ନୂଆଦିଲ୍ଲୀ: ଖରାପ ପାଣିପାଗକୁ ଦେଖି Axiom-4 ମିଶନକୁ ଜୁନ ୧୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଭାରତର ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଅନ୍ୟ ତିନି ଜଣ କ୍ରୁ ସଦସ୍ୟଙ୍କ ସହିତ ମହାକାଶ ମିଶନ ପାଇଁ ଜୁନ ୧୦ରେ ଉଡ଼ାଣ ଭରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଏଥିରେ ପରିବର୍ତ୍ତନ ହୋଇଥିବା ନେଇ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଏହାର X ହ୍ୟାଣ୍ଡେଲରୁ ପୋଷ୍ଟ କରି ଏହି ସୂଚନା ଦେଇଛି । ISRO ପକ୍ଷରୁ କୁହାଯାଇଛି ଯେ, ଉତକ୍ଷେପଣ ଜୁନ୍ ୧୧ ସନ୍ଧ୍ୟା ୫ଟା ୩୦କୁ ଘୁଞ୍ଚାଇ ଦିଆଯାଇଛି ।
ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS) ଯିବାରେ ପ୍ରଥମ ଭାରତୀୟ ହେବାକୁ ଯାଉଛନ୍ତି । ଶୁଭାଂଶୁ ଶୁକ୍ଳାଙ୍କ ଏହି ଯାତ୍ରା ୧୯୮୪ ରେ ରାକେଶ ଶର୍ମାଙ୍କ ଯାତ୍ରାର ଚାରି ଦଶନ୍ଧୀ ପରେ ହେବାକୁ ଯାଉଛି । ସେ ରୁଷିଆର ସୋୟୁଜ୍ ମହାକାଶଯାନରେ ମହାକାଶ ଯାତ୍ରା କରିଥିଲେ। ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଘୋଷଣା କରିଥିଲେ ଯେ, ଭାରତର ପୁଅ ଏବଂ ଝିଅମାନେ ବହୁତ ଶୀଘ୍ର ମହାକାଶକୁ ଯିବେ। ଏହା ପରେ, ୨୦୧୯ରେ ଶୁକ୍ଳାଙ୍କୁ ISROର ମହାକାଶଚାରୀ ଚୟନ ପ୍ରକ୍ରିୟାରେ ସାମିଲ କରାଯାଇଥିଲା ।
ଆକ୍ସିୟମ୍ ମିଶନ୍ ହେଉଛି ଆମେରିକୀୟ ମହାକାଶ ସଂସ୍ଥା ନାସା ଏବଂ ଭାରତର ISROର ଏକ ମିଳିତ ପ୍ରୟାସ। ଆକ୍ସିୟମ୍-4 ମିଶନର କ୍ରୁ ସଦସ୍ୟମାନେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରା କରିବେ। ଶୁଭାଂଶୁ ଶୁକ୍ଳାଙ୍କୁ ଜାନୁଆରୀ ୨୦୨୫ ରେ NASA ଏବଂ ISROର X-4 ମିଶନ୍ ପାଇଁ ପାଇଲଟ୍ ଭାବରେ ମନୋନୀତ କରାଯାଇଥିଲା ।