ନୂଆଦିଲ୍ଲୀ,୨୧/୧୧; ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୌହାଟୀରେ ହେବାକୁ ଥିବା ଦ୍ବିତୀୟ ତଥା ନିର୍ଣ୍ଣାୟ ଟେଷ୍ଟ ମ୍ୟାଚ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି । ଅଧିନାୟକ ଶୁଭମନ ଗିଲଙ୍କ ବେକରେ ଆଘାତ ଲାଗିବା ଏହି 'କର ବା ମର' ମୁକାବିଲାରୁ ବାଦ ରହିଛନ୍ତି । କୋଲକାତା ଟେଷ୍ଟରେ ଆହତ ହୋଇଥିଲେ ଗିଲ୍ । ଏହି ଆହତ ସମସ୍ୟା ତାଙ୍କ ପାଇଁ ପୁରା ଫର୍ମାଟରେ ୱାର୍କଲୋଡ ଉପରେ ଚିନ୍ତାର ବିଷୟ ହୋଇଛି । ଆହତ ହୋଇ କୋଲକାତା ଟେଷ୍ଟର ପ୍ରଥମ ଫାଳିରେ ରିଟାୟାର୍ଡ ହଟ୍ ହୋଇଥିଲେ । ଦ୍ୱିତୀୟ ପାଳିରେ ବ୍ୟାଟିଂ କରିପାରିନଥିଲେ । ଗୋଟିଏ ବର୍ଷରେ ଦ୍ୱିତୀୟ ଥର ପାଇଁ ତାଙ୍କ ବେକରେ ଆଘାତ ଲାଗିଛି । ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ଗିଲଙ୍କର ଟିମ୍‌ରେ ନ ହେବା ଭାରତ ପାଇଁ ଝଟକା ପରି ହୋଇଛି ।

ୱାର୍କଲୋଡ଼ ମ୍ୟାନେଜମେଣ୍ଟ ଜରୁରୀ- ଶୁଭମନ ଗିଲଙ୍କ ଉପରେ ବର୍ତ୍ତମାନ ଦାୟିତ୍ୱ ଭାର ରହିଛି। ସେ ଟେଷ୍ଟ ଏବଂ ଦିନିକିଆରେ ଭାରତର ଅଧିନାୟକ, ଏସିଆ କପ ଏବଂ ଟି-ଟ୍ୱେଣ୍ଟି ଉପ-ଅଧିନାୟକ ଥିଲେ । ଆଇପିଏଲରେ ଗୁଜରାଟ ଟାଇଟାନ୍ସର ନେତୃତ୍ୱ ଗିଲଙ୍କ କାନ୍ଧରେ ରହିଛି । ଏପରି ସ୍ଥିତିରେ ଗିଲଙ୍କୁ ଅଧିକ କାର୍ଯ୍ୟଭାର ପରିଚାଳନାର ଆବଶ୍ୟକତା ଅଛି ।

ଏହି ବିଷୟକୁ ନେଇ ପୂର୍ବ କ୍ରିକେଟର ତଥା କମେଣ୍ଟେଟର ଆକାଶ ଚୋପ୍ରା ହେଡ୍ କୋଚ ଗୌତ ଗମ୍ଭୀରଙ୍କ ପରାମର୍ଶର ଖୁଲାସା କରିଛନ୍ତି । ଆକାଶ ଚୋପ୍ରା କହିଛନ୍ତି, ଗୌତମ ଗମ୍ଭୀରଙ୍କୁ ୱାର୍କଲୋଡ ବାବଦରେ ପଚାରିଥିଲି । ସେ ସ୍ପଷ୍ଟ ଭାବେ କହିଥିଲେ, ଯଦି ତୁମକୁ ୱାର୍କଲୋଡ଼ ମ୍ୟାନେଜମେଣ୍ଟ ଦରକାର ତେବେ ଆଇପିଏଲ ଛାଡିଦିଅ । ହେଲେ ତୁମେ ଯେବେ ଭାରତ ପାଇଁ ଖେଳୁଛ, ଯଦି ତୁମେ ଫିଟ୍ ଏବଂ ମାନସିକ ରୂପରେ ଥକି ନାହଁ ତେବେ ଖେଳ ।

ଗମ୍ଭୀରଙ୍କ ମତକୁ ସମର୍ଥନ କରି ଆକାଶ ଚୋପ୍ରା କହିଛନ୍ତି ଯେ, ଯେତେବେଳେ ଜଣେ ବ୍ୟାଟର ଭଲ ଫର୍ମରେ ଥାଆନ୍ତି, ସେ ଯଥାସମ୍ଭବ ଖେଳିବାକୁ ଚାହାଁନ୍ତି। ଫିଟନେସ୍ କିମ୍ବା ମାନସିକ ଥକାପଣ ବିଷୟରେ କୌଣସି ବଡ଼ ଚିନ୍ତା ନ ଥିଲେ, ଗିଲ୍ ମଧ୍ୟମ କ୍ରମରେ ସମୟ ବିତାଇବା ଜାରି ରଖିବା ଉଚିତ୍। ଗିଲ୍ ଦଳରୁ ବାହାର ହେବା ପରେ, ଟିମ୍ ଇଣ୍ଡିଆକୁ ଏବେ ତାଙ୍କ ସ୍ଥାନରେ ବି. ସାଇ ସୁଦର୍ଶନ, ଦେବଦତ୍ତ ପାଡିକ୍କଲ୍ କିମ୍ବା ମଧ୍ୟମ କ୍ରମରେ ଫେରିଥିବା ନୀତିଶ କୁମାର ରେଡ୍ଡୀଙ୍କ ଭଳି ଖେଳାଳିଙ୍କୁ ନେବା ବିଷୟରେ ବିଚାର କରିବାକୁ ପଡିବ ।

​​​​​​​ଗୌହାଟୀ ଛାଡି ମୁମ୍ବାଇରେ ଗିଲ୍‌- ଆସନ୍ତାକାଲିଠୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୌହାଟୀରେ ଦ୍ବିତୀୟ ଟେଷ୍ଟ ସିରିଜ ଆରମ୍ଭ ହେବ । ଭାରତର ଟେଷ୍ଟ ଅଧିନାୟକ ଶୁଭମନ ଗିଲ୍ ଦ୍ବିତୀୟ ଟେଷ୍ଟରୁ ବାଦ ରହିଛନ୍ତି । କୁହାଯାଉଛି କି, ସେ ମୁମ୍ବାଇରେ କିଛି ଦିନ ସ୍ପେସାଲିଷ୍ଟ ଡାକ୍ତରଙ୍କୁ ଭେଟିବେ । ପ୍ରଥମ ଟେଷ୍ଟରେ ତାଙ୍କ ଗଳାରେ ଆଘାତ ଲାଗିଥିଲା । ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି ଗିଲ୍ । ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ଯିବାର କିଛି ଯୋଜନା ନଥିଲା ଜଣାପଡିଛି । ଶୁଭମନ ଗିଲଙ୍କ ଅନୁପସ୍ଥିତିରେ ଉପ-ଅଧିନାୟକ ଋଷବ ପନ୍ତ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ।