ୍ବର,୨୦୨୫ରେ,ଯେବେ ବିସିସିଆଇ ଆଗାମୀ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଏହାର ୧୫ ଜଣିଆ ଦଳ ଘୋଷଣା କଲା,ସେତେବେଳେ ସବୁଠୁ ଆଶ୍ଚର୍ଯ୍ୟଜନକ ନାମ ଥିଲା ଶୁଭମନ ଗିଲ୍, ଯିଏ ଟିମ୍‌ରେ ନଥିଲେ। ଚୟନକର୍ତ୍ତାଙ୍କ କହିବାନୁସାରେ ଶୁଭମନ ଗିଲ୍ ଆଶାନୁରୂପ ପ୍ରଦର୍ଶନ କରି ପାରୁ ନାହାନ୍ତି। ଗତ ୧୫ ଇନିଂସରେ,ତାଙ୍କର ହାରାହାରି ୨୫ ତଳେ ଏବଂ ତାଙ୍କର ଷ୍ଟ୍ରାଇକ୍ ରେଟ୍ ପ୍ରାୟ ୧୪୦ପାଖାପାଖି ରହିଥିଲା। ଅଜିତ୍ ଅଗରକର ଓ ଧିନାୟକ ସୂର୍ଯ୍ୟକୁମାର ଯାଦବ ସ୍ପଷ୍ଟ କରିଥିଲେ ଯେ,ଦଳକୁ ଟପ୍ ଅର୍ଡରରେ ଜଣେ ୱିକେଟକିପର-ବ୍ୟାଟସମ୍ୟାନର ଆବଶ୍ୟକ ଥିଲା, ଯେଉଁଥି ପାଇଁ ଗିଲଙ୍କୁ ସ୍ଥାନ ମିଳିପାରି ନାହିଁ।

 

ଶୁଭମନ ଗିଲଙ୍କୁ ଯଦିଓ ଟି-୨୦ ବିଶ୍ୱକପ୍ ପାଇଁ ଦଳରେ ସ୍ଥାନ ମିଳିପାରି ନାହିଁ , ହେଲେ ସେ ଜାନୁଆରୀ ୧୧ ରୁ ୧୮ତାରିଖପର୍ଯ୍ୟନ୍ତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ପାଇଁ ଭାରତୀୟ ଦଳରେ ପୁଣି ସାମିଲ ହେବେ, ଯେଉଁଠାରେ ସେ ୫୦ ଓଭରର ଫର୍ମାଟରେ ଜଣେ ପ୍ରମୁଖ ଖେଳାଳି ଏବଂ ଅଧିନାୟକ ମଧ୍ୟ ।