ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ଆଇପିଏଲରେ ବେଙ୍ଗାଲୁରୁ ଚାମ୍ପିୟନ ହୋଇଛି । ଗୁଜରାଟ ଫାଇନାଲ ମୁକାବିଲା ହାରିଛି ସତ କିନ୍ତୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଥିଲେ ଅଧିନାୟକ ଶୁଭମନ ଗିଲ୍ । ଟି-୨୦ କ୍ରିକେଟରେ ତାଙ୍କୁ ନେଇ ବିଭିନ୍ନ ସମାଲୋଚନା କରାଯାଉଥିବାବେଳେ ଚଳିତବର୍ଷ ସେ ୭୩୨ ରନ କରିଥିଲେ । ରନ୍ ସାଙ୍ଗକୁ ବଡ଼ ବଡ଼ ସଟ୍ ମଧ୍ୟ ମାରିଥିଲେ ଗିଲ୍ । ତେବେ ଟି-୨୦ କ୍ରିକେଟରେ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ ବୋଲି ପ୍ରମାଣ ଦେଇଥିଲେ । ତଥାପି ଇଂଲଣ୍ଡ ଏବଂ ଆୟାରଲ୍ୟାଣ୍ଡ ବିପକ୍ଷ ସିରିଜରେ ତାଙ୍କୁ ଦଳରେ ସାମିଲ କରାଯାଇନାହିଁ ।
ଗିଲଙ୍କୁ ଟି-୨୦ ଦଳରେ ସୁଯୋଗ ନମିଳିବାକୁ ନେଇ ଅନେକ ଚର୍ଚ୍ଚା ହେଉଥିବାବେଳେ ଏହା ବିସିସିଆଇର ନୂଆ ଯୋଜନା ବୋଲି କୁହାଯାଉଛି । ବିସିସିଆଇ ଏକ ଦୀର୍ଘକାଳୀନ ଯୋଜନାରେ ରହିଥିବା ଜଣାପଡ଼ିଛି । ବିଶ୍ବ ଟେଷ୍ଟ ଚାମ୍ପିୟନସିପ ପାଇଁ ଭାରତ ୯ଟି ମ୍ୟାଚ ଖେଳିବ । ଏହାସହ ବିଶ୍ବକପ ୨୦୨୭ ପୂର୍ବରୁ ଭାରତ ୩୫ଟି ଦିନିକିଆ ମ୍ୟାଚ ଖେଳିବ । ଆଇସିସିର ଏହି ଦୁଇ ବଡ଼ ଟୁର୍ଣ୍ଣାମେଣ୍ଟକୁ ଲକ୍ଷ୍ୟ ରହିଛି ଭାରତ । ଏଣୁ ଏହା ଉପରେ ଫୋକସ ଦେବାକୁ ଗିଲଙ୍କୁ କୁହାଯାଇଛି । ସବୁ ଫର୍ମାଟରେ ଖେଳି କ୍ଲାନ୍ତି ହେବାରୁ ରକ୍ଷା ପାଇବା ଏବଂ ଅଧିକ ଚାପ ନଦେବାକୁ ଏଭଳି ଯୋଜନା କରାଯାଇଥିବା ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଆଗାମୀ ଦୁଇବର୍ଷରେ ଭାରତ ଦୁଇଟି ବଡ଼ ଟୁର୍ଣ୍ଣାମେଣ୍ଟ ଖେଳିବ । ଏହାକୁ ଦୃଷ୍ଟିରେ ରଖି ଗିଲଙ୍କ ପାଇଁ ଏଭଳି କରାଯାଇଛି । ନିଜର ଫର୍ମ ବଜାୟ ରଖିବା ସହ ଅଧିକ ଚାପ ନଦେବାକୁ ଟି-୨୦ ଦଳରୁ ଦୂରେଇ ରଖାଯାଇଛି । ତେବେ ଗିଲଙ୍କ ଅନ୍ତିମ ଟି-୨୦ ପ୍ରଦର୍ଶନ ବେଶ ଖରାପ ଥିଲା । ସେ ୧୫ଟି ଟି-୨୦ ମୁକାବିଲାରେ ମାତ୍ର ୨୯୧ ରନ କରିଥିଲେ । ଯେଉଁ କାରଣରୁ ଦଳରୁ ବାଦ ପଡ଼ିଥିଲେ । ଏହାସହ ଏବେ ଭାରତୀୟ ଦଳରେ ଯୁବ କ୍ରିକେଟ ଅଧିକ ରହିବା ସହ ପ୍ରତିଭାବାନ ରହିଛନ୍ତି । ଭବିଷ୍ୟତକୁ ଦୃଷ୍ଟିରେ ରଖାଯାଇଛି । ଟି-୨୦ରେ ଭାରତ ରେକର୍ଡ ପ୍ରଦର୍ଶନ ଜାରି ରଖିବା ସହ ଲଗାତାର ଦୁଇଟି ବିଶ୍ବକପ ଜିତିଛି ।
ଏହାସହ ପଢ଼ନ୍ତୁ : Shraddha Walker Murder Case: ଶ୍ରଦ୍ଧା ଓ୍ବାକର ହତ୍ୟାକାଣ୍ଡ: ଗୁଗଲ ଏବଂ ମେଟାର ସାକ୍ଷ୍ୟ ଉପରେ କୋର୍ଟଙ୍କ ଶୁଣାଣି