ନୂଆଦିଲ୍ଲୀ,୧୪।୩: ଟି-୨୦ ବିଶ୍ବକପ୍ ୨୦୨୬ରେ ଟିମ୍ ଇଣ୍ଡିଆର ବିଜୟ ଖୁବ୍ ଐତିହାସିକ ରହିଥିଲା। ତୃତୀୟ ଥର ଟାଇଟଲ ଜିତିବା ନେଇ ପୁରା ଦେଶରେ ଖୁସିର ପରିବେଶ ରହିଛି। ଖୁସି ଭିତରେ ସୋସିଆଲ ମିଡିଆରେ ଏକ ବିବାଦ ସୃଷ୍ଟି ହୋଇଛି,ଯାହାକି ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଛି। ଏହି ବିବାଦ ଭାରତୀୟ ଟେଷ୍ଟ ଓ ଓ୍ବାନଡେ୍ ଟିମ୍ର କ୍ୟାପଟେନ୍ ଶୁମନ ଗିଲଙ୍କ ପୋଷ୍ଟକୁ ନେଇ ରହିଛି। ଟି-୨୦ ବିଶ୍ବକପ୍ ଜିତିବା ପରେ ସମସ୍ତେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଶୁଭେଚ୍ଛା ଜଣାଇଥିଲେ। ଗିଲ୍ ମଧ୍ୟ ସେଲିବ୍ରେସନ୍ ଫଟୋ ସେୟାର କରିଥିଲେ,କିନ୍ତୁ କିଛି ୟୁଜର୍ସଙ୍କ ଅଭିଯୋଗ ଯେ, ଗିଲ୍ ଫଟୋ ଏଡିଟ୍ କରିଛନ୍ତି। ସେ ଏଡିଟ୍ କରି ଫଟୋରୁ ସଞ୍ଜୁ ସାମସନ୍ଙ୍କୁ ହଟାଇ ଦେଇଛନ୍ତି।
ଏହି ବିବାବ ଏଥିପାଇଁ ଆରମ୍ଭ ହୋଇଛି, କାରଣ ଗିଲ୍ ଇନଷ୍ଟାଗ୍ରାମରେ ଟିମ୍ର ଟ୍ରଫି ସହ ସେଲିବ୍ରେସନ୍ ଫଟୋ ସେୟାର କରିଛନ୍ତି,ଯେଉଁଥିରେ ସଞ୍ଜୁ ସାମସନ୍ ଦେଖାଯାଉ ନାହାଁନ୍ତି। ବହୁ ଫ୍ୟାନ୍ସ ଏହାକୁ ସୂର୍ଯ୍ୟକୁମାର ଯାଦବଙ୍କ ପୋଷ୍ଟ ସହ ତୁଳନା କରିଛନ୍ତି ଯେଉଁଠି ସଞ୍ଜୁ ସାମସନ୍ ପଛରେ ଅଛନ୍ତି। ଦାବି କରାଯାଉଛି ଯେ,ଗିଲ୍ ଫଟୋ ଏଡିଟ୍ କରି ସାମସନଙ୍କୁ ଦେଖାଇ ନାହାଁନ୍ତି। ଅଭିଯୋଗ ହେଉଛି ଯେ, ସାମସନ୍ଙ୍କ ସଫଳତାକୁ ଗିଲ୍ ସହ୍ୟ କରିପାରୁ ନାହାଁନ୍ତି। ସାମସନ୍ ଟୁର୍ଣ୍ଣାମେଣ୍ଟରେ ଖୁବ୍ ସୁନ୍ଦର ପ୍ରଦର୍ଶନ କରିଛନ୍ତି ଓ ପ୍ଳେଆର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ହୋଇଛନ୍ତି। ସେଭଳି ଗିଲ୍ ବିଶ୍ବକପ୍ ଟିମ୍ରେ ସ୍ଥାନ ପାଇ ପାରିନାହାନ୍ତି।
ତେବେ ସୋସିଆଲ ମିଡିଆରେ କରାଯାଉଥିବା ଦାବି ସମ୍ପୂର୍ଣ୍ଣ ଭୁଲ। ଏହାଠାରୁ ସତ ସମ୍ପୂର୍ଣ୍ଣ ଅଲଗା। ଫାକ୍ଟ ଚେକ୍ ଓ ଯାଞ୍ଚରୁ ଜଣାପଡିଛି ଯେ,ଗିଲ୍ କୌଣସି ଏଡିଟିଂ କରିନାହାନ୍ତି। ସେତେବେଳେ ମ୍ୟାଚ୍ ପରେ ବହୁ ଫଟୋ କ୍ଲିକ୍ ହୋଇଥିଲା,ଯାହାକି ଅଲଗା ଅଲଗା ଆଙ୍ଗେଲ ଓ ଅଲଗା କ୍ଷଣର ଥିଲା। ଗିଲ୍ ଯେଉଁ ଫଟୋ ପୋଷ୍ଟ କରିଛନ୍ତି, ସେଥିରେ ଖେଳାଳିଙ୍କ ପୋଜିସନ୍ ଅଳ୍ପ ଅଲଗା ରହିଛି। ଏହି କାରଣରୁ ସଞ୍ଜୁ ସାମସନ୍ ଦେଖାଯାଉ ନାହାନ୍ତି। ଯଶସ୍ୱୀ ଜୟସୱାଲ ମଧ୍ୟ ଠିକ୍ ସେଭଳି ଏକ ଫଟୋ ପୋଷ୍ଟ କରି ଶୁଭେଚ୍ଛା ଜଣାଇଥିଲେ,ଯେଉଁଥିରେ ସାମସନ୍ ନଥିଲେ। ଶିବମ୍ ଦୁବେ ଏବଂ ରବିଚନ୍ଦ୍ରନ୍ ଅଶ୍ୱିନ ମଧ୍ୟ ସମାନ ଫଟୋ ବ୍ୟବହାର କରିଥିଲେ। ସୂର୍ଯ୍ୟକୁମାର ଯାଦବଙ୍କ ଫଟୋ ଭିନ୍ନ ସମୟର ଥିଲା, ଯେଉଁଠାରେ ସାମସନ୍ ବୁମରାହଙ୍କ ପଛରେ ଲୁଚି ରହିଥିବାର ଦେଖାଯାଇଥିଲା, କିନ୍ତୁ ଗିଲଙ୍କ ଫଟୋରେ, ପୋଡିୟମରେ ଖେଳାଳିମାନଙ୍କ ବ୍ୟବସ୍ଥା ଏବଂ ଟ୍ରଫିର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ରହିଥିଲା।
ସଞ୍ଜୁ ସାମସନ ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ପାଇଁ ମ୍ୟାଚ୍ ଓ୍ବିନ୍ର ପ୍ରମାଣିତ ହୋଇଥିଲେ। ସେ ମାତ୍ର ପାଞ୍ଚଟି ମ୍ୟାଚ୍ରେ ୩୨୧ ରନ୍ କରିଥିଲେ। ଏହି ସମୟ ମଧ୍ୟରେ, ସେ ଲଗାତାର ତିନୋଟି ବଡ଼ ସ୍କୋର (୯୮*, ୮୯, ୮୯) କରି ଦଳକୁ ବିଜୟୀ କରାଇଥିଲେ। ଯଦିଓ ତାଙ୍କୁ ଆରମ୍ଭରୁ ଖେଳିବାର ସୁଯୋଗ ମିଳିନଥିଲା, କିନ୍ତୁ ଟୁର୍ଣ୍ଣାମେଣ୍ଟର ମଧ୍ୟଭାଗରେ ସୁଯୋଗ ପାଇବା ମାତ୍ରେ ସେ ଏହାର ପୂର୍ଣ୍ଣ ଫାଇଦା ଉଠାଇଥିଲେ।
ଆହୁରି ପଢନ୍ତୁ : ପାକିସ୍ତାନୀ ଖେଳାଳିଙ୍କ ଉପରେ ୫୦ ଲକ୍ଷ ଲେଖାଏଁ ଜୋରିମନା ଖବର ମିଛ : ପିସିବି କଲା ସ୍ପଷ୍ଟ