ବେଙ୍ଗାଲୁରୁ, ୧୮/୦୭ : ମେଟାର ଗଜବ ଟ୍ରାନ୍ସଲେସନ। ବଞ୍ଚି ଥାଉ ଥାଉ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ କରିଦେଲା ମୃତ ଘୋଷଣା। ଭଡ଼କି ଗଲେ ସିଦ୍ଧରମୈୟା। ବ୍ୟାକ୍‌ଫୁଟରେ ମେଟା। ଅଟୋ ଟ୍ରାନ୍ସଲେସନ ପାଇଁ ମେଟା ପୁଣି ବିବାଦ ଘେରକୁ ଆସିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ପୋଷ୍ଟରେ ମେଟା ଅଟୋ ଟ୍ରାନ୍ସଲେସନ କରି ସିଦ୍ଧରମୈୟା ଆଉ ନାହାଁନ୍ତି ବୋଲି ପୋଷ୍ଟ କରିଛି। ଯାହାକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚିନ୍ତାବ୍ୟକ୍ତ କରିଛନ୍ତି। ସିଏମ୍‌ଙ୍କ ସୋସିଆଲ୍ ମଡିଆ ହ୍ୟାଣ୍ଡେଲର ମେଟାକୁ ଚିଠି ଲେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି।

ସିଦ୍ଧରମୈୟା କହିଛନ୍ତି ଯେ, ଫେସବୁକ ଏବଂ ଇନଷ୍ଟାଗ୍ରାମରେ କନ୍ନଡର ଅତି ଖରାପ ଅନୁବାଦ କରାଯାଉଛି। ଅଟୋ ଟ୍ରାନ୍ସଲେସନ ଯୋଗୁଁ ୟୁଜର୍ସଙ୍କୁ ଭୁଲ୍ ତଥ୍ୟ ମିଳୁଛି। ତଥ୍ୟକୁ ମୋଡ଼ି ମକଚି ଉପସ୍ଥାପନ କରାଯାଉଛି। ଯାହାକି ୟୁଜରଙ୍କୁ ଭ୍ରମିତ କରୁଛି। ସରକାରୀ ପୋଷ୍ଟ ଗୁଡ଼ିକରେ ସୋସିଆଲ ମିଡିଆ ମଞ୍ଚକୁ ଅଧିକ ଧ୍ୟାନ ଦେବା ଉଚିତ୍। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ୍ ମଡିଆ ହ୍ୟାଣ୍ଡେଲର ପ୍ରଭାକର ଅସ୍ଥାୟୀ ଭାବେ ଅଟୋ ଟ୍ରାନ୍ସଲେସନ ଫିଚରକୁ ବନ୍ଦ ରଖିବାକୁ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଭଳି ସାମ୍ବିଧାନିକ ନେତୃତ୍ଵଙ୍କ ପୋଷ୍ଟର ତ୍ରୁଟିପୂର୍ଣ୍ଣ ଅନୁବାଦ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛନ୍ତି।

ସୂଚନା ଥାଉକି, ଦକ୍ଷିଣ ଭାରତର ଫିଲ୍ମ ଅଭିନେତ୍ରୀ ବି. ସରୋଜା ଦେବୀଙ୍କ ନିଧନରେ ସିଦ୍ଧରମୈୟା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ସେ କନ୍ନଡ ଭାଷାରେ ସମବେଦନା ଜଣାଇଥିଲେ। ହେଲେ ମେଟାର ଅଟୋ ଟ୍ରାନ୍ସଲେସନ ଟୁଲ୍ ଏହାର Chief Minister Siddarmaiah Passed away Yesterday... ବୋଲି ଇଂରାଜୀ ଅନୁବାଦ କରିଥିଲା।