ନୂଆଦିଲ୍ଲୀ: ଶୁକ୍ରବାର ଖେଳାଯାଇଥିବା ଆଇପିଏଲର କ୍ବାଲିଫାୟର-୨ରେ ରାଜସ୍ଥାନକୁ ହରାଇ ଗୁଜରାଟ ଟାଇଟନ୍ସ ଫାଇନାଲରେ ପ୍ରବେଶ କରିଛି । ଏହି ନକଆଉଟ୍ ମୁକାବିଲା ଗୁଜରାଟ ଅଧିନାୟକ ଶୁଭମନ ଗିଲ ଶତକୀୟ ପାଳି ଖେଳିଥିଲେ । ଦଳକୁ ଫାଇନାଲରେ ପ୍ରବେଶ କରିବାରେ ତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିଲା । ତେବେ ସେ ଏକ ଚୌକା ମାରି ଯେତେବେଳେ ଶତକ ମାରିଥିଲେ ସେତେବେଳେ ମ୍ୟାଚ ଦେଖିବା ପାଇଁ ଉପସ୍ଥିତ ଥିବା ତାଙ୍କ ପିତାଙ୍କ ଏକ ରିଆକ୍ସନ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଶୁଭମନ ଗିଲ ରାଜସ୍ଥାନ ବିପକ୍ଷରେ ୫୪ ବଲରୁ ୧୦୪ ରନର ପାଳି ଖେଳିଥିଲେ । ଯେଉଁଥିରେ ୧୫ ଚୌକା ଏବଂ ତିନିଟି ଛକା ରହିଥିଲା । ସେ ସାଇ ସୁଦର୍ଶନଙ୍କ ସହ ମିଶି ୧୬୭ ରନର ପାର୍ଟନରସିପ କରିଥିଲେ । ଏହାସହ ସେ ଗୋଟିଏ ସିଜିନରେ ୭୦୦ରୁ ଅଧିକ ସ୍କୋର କରିଛନ୍ତି । ସେ ୩ଥର ୭୦୦ରୁ ଅଧିକ ସ୍କୋର କରି ରେକର୍ଡ କରିଛନ୍ତି । ଏହି ମ୍ୟାଚରେ ଅନେକ ରେକର୍ଡ ସ୍ଥାପନ କରିଛନ୍ତି ଗିଲ୍ । ବିଜୟ ସ୍କୋରର ଅଧା ଏକାକି କରିଥିଲେ ଗିଲ୍ ।
ତଥାପି ରାଜସ୍ଥାନ ବିପକ୍ଷ ମୁକାବିଲାରେ ଗିଲ୍ ଯେତେବେଳେ ବ୍ୟାଟିଂ କରୁଥିଲେ ସେତେବେଳେ ଏକ ରୋମାଞ୍ଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ସେ ଏକ ଚୌକା ମାରି ଶତକ ପୂରଣ କରିଥିଲେ । ୧୩.୩ ଓଭରରେ ସେ ଶତକ ହାସଲ କରିଥିବାବେଳେ ତାଙ୍କ ବାପା ସେଲିବ୍ରେସନ କରିଥିଲେ । ପଞ୍ଜାବୀ ଷ୍ଟାଇଲରେ ନିଜର ସେଲିବ୍ରେସନ କରି ଖୁସି ବ୍ୟକ୍ତ କରିଥିଲେ । ଯାହାର ଭିଡିଓ ଏବେ ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ସକରାତ୍ମକ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି । ତେବେ ପୂର୍ବରୁ ମଧ୍ୟ ପୁଅର ଖେଳ ଦେଖିବା ପାଇଁ ମହଜୁଦ ରହି ଚର୍ଚ୍ଚାକୁ ଆସିଛନ୍ତି ଶୁଭମନଙ୍କ ପିତା ।