ମୁମ୍ବାଇ ୨୮/୧୦: ୧୨ ବର୍ଷ ସାନ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସହ ରୋମାନ୍ସ କରିବେ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା । ଥ୍ରିଲର, ବାୟୋପିକ୍‌, ଆକ୍ସନ, ରୋମାଣ୍ଟିକ୍‌ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇ ସାରିଥିବା ସିଦ୍ଧାର୍ଥ ଏକାଧିକ ଦେଶଭକ୍ତି ଫିଲ୍ମ ପରେ ଏବେ ପୁଣି ରୋମାନ୍ସକୁ ଫେରିଛନ୍ତି । ୨୦୧୨ରେ ସିଦ୍ଧାର୍ଥ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇଅର’ ଫିଲ୍ମରେ ଆଲିଆଙ୍କ ସହ ଡେବ୍ୟୁ କରିଥିଲେ । ଏହା ପରଠାରୁ ସେ କିଆରା ଆଡ୍‌ଭାନିଙ୍କ ସମେତ ଅନ୍ୟ ଆଗଧାଡ଼ିର ଅଭିନେତ୍ରୀଙ୍କ ସହ ମଧ୍ୟ ସ୍କ୍ରିନ୍‌ ସେୟାର କରିଛନ୍ତି । ଏବେ ତାଙ୍କୁ ନୂଆ କରି ଆଉ ଜଣେ ଅଭିନେତ୍ରୀଙ୍କ ସହ ଦେଖିବାକୁ ମିଳିବ । 

ସିଦ୍ଧାର୍ଥ ଏବଂ ଜାହ୍ନବୀ ପ୍ରଥମ କରି ପରସ୍ପରର ଅପୋଜିଟ୍‌ରେ ଫିଲ୍ମ ‘ପରମ ସୁନ୍ଦରୀ’ରେ ଅଭିନୟ କରିବେ । ତୁଷାର ଜାଲୋଟା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ଅଭିଷେକ ବଚ୍ଚନଙ୍କ ଫିଲ୍ମ ‘ଦଶଭି’ର ନିର୍ଦ୍ଦେଶନା ମଧ୍ୟ ତୁଷାର ଦେଇଥିଲେ । ରିପୋର୍ଟ ଅନୁସାରେ, ସିଦ୍ଧାର୍ଥ ଏବଂ ଜାହ୍ନବୀଙ୍କୁ ନେଇ ଏକ ଥ୍ରିଲର ଫିଲ୍ମ ନିର୍ମାଣ କରିବାର ଯୋଜନା ଥିଲା । କିନ୍ତୁ ତାହାକୁ ଏବେ ରୋମାଣ୍ଟିକ୍‌ ଷ୍ଟୋରୀ କରାଯାଇଛି । ଭିନ୍ନ ଭିନ୍ନ ସଂସ୍କୃତିର ଦୁଇ ପୁଅଝିଅଙ୍କୁ ନେଇ ‘ପରମ ସୁନ୍ଦରୀ’ର ଷ୍ଟୋରୀ ରହିଛି । ଏଥିରେ ସିଦ୍ଧାର୍ଥଙ୍କୁ ଦିଲ୍ଲୀର ଜଣେ ଧନୀ ବ୍ୟବସାୟୀ ଚରିତ୍ରରେ ଦେଖିବାକୁ ମିଳିବ । ଫିଲ୍ମ କାହାଣୀରେ ଜାହ୍ନବୀ କେରଳର ଜଣେ ମଡର୍ଣ୍ଣ ଆର୍ଟିଷ୍ଟ ଭୂମିକାରେ ରହିବେ । ସିଦ୍ଧାର୍ଥ ଏଥିରେ ଜାହ୍ନବୀଙ୍କ ପ୍ରେମରେ ପଡ଼ୁଛନ୍ତି । 

ଆସନ୍ତା ଡିସେମ୍ବରରେ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ । ପ୍ରଥମେ ଫିଲ୍ମର କିଛି ଦୃଶ୍ୟ ଦିଲ୍ଲୀ ଏବଂ କେରଳରେ ଶୁଟ୍‌ ହେବ । ପରେ ମୁମ୍ବାଇ ଷ୍ଟୁଡିଓରେ ବାକି ଦୃଶ୍ୟଗୁଡ଼ିକ ଶୁଟ୍‌ କରାଯିବ । ୨୦୨୫ ସୁଦ୍ଧା ଫିଲ୍ମ ନିର୍ମାଣ ଶେଷ ହେବ ବୋଲି ଆଶା କରାଯାଉଛି । ଉଭୟ ସିଦ୍ଧାର୍ଥ ଏବଂ ଜାହ୍ନବୀଙ୍କ ଲୁକ୍‌ ଟେଷ୍ଟ ସରିଛି । କ୍ରିତି ସାନନ୍‌ ଅଭିନୀତ ଫିଲ୍ମ ‘ମିମି’ର ‘ପରମ ସୁନ୍ଦରୀ’ ଗୀତରୁ ଏହି ଫିଲ୍ମର ଟାଇଟଲ ଆସିଥିବା କୁହାଯାଉଛି । ଫିଲ୍ମ ‘ପରମ ସୁନ୍ଦରୀ’ରେ କ୍ରିତିଙ୍କୁ କିଛି ସମୟ ପାଇଁ ଦେଖିବାକୁ ମିଳିପାରେ । ତେବେ ଏ ନେଇ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଔପଚାରିକ ଭାବେ କୌଣସି ଘୋଷଣା କରାଯାଇନାହିଁ । ତେବେ ସିଦ୍ଧାର୍ଥ ଏବଂ ଜାହ୍ନବୀଙ୍କ ନୂଆ ଯୋଡ଼ିକୁ ଦର୍ଶକେ ଗ୍ରହଣ କରିବେ ବୋଲି ଚଳଚ୍ଚିତ୍ର ନିର୍ମାତା ଆଶା ରଖିଛନ୍ତି ।