ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆଉ ନାହାଁନ୍ତି "ଝୁମା ଝୁମା ଗୋଲାପୀ ବେଳାରେ" ର ସ୍ବନାମଧନ୍ୟ ଗୀତିକାର ସଂଗ୍ରାମ କେଶରୀ ମହାନ୍ତି

Published By : Anindita Ratha | February 4, 2025 12:56 PM

ବାରିପଦା,୦୪/୦୨:  ଓଡ଼ିଆ ସିନେମା, ଆକାଶବାଣୀ ଓ ଦୂରଦର୍ଶନରେ ଦୀର୍ଘ ୫୦ ବର୍ଷ କାଳ ଛାଇ ରହିଥିବା ତଥା ମିଠା ମିଠା ଗୀତର ସ୍ରଷ୍ଟା ଚିର ସବୁଜ ଗୀତିକାର  ସଂଗ୍ରାମ କେଶରୀ ମହାନ୍ତି ଆଉ ନାହାଁନ୍ତି। ଭଞ୍ଜପୁର ସ୍ଥିତ ବାସଭବନରେ ମଙ୍ଗଳବାର ତଥା ଆଜି ସକାଳେ ତାଙ୍କର ପରଲୋକ ହୋଇ ଯାଇଛି । ଏଥି ସହିତ ସବୁଦିନ ପାଇଁ ମୟୂରଭଞ୍ଜ ମାଟିରୁ ଏକ ସାରସ୍ୱତ କୁସୁମଟି ଝରି ପଡିଛି । ସବୁଦିନ ପାଇଁ ନିରବି ଯାଇଛି ତାଙ୍କ ଅମୃତ ଲେଖନୀର ସେଇ ମନଜିଣା ସ୍ପର୍ଶର ସ୍ପନ୍ଦନ ।  ଏବେ କେବଳ ସ୍ମୃତିର ପାଉଁଶ ମୁଠାଏ ରୁ ଖୋଜିବାକୁ ହେବ ତାଙ୍କ ପ୍ରତିଭାବାନ ବଳିଷ୍ଠ ବ୍ୟକ୍ତିତ୍ୱକୁ ଓ ତାଙ୍କ ଅଭିଳାଷର ଅଭିସାରକୁ । 

ଓଡ଼ିଆ ଚଳଚ୍ଚିତ୍ର ଅଭିଳାଷର ସେଇ ଅଭୁଲା ଗୀତ  ଝୁମା ଝୁମା ଗୋଲାପୀ ବେଳାରେ ହେଉ କି ଫୁଲ ଚନ୍ଦନ କଥା ଫିଲ୍ମର ମାଇଲ ଷ୍ଟୋନ ଗୀତ କହନା ଏ ଫୁଲ କହନା ହେଉ ଯାହା ଅଗଣିତ ଶବ୍ଦ ଓ ସଂଗୀତ ଶିଳ୍ପୀ ତଥା ତମାମ ଶ୍ରୋତାଙ୍କୁ ଦୀର୍ଘ ଦଶନ୍ଧି ଦଶନ୍ଧି ଆଛନ୍ନ କରି ରଖିଛି । ତାହା ଥିଲା ସ୍ବର୍ଗତଃ ସଂଗ୍ରାମ କେଶରୀ ମହାନ୍ତିଙ୍କ ସଫଳ ଶବ୍ଦ ସଂରଚନାର ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ । ୧୯୪୭ ମସିହା ଏପ୍ରିଲ ୧୮ ତାରିଖରେ ଜନ୍ମିତ ଏହି  କାବ୍ୟିକ ପ୍ରତିଭାଙ୍କ ଲେଖନୀ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ବେଶ ଚଳ ଚଞ୍ଚଳ ଥିଲା । ସେ ଥିଲେ ପୂର୍ବତନ ବିଧାୟକ ହରିହର ମହାନ୍ତି ଓ ଶୀତଳ କୁମାର ମହାନ୍ତି ଙ୍କ ସୁପୁତ୍ର। ତାଙ୍କ ପିତାଙ୍କ ନାମରେ ସେ ହରିହର କଳା ମନ୍ଦିର ନାମରେ ଏକ ସଂଗୀତ ଓ ନୃତ୍ୟ ଅନୁଷ୍ଠାନ ଟିଏ ଗଢିଛନ୍ତି । ୧୯୭୧ ମସିହାରେ ସେ କଟକ ଆକାଶବାଣୀର ଜଣେ ଗୀତିକାର ଭାବେ ସ୍ୱୀକୃତି ପାଇ ଆକାଶବାଣୀ ସହିତ ଦୂର ଦର୍ଶନ ଓ ସିନେମା ପାଇଁ ସଂଗୀତ ଲେଖାଲେଖି କରି ଆସୁଥିଲେ । ଓଡ଼ିଆ ଚଳଚିତ୍ର ଫୁଲ ଚନ୍ଦନ, ଅଭିଳାଷ, ଗୋପରେ ବଢୁଛି କଳା କହ୍ନେଇ, ମୋ ମନ ଖାଲି ତୋରି ପାଇଁ, ତୁମେ ହିଁ ସାଥି ମୋର, ଘାଇଲା ବାଘ, ତୁମେ ହିଁ ସାଥି ମୋର ଏମିତି ଅନେକ ସିନେମାରେ ସେ ଜଣେ ସଫଳ ଗୀତିକାର ଭାବେ ଛାପ ଛାଡି ଯାଇ ଛନ୍ତି ।

୨୦୦୩ ମସିହାରେ ଆଦିବାସୀ ତଥା ମୟୁରଭଞ୍ଜ ର ପଲ୍ଲୀ ଗୀତ ଓ ଚିତ୍ର କଳା ପାଇଁ ଭାରତ ସରକାର ଙ୍କ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସିନିୟର ଫେଲୋସିପି ପାଇ ଗବେଷଣା କରିଥିଲେ । ତାଙ୍କର ଅନେକ ଗୀତିକବିତା ପୁସ୍ତକ ସହିତ ଅନୁବାଦ ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ସ୍ୱୀକୃତି ଓ ପ୍ରଶଂସା ପାଇଛି । ଅନେକ ଅନୁଷ୍ଠାନ ପକ୍ଷରୁ ସେ ସଂବର୍ଦ୍ଧିତ ଓ ସମ୍ମାନିତ ହୋଇଥିବା ବେଳେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ୨୦୨୩ ମସିହାରେ ମହାମହିମ ରାଷ୍ଟ୍ରପତିଙ୍କ କରକମଳରେ ସମ୍ନାନ ଜନକ ଡ଼କ୍ଟର ଉପାଧି ପ୍ରଦାନ କରା ଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା କ୍ଷଣି କଳାର ସହର ବାରିପଦା ହଠାତ ସ୍ତବ୍ଧ ହୋଇ ଯାଇଛି।  ତାଙ୍କର ପାର୍ଥିବ ଶରୀରର ଶେଷ ଦର୍ଶନ କରିବାକୁ ସହର ର ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷଙ୍କ ସହ ସଂଗ୍ରାମ ପ୍ରେମୀଙ୍କ ଭିଡ଼ ଜମିଥିଲା ।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.