ଲଣ୍ଡନ,୧୪/୦୯: ବ୍ରିଟେନ୍‌ର ବର୍ମିଂହାମ୍‌ ଅନ୍ତର୍ଗତ ଓଲ୍‌ଡବରି ସ୍ଥିତ ଏକ ପାର୍କରେ ଜଣେ ୨୦ ବର୍ଷୀୟା ଶିଖ୍‌ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ।  ଗତ ମଙ୍ଗଳବାର ସକାଳେ ଏହି ଘଟଣା ଘଟିଥିଲା । ପୀଡ଼ିତା ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଚଢ଼ଉ ଜାରି ରଖିଛି ।

ୱେଷ୍ଟ ମେଡଲାଣ୍ଡସ ପୁଲିସ ମୁତାବକ,  ମଙ୍ଗଳବାର ସକାଳ ୮ଟାରୁ ୮ଟା ୩୦ ମଧ୍ୟରେ ଏହି ଘଟଣା ଘଟିଥିଲା ।  ଅଭିଯୁକ୍ତ ଦ୍ୱୟ ତାଙ୍କୁ ପାର୍କରେ ଦେଖିବା ପରେ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ଦେଇ ଗାଳି କରିଥିଲେ । ଏହାପରେ ତାଙ୍କୁ ମାଡ଼ ମାରି ଉଭୟ ଦୁଷ୍କର୍ମ କରିଥିଲେ । ଏମିତି କି ତାଙ୍କୁ ବ୍ରିଟେନ୍‌ ଛାଡ଼ି ନିଜ ଦେଶ ପଳାଇବାକୁ ଧମକାଇଥିଲେ । ପୁଲିସ ସିସିଟିଭି ଫୁଟେଜ ସହାୟତାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି । ଏହି ଘଟଣା ପରେ ବ୍ରିଟେନ୍‌ରେ ରହୁଥିବା ଶିଖ୍‌ ସମୁଦାୟଙ୍କ ମଧ୍ୟରେ ଭୟ ଓ କ୍ରୋଧର ବାତାବରଣ ସୃଷ୍ଟି ହୋଇଛି ।  ବ୍ରିଟେନ୍‌ରେ ବର୍ଣ୍ଣବୈଷମ୍ୟ ଏବଂ ଦୁଷ୍କର୍ମ ଭଳି ଘଟଣା ପାଇଁ କୌଣସି ସ୍ଥାନ ନାହିଁ ବୋଲି ଲେବର ସାଂସଦ ପ୍ରୀତ କୌର ଗିଲ୍‌ ‘ଏକ୍ସ’ରେ ଲେଖିଛନ୍ତି ।