ଭୁବନେଶ୍ୱର ୦୨/୧୧: ପରୀକ୍ଷା ବାତିଲ୍ କରିବାକୁ ହଜାରେ କୋଟିର ଡିଲ୍ ହୋଇଥିଲା। ଷଡ଼ଯନ୍ତ୍ରକାରୀଙ୍କ ସବୁ ଗୁମର ଖୋଲିଦେବି। ମୋ ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗ ମିଥ୍ୟା। ମୁଁ କେଉଁଠି ଲୁଚିନଥିଲି, ଆଇନଗତ ଭାବେ ଲଢ଼ୁଥିଲି। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛି। ଆଗକୁ ଦରକାର ପଡିଲେ ସୁପ୍ରିମ୍କୋର୍ଟକୁ ଯିବ। ଭୁବନେଶ୍ବର ଏୟାରପୋର୍ଟ ପହଞ୍ଚିବାରେ ଏଭଳି ପ୍ରତିକ୍ରିୟା ରଖିଲେ ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି। ରବିବାର କୋର୍ଟ ଚାଲାଣ କରାଯିବ । ଅଧିକ ତଦନ୍ତ ପାଇଁ ତାକୁ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ ଶନିବାର ନେପାଳ ସୀମା ଉତ୍ତରାଖଣ୍ଡରୁ ପୁଲିସ ଏସ୍ଆଇ ଲିଖିତ ପରୀକ୍ଷା କେଳେଙ୍କାରୀର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଧରାପଡିଥିଲା । ଶଙ୍କରକୁ ଗିରଫ ପରେ ଆଜି ଭୁବନେଶ୍ବର ଅଣାଯାଇଛି। ଆଜି ତାକୁ କୋର୍ଟ ଚାଲାଣ କରାଯିବ। ଅଧିକ ତଦନ୍ତ ପାଇଁ ତାକୁ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ମିଳିଛି।
ଶଙ୍କରକୁ ମିଶାଇ ଏହି କେଳେଙ୍କାରୀରେ ମୋଟ ୧୦ ଜଣ ଦଲାଲ ଗିରଫ ହୋଇଛନ୍ତି । ପୂର୍ବରୁ ଗିରଫ ହୋଇଥିବା ୯ ଜଣ ଏବେ ବ୍ରହ୍ମପୁର ଜେଲରେ ଅଛନ୍ତି । ଏହି ଘଟଣାରେ ଶଙ୍କର ପୃଷ୍ଟିଙ୍କ ପତ୍ନୀ ଦୀପ୍ତିମୟିଙ୍କୁ ବି କ୍ରାଇମବ୍ରାଞ୍ଚ ନେପାଳ ବୋର୍ଡରୁ ଗିରଫ କରିଛି । ପରୀକ୍ଷା ଜାଲିଆତି ଘଟଣାରେ ତାଙ୍କର ଲିଙ୍କ୍ ରହିଥିଲା । । ଦୀପ୍ତିମୟୀ ଆଗୁଆ ଜାମିନ ପାଇଁ କୋର୍ଟରେ ଆବେଦନ କରି ତଦନ୍ତ ପରିସରଭୁକ୍ତକୁ ଆସିଥିଲେ । କେଳେଙ୍କାରୀର ମୁଖ୍ୟ ସୂତ୍ରଧର ଶଙ୍କରର ସହଯୋଗୀ ମୁନାକୁ ଗତମାସରେ ଗିରଫ କରାଯାଇଥିଲା । ତାକୁ ଦୀର୍ଘ ସମୟ ଜେରା ପରେ କ୍ରାଇମ୍ବ୍ରାଞ୍ଚ ଶଙ୍କର ନେପାଳରେ ଲୁଚିଥିବା ତଥ୍ୟ ମିଳିଥିଲା । ତାକୁ ଠାବ କରିବାକୁ କ୍ରାଇମବ୍ରାଞ୍ଚର ଏକ ଟିମ୍ ନେପାଳ ଯାଇ ନିରାଶ ହୋଇଥିଲା । କାରଣ ଶଙ୍କରକୁ ସୂଚନା ମିଳିଯାଇଥିଲା ତାକୁ ଧରିବାକୁ କ୍ରାଇମବ୍ରାଞ୍ଚ ଟିମ୍ ନେପାଳରେ ଡେରା ପକାଇଛି । ତେଣୁ ସେ ନେପାଳରୁ ଖସି ଆସି ଉତ୍ତରାଖଣ୍ଡରେ ପଶିଥିଲା । ସେଠାରେ ଲୁଚିବାକୁ ଯୋଜନା କରୁଥିଲା । କିନ୍ତୁ ପଛେ ପଛେ ଆସିଥିବା କ୍ରାଇମ୍ବ୍ରାଞ୍ଚ ଟିମ୍ କବଜାରେ ସେ ପଡ଼ିଯାଇଥିଲା । ଶଙ୍କର ଟ୍ରାଜିଟ୍ ରିମାଣ୍ଡ କ୍ରାଇମବ୍ରାଞ୍ଚ ଆଣିଥିବା ବେଳେ ତା ନିକଟରୁ ଫର୍ଚ୍ୟୁନର କାର୍,ଏକ ଫୋନ, ପାସପୋର୍ଟ ଜବତ କରାଯାଇଛି।
ମାଷ୍ଟରମାଇଣ୍ଡ୍ ଶଙ୍କରର ବହୁ ବରିଷ୍ଠ ସରକାରୀ ଅଧିକାରୀ, ନେତା, ମନ୍ତ୍ରୀ ଓ ପୁଲିସ ଅଧିକାରୀଙ୍କ ସହ ସଂପର୍କରେ ଥିବା କ୍ରାଇମ୍ବ୍ରାଞ୍ଚ ପ୍ରମାଣ ମିଳିଛି । ଏମିତିକି ଶଙ୍କରଙ୍କ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦିଆଯାଉ ବୋଲି କିଛି ଅଫିସ୍ର ଓ ନେତା ଲବି କରିଥିଲା । ଏବେ କ୍ରାଇମ୍ବ୍ରାଞ୍ଚ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବ । ଯଦି କ୍ରାଇମ୍ବ୍ରାଞ୍ଚ ସେମାନଙ୍କୁ ଛାଡ଼ି ଯିଏ ତା’ହେଲେ ସିବିଆଇ ଘଟଣାର ତଦନ୍ତ କରି ସେମାନଙ୍କୁ ବାନ୍ଧିବ । ସେପଟେ ଏସ୍ଆଇ ଜାଲିଆତି ମାମଲାରେ ଯେଉଁ ସବୁ କାଗଜପତ୍ର କ୍ରାଇମ୍ବ୍ରାଞ୍ଚ ହାତରେ ଲାଗିଥିଲା ତହା ସିବିଆଇକୁ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ୨୦୨୪ ମସିହାରେ ଯେଉଁ ଏସ୍ଆଇ ପରୀକ୍ଷା ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ତାର ପରୀକ୍ଷା କରାଇବା ଦାୟିତ୍ୱ ଓଡ଼ିଶା ପୁଲିସ ରିକ୍ରୁଟ୍ମେଣ୍ଟ୍ ବୋର୍ଡ (ଓପିଆର୍ବି) ଆଇଟିଆଇ ନାମକ ସଂସ୍ଥାକୁ ଦେଇଥିଲା । ଆଇଟିଆଇ ପରେ ଏହାକୁ ସିଲିକନ୍ ଟେକ୍ଲାବ୍ ପ୍ରାଇଭେଟ୍ ଲିମିଟେଡ୍କୁ ହସ୍ତାନ୍ତର କରିଥିଲା । ପରେ ଏହାର ଦାୟିତ୍ୱ ପାନ୍ସଫ୍ଟ ଟେକ୍ ପ୍ରାଇଭେଟ୍ ଲିମିଟେଡ୍ ନେଇଥିଲା । ଶଙ୍କର ଦୁଇଟି ସପ୍ଟୱେର କମ୍ପାନି ପଞ୍ଚ୍ ସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ଏବଂ କେଦାରନାଥ ଟେକ୍ନୋଲୋଜିସ୍ର ମୁଖ୍ୟ ଥିଲେ । ଏସ୍ଆଇ ଲିଖିତ ପରୀକ୍ଷାରେ ଓଡ଼ିଶାରୁ ପିଲାକୁ ନେଇ ଆନ୍ଧ୍ରପ୍ରଦେଶର ତାଲିମ ଦିଆଯାଇଥିଲା । ପ୍ରତି ପରୀକ୍ଷାର୍ଥୀ ପିଛା ୨୫ ଲକ୍ଷ ଟଙ୍କା ଲିଡ୍ ହୋଇଥିଲା । ୫ରୁ ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ ଶଙ୍କର ଓ ତାର ଖାସ୍ ସହଯୋଗୀ ମୁନା ମହାନ୍ତି । ସୂଚନା ମୁତାବକ, ଅକ୍ଟୋବର ୫ ଓ ୬ ତାରିଖ ଦୁଇ ଦିନ ସାରା ରାଜ୍ୟରେ ଓଡ଼ିଶା ପୁଲିସ ନିଯୁକ୍ତ ବୋର୍ଡ (ଓପିଆର୍ବି) ପରିଚାଳିତ ଏସ୍ଆଇ ପରୀକ୍ଷା ହେବାର ଥିଲା । ହେଲେ ସେପ୍ଟେମ୍ବର ୩ଟି ବସ୍ରେ ୧୧୪ ଜଣ ଆଶାୟୀ ବିଜୟନଗରମ୍ ଯାଉଥିଲେ । ସେଠାରେ ରହି ଲିଖିତ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଅଭ୍ୟାସ କରିଥାଆନ୍ତେ । ଏଥିପାଇଁ ବଡ଼ ଧରଣର ଡିଲ୍ ବି ହୋଇଥିଲା । ପରୀକ୍ଷା ଆଶାୟୀମାନେ ଅଗ୍ରୀମ ୧୦ ଲକ୍ଷ ଟଙ୍କା ଦେଇଥିଲେ ଏବଂ ନିଯୁକ୍ତି ନିଶ୍ଚିତ ହେବା ପରେ ଆଉ ୧୫ ଲକ୍ଷ ଦେବା ସ୍ଥିର ହୋଇଥିବା ଜଣାଯାଇଛି । ବ୍ରହ୍ମପୁର ଏସ୍ପି ଡା.ସରବଣା ବିବେକ ଏମ୍ଙ୍କ ନିର୍ଦ୍ଦେଶରେ ବୈଦ୍ୟନାଥପୁର, ଗୋସାଇଁନୂଆଗାଁ ଓ ଗୋଳନ୍ଥରା ଥାନା ପୁଲିସକୁ ନେଇ ଟିମ୍ ଗଠନ ହୋଇଥିଲା । ପୁଲିସ ଟିମ୍ ଶ୍ରୀକାକୁଲମ୍ ପୁଲିସ ସହଯୋଗରେ ୩ଟି ବସ୍କୁ ଅଟକାଇବା ସହ ସେମାନଙ୍କୁ ବ୍ରହ୍ମପୁର ନେଇ ଆସିଥିଲା । ପୁଲିସ୍ ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଗିରଫ କରିବା ସହ ୬ ଜଣ ଦଲାଲ୍ ଗିରଫ ହୋଇଥିଲେ । ସେବେ ଠାରୁ ଶଙ୍କର ଫେରାର ଥିଲା । ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଇତି ମଧ୍ୟରେ ଜାମିନ ମିଳିସାରିଛି