ନୂଆଦିଲ୍ଲୀ,୧୪/୦୬: ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ ପାଇଁ ଜୁନ୍ ୧୯ ତାରିଖରେ ଆକ୍ସିଓମ୍-୪ ମହାକାଶ ମିଶନ୍ ଉତକ୍ଷେପଣ କରାଯିବ। ଏହି ସୂଚନା ନାସା ପକ୍ଷରୁ ଦିଆଯାଇଛି। ଏଥି ସହିତ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ମିଶନ୍ ମଧ୍ୟ ଆରମ୍ଭ ହେବ। ନାସା କହିଛି ଯେ ଶୁଭାଂଶୁ ଶୁକ୍ଳା ୨୯ ଜୁନ୍ ୨୦୨୫ରେ ମହାକାଶ ମିଶନ୍ ପାଇଁ ଯିବେ। ଏହି ମିଶନ୍ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ ହେବ, କାରଣ ସେ ରାକେଶ ଶର୍ମାଙ୍କ ପରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପାଦ ରଖିବାରେ ଦ୍ୱିତୀୟ ଭାରତୀୟ ହେବେ। ପୂର୍ବରୁ ଶୁଭାଂଶୁ ଶୁକ୍ଳାଙ୍କ ଆକ୍ସିଓମ୍-୪ ମିଶନ୍ ଅନେକ ଥର ସ୍ଥଗିତ ରଖାଯାଇଛି। ଏହି ମହାକାଶ ମିଶନ୍ କାହିଁକି ବିଳମ୍ବ ହେଉଛି, ଏହାର କାରଣ ଦର୍ଶାଇଛନ୍ତି ଉଭୟ ଇସ୍ରୋ ଏବଂ ନାସା।
ଖରାପ ପାଗ ଏବଂ ଲିକ୍ବିଡ ଅକ୍ସିଜେନ ସିଲିଣ୍ଡରରେ ଲିକେଜ୍ ଏକମାତ୍ର କାରଣ ନୁହେଁ। ବରଂ ଆକ୍ସିଓମ୍-୪ (Ax-4) ମିଶନର ଲଞ୍ଚ ବିଳମ୍ବର ଆଉ ଏକ ପ୍ରମୁଖ କାରଣ ମଧ୍ୟ ସାମ୍ନାକୁ ଆସିଛି। ନାସାର ଏକ ଦଳ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ର ଜ୍ବେଜଦା ସର୍ଭିସ ମଡ୍ୟୁଲରେ ବଢ଼ୁଥିବା ଏୟାର ଲିକ୍ ଚିହ୍ନଟ କରିଛି। ଇସ୍ରୋ ବିଶେଷଜ୍ଞମାନେ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ଏହା ମଧ୍ୟ ମେ ୨୦୨୫ ପରଠାରୁ ଏକ ବିଳମ୍ବର ଏକ କାରଣ ପାଲଟିଛଇ। ଇସ୍ରୋ ଏବଂ ନାସା ଦଳ କହିଛନ୍ତି ଯେ ପରିସ୍ଥିତି ଭଲ ନହେବା ପର୍ଯ୍ୟନ୍ତ ମିଶନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ଏହାରି ଭିତରେ, ନାସା କହିଛି ଯେ ଜୁନ୍ ୧୯ ରେ ଆକ୍ସିଓମ୍ ମିଶନ୍ ଲଞ୍ଚ କରାଯାଇପାରେ। ଜ୍ବେଜଦା ମଡ୍ୟୁଲ୍ ରୁଷ ଦ୍ୱାରା ନିର୍ମିତ ହୋଇଛି। ଏହା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହି ମଡ୍ୟୁଲ୍ ମହାକାଶଚାରୀମାନଙ୍କୁ ଜୀବନ ସମର୍ଥନ, ରହିବା ସ୍ଥାନ, ଡାଟା ପ୍ରୋସିଡିଙ୍ଗ୍ ସିଷ୍ଟମ, ଉଡ଼ାଣ ନିୟନ୍ତ୍ରଣ ପ୍ରଣାଳୀ, ଗ୍ରାଉଣ୍ଡ କଣ୍ଟ୍ରୋଲ ସିଷ୍ଟମ ସହିତ ଯୋଗାଯୋଗ ପ୍ରଣାଳୀ ଭଳି ସୁବିଧା ପ୍ରଦାନ କରେ। ଏହି ମଡ୍ୟୁଲରେ ଥିବା ଯାନ୍ତ୍ରିକ ସମସ୍ୟା ମାନବ ମହାକାଶ ଅଭିଯାନରେ ସମସ୍ୟା ସୃଷ୍ଟି କରିପାରେ। ଏହି ମଡ୍ୟୁଲ୍ ୨୦୦୦ ମସିହାରେ ଲଞ୍ଚ କରାଯାଇଥିଲା। ପୂର୍ବରୁ ଏୟାର ଲିକେଜ୍ ସାଧାରଣ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ୨୦୧୯ରେ କୁହାଯାଉଥିଲା ଯେ ଲିକେଜ୍ ପ୍ରତିଦିନ ପ୍ରାୟ ୦.୪୫ କିଲୋଗ୍ରାମ ହୋଇଥାଏ। ୨୦୨୪ ରେ ଏହା ୧.୬୭ କିଲୋଗ୍ରାମକୁ ବୃଦ୍ଧି ପାଇଥିଲା।
AX-4 ମିଶନ ଅନ୍ତର୍ଗତ, ଫାଲକନ୍-୯ ରକେଟ୍ ସ୍ପେସ୍ଏକ୍ସର କ୍ରୁ ଡ୍ରାଗନ୍ ସି୨୧୩ କୁ ଉତ୍କ୍ଷେପଣ କରିବ। ଏହାକୁ ଇସ୍ରୋର ଗଗନଯାତ୍ରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଆଇଏସ୍ଏସ୍ରେ ଡକ୍ କରିବେ। ସେ ଇସ୍ରୋ ଦ୍ୱାରା ମନୋନୀତ ଚାରି ଗଗନଯାତ୍ରୀଙ୍କ ମଧ୍ୟରୁ ଜଣେ। ସେ ୧୪ ଦିନିଆ AX-4 ମିଶନ ଅଂଶ ରହିବେ। ଇସ୍ରୋ ଏହା ମଧ୍ୟ ସୂଚନା ଦେଇଛି ଯେ ଏହି ଉତ୍କ୍ଷେପଣ ପୂର୍ବରୁ ୨୯ ମଇ ୨୦୨୫ ରେ ସ୍ଥିର କରାଯାଇଥିଲା। କିନ୍ତୁ ପରେ କ୍ରୁ ଡ୍ରାଗନ୍ ମଡ୍ୟୁଲ୍ରେ ବୈଦ୍ୟୁତିକ ହାର୍ନେସ୍ ଉପରେ ଚିନ୍ତା ଯୋଗୁଁ ଏହାକୁ ୮ ଜୁନ୍ ୨୦୨୫ କୁ ସ୍ଥଗିତ ରଖାଯାଇଥିଲା। କ୍ରୁ ପରିବହନ ପାଇଁ ଏହି ହାର୍ନେସ୍ ଆବଶ୍ୟକ ଥିଲା। ଏହା ପରେ, ଫାଲକନ୍-୯ ଯାନର ପ୍ରସ୍ତୁତିରେ ବିଳମ୍ବ ଯୋଗୁଁ ମିଶନକୁ ପୁଣି ୯ ଜୁନ୍ ୨୦୨୫ କୁ ସ୍ଥଗିତ ରଖାଯାଇଥିଲା।