ଭୁବନେଶ୍ୱର,୦୭/୦୨: ବହୁ ଚର୍ଚ୍ଚିତ ଏସ୍ଆଇ ଲିଖିତ ପରୀକ୍ଷା ଜାଲିଆତି ଘଟଣାରେ ସିବିଆଇ ଆଉ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ଖାସ୍ ସହଯୋଗୀ ତଥା ଏଜେଣ୍ଟ ଇପିଲି ସୀତାରାମ । ଶଙ୍କର ଗିରଫ ହେବା ପରେ ତାର ସହଯୋଗୀମାନେ ଫେରାର ହୋଇଯାଇଥିଲେ । ମାମଲା ସିବିଆଇ ନେଲା ପରେ ଶଙ୍କରଙ୍କୁ ରିମାଣ୍ଡରେ ଆଣି ଜେରା କରିଥିଲା । ଏହି ସମୟରେ ସିବିଆଇ ଜାଣିବାକୁ ପାଇଥିଲା ଶଙ୍କର ରାଜ୍ୟ ଓ ରାଜ୍ୟ ବହାରେ ଏକାଧିକ ଏଜେଣ୍ଟ କରିଥିଲେ । ସେ ଏଜେଣ୍ଟମାନେ ଏସ୍ଆଇ ପାଇଁ ଆବେଦନ କରିଥିବା ପିଲାଙ୍କୁ ଯୋଗାଯୋଗ କରୁଥିଲେ । ଯେଉଁମାନେ ରାଜି ହୋଇଥିଲେ ସେମାନଙ୍କଠାରୁ ଏହି ଏଜେଣ୍ଟମାନେ ନଗଦ ଆକାରରେ ଟଙ୍କା ଗ୍ରହଣ କରି ଶଙ୍କର ପାଖକୁ ପଠାଉଥିଲେ । ଇପିଲି ଗଞ୍ଜାମ ଓ କୋରାପୁଟ ଜିଲ୍ଲାରୁ ପରୀକ୍ଷାର୍ଥୀ ଯୋଗାଡ଼ କରୁଥିଲା । ଶଙ୍କର ଗିରଫ କରିବା ପରେ ଇପିଲି ଫେରାର ହୋଇଯାଇଥିଲା । ଗତକାଲି ରାତିରେ ସିବିଆଇ ତାକୁ ଗିରଫ କରଛି । ଏହି ଜାଲିଆତି ମାମଲାରେ ବର୍ତ୍ତମାନା ୧୮ ଜଣ ଗିରଫ ହୋଇସାରିଛନ୍ତି ।
ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀରେ ଜଣକ ପରେ ଜଣଙ୍କ ଲିଙ୍କ୍ ଏବେ ପଦାକୁ ଆସୁଛି । ଯଦିଓ କେତେଜଣଙ୍କ ଏଥିରେ ସଂପୃକ୍ତି ରହିଛି କିଛି ସ୍ପଷ୍ଟ ହୋଇନାହିଁ, ସିବିଆଇ ଏବେ ଗଞ୍ଜାମ ଜିଲ୍ଲାର ଅନେକ ଯୁବକଙ୍କୁ ଉଠାଇ ନେଇ ଜେରା କରି ଛାଡିଛି । ଗତକାଲି ରାତିରେ କୁକୁଡ଼ାଖଣ୍ଡି ଅଞ୍ଚଳର ଇପିଲି ସୀତରାମଙ୍କୁ ଉଠାଇନେଇଛି । ସିବିଆଇ ପରୀକ୍ଷା ଜାଲିଆତିରେ ତାଙ୍କର ସଂପୃକ୍ତି ନେଇ ସନ୍ଦେହ ହେବା ପରେ ଏବଂ କିଛି ତଥ୍ୟ ହସ୍ତଗତ ହୋଇଛି ।
ମିଳିଥିବା ତଥ୍ୟ ଯାଞ୍ଚ କରିବାକୁ ସିବିଆଇ ତାଙ୍କୁ ନିୟମିତ ନୋଟିସ୍ କରି ଆସୁଥିଲା । ସେ କୌଣସି ଉତ୍ତର ଦେଉନଥିଲେ । ଗତକାଲି ରାତିରେ ସିବିଆଇର ଏକ ଟିମ୍ ବ୍ରହ୍ମପୁରରେ ପହଞ୍ଚିବା ପରେ ସଦର ଥାନା ସହଯୋଗରେ ଇପିଲି ସୀତାରାମଙ୍କୁ କୁକୁଡ଼ାଖଣ୍ଡିରୁ ଉଠାଇ ନେଇଥିବା ସଦର ଥାନା ଆଇଆଇସି ରାମ ସୁବ୍ରମଣ୍ୟମ୍ ପ୍ରଧାନ କହିଛନ୍ତି। ଇପିଲିଙ୍କ ବ୍ୟାଙ୍କ୍ ଆକାଉଣ୍ଟ ସହ ମୋବାଇଲ୍ ଫୋନ୍ ଏବଂ ସେ କିଛି ଚାକିରି ଆଶାୟୀଙ୍କ ସହ କଥା ହେବାର କଲ୍ ରେକର୍ଡ ସିବିଆଇ ପାଇଥିବା ସୁରାକ୍ ମିଳିଛି । ଏହି ରାକେଟ୍ର ତାଙ୍କର ସଂପୃକ୍ତି ଅଛି କି ନାହିଁ ତାହାର ତଦନ୍ତ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାର ଆଉ କିଛି ଲୋକଙ୍କ ଉପରେ ରହିଛି ସିବିଆଇ ନଜର । ସେପ୍ଟେମ୍ବର ୩୦ ତାରିଖରେ ଆନ୍ଧ୍ର ଅଭିମୁଖେ ଯାଉଥିବା ୧୧୪ଜଣ ପରୀକ୍ଷାର୍ଥୀଙ୍କୁ ଶ୍ରୀକାକୁଲମ୍ରୁ ଫେରାଇ ଆଣିଥିଲା ବ୍ରହ୍ମପୁର ପୁଲିସ ।
ଆହୁରି ପଢ଼ନ୍ତୁ:- ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର ଶୁଭାରମ୍ଭ, ଓଡ଼ିଶା ଭିଜନ ୨୦୪୭ର ସାଜିବ ମୁଖ୍ୟ ଗ୍ରୋଥ୍ ଇଞ୍ଜିନ୍
ପ୍ରଥମେ ଗୋଳନ୍ଥରା ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପରେ କ୍ରାଇମ୍ବ୍ରାଞ୍ଚ ଏବଂ ଏବେ ସିବିଆଇ ଏହି ମାମଲାର ତଦନ୍ତ କରୁଛି । ପରୀକ୍ଷାର୍ଥୀମାନେ ଜାମିନ୍ ପାଇସାରିଥିବାବେଳେ ଏବେ ମୁଖ୍ୟ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଠି ଓ ଅନ୍ୟମାନେ ଏବେ ଭୁବନେଶ୍ୱର ଝାରପଡ଼ା ଜେଲ୍ରେ ଅଛନ୍ତି । ଶଙ୍କର ପୃଷ୍ଠିଙ୍କ ଏହି ବିଶାଳ ସାମ୍ରାଜ୍ୟରେ ଅନେକ ଲୋକଙ୍କ ସଂପୃକ୍ତି ରହିଥିବା ତଦନ୍ତରେ ଜଣାପଡିଛି । ପ୍ରଭାବଶାଳୀ ଲୋକ ସହ କିଛି ଠିକାଦାର ଏବଂ ତାଙ୍କର କିଛି ସହଯୋଗୀ ବଡ଼ ଚତୁରତାର ସହ ଏହି ସାମ୍ରାଜ୍ୟ ଚଳାଇଥିଲେ । ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ଅନେକ ଜାଲିଆତି ମାମଲା ଶଙ୍କର ପୃଷ୍ଠି ନାମରେ ହୋଇଛି । କୁକୁଡ଼ାଖଣ୍ଡିରୁ ଇପିଲି ସୀତାରାମଙ୍କୁ ସିବିଆଇ ଉଠାଇନେବା ପରେ ତାଙ୍କର କିଛି ବନ୍ଧୁ ଏବେ ଭୟଭୀତ ହୋଇଛନ୍ତି।
ଆହୁରି ପଢ଼ନ୍ତୁ:-SI ପରୀକ୍ଷା କେଳେଙ୍କାରୀ: ରିମାଣ୍ଡରେ ଅମିତ ଭାରତୀ, ପରୀକ୍ଷାର୍ଥୀଙ୍କ ସହ କେମିତି କରିଥିଲା ଡିଲ୍ ଖୋଲିବେ ଗୁମର