ଭୁବନେଶ୍ୱର ୧୮/୧୧: ଦୁନିଆକୁ ଅଲ୍ବିଦା କହିଛନ୍ତି ସ୍ୱରର ସାଗର ହ୍ୟୁମାନ୍ ସାଗର । ଆଉ ଶୁଭିବନି ଏହି ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ସୁରିଲା ସ୍ୱର । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତି ୯ଟା ୮ ମିନିଟରେ ତାଙ୍କର ଦେହାନ୍ତ ହୋଇଛି । ଏମ୍ସ କର୍ତ୍ତୃପକ୍ଷ ଏହି ଦୁଃଖଦ ସୂଚନା ଦେବା ପରେ ସାରା ଓଡ଼ିଶାର ସଙ୍ଗୀତ ପ୍ରେମୀ ଶୋକର ସାଗରରେ ବୁଡ଼ିଯାଇଛନ୍ତି।
କଣ୍ଠଶିଳ୍ପୀରୁ ଆରମ୍ଭ କରିଥିଲେ କ୍ୟାରିଅର୍ ହ୍ୟୁମାନ ସାଗର । ଆଗକୁ ସେ ସଙ୍ଗୀତ ନିର୍ଦ୍ଦେଶନାରେ ପାଦ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଅନୁଭବ ମହାନ୍ତିଙ୍କ ଆଗାମୀ ଚଳଚ୍ଚିତ୍ର ‘ଛକିଶୂନ’ରେ ସେ ସଙ୍ଗୀତ ନିର୍ଦ୍ଦେଶନା କାମ ଆରମ୍ଭ କରିଥିଲେ । ହେଲେ ସିନେମା ଶେଷ ହେବା ପୂର୍ବରୁ ସେ ଚାଲିଗଲେ ଶେଷଯାତ୍ରାରେ । ଜୀବନଯାତ୍ରାର ଛକିଶୂନ ଖେଳରେ ହାରି ମହାଶୂନ୍ୟକୁ ଚାଲିଗଲେ । ଏ ସିନେମା କରିବାକୁ ସେ ନିର୍ମାତାଙ୍କୁ କୁଆଡ଼େ କହିଥିଲେ, ଫିଲ୍ମର ସିକ୍ୱେଏନ୍ସ ନୁହେଁ, ପୂରା କାହାଣୀ(ସ୍କ୍ରିପ୍ଟ) ଶୁଣିବି । ଏଥିରୁ ଜଣାପଡ଼ିଥିଲା ଯେ, ସିନେମା ପ୍ରତି ତାଙ୍କର ଦକ୍ଷତା କେତେ ।
କାହାଣୀକାର, ନିର୍ଦ୍ଦେଶକ ମାନସ ପଢ଼ିଆରୀ କହିଛନ୍ତି, ୧୫ ହଜାରରୁ ଅଧିକ ଗୀତ ସେ ଗାଇଛନ୍ତି । କେତେ ଲକ୍ଷ ବିବାହ ପ୍ରୋସେସନ୍ ଓ କେତେ ଭସାଣୀ, ପୂଜା ମଣ୍ଡପରେ ତାଙ୍କ ଗୀତ ବାଜିଛି ତାର ହିସାବ ନାହିଁ । ଓଡ଼ିଶାରେ ୯୦% ୟ୍ୟୁଟୁବ୍ ଚ୍ୟାନେଲ୍ ମନିଟାଇଜ୍ ହେବାର ପ୍ରମୁଖ କାରଣ ମଧ୍ୟ ହ୍ୟୁମାନ୍ । ପ୍ରଚ୍ଛଦ ପଟରେ ରହି ସେ କେତେ ଜଣଙ୍କ କ୍ୟାରିଅର୍ କରିଛନ୍ତି ତା’ର ହିସାବ କେବଳ ସେ ହିଁ କହି ପାରିବେ । ଅନେକ ଫିଲ୍ମ ତାଙ୍କ ଗୀତ ଯୋଗୁ ବହୁତ୍ ଆଗକୁ ଯାଇଛି, ଯାହାକୁ ଅସ୍ୱୀକାର କରାଯାଇନପାରେ । ତାଙ୍କ ପରି କଳାକାର ଓଡ଼ିଶାକୁ ଆଗରୁ ଆସି ନାହାଁନ୍ତି କି ଏବେ ନାହାଁନ୍ତି କି ଆଗକୁ ଆସିବେ ବି ନାହିଁ ବୋଲି ଶ୍ରୀ ପଢ଼ିଆରୀ କହିଛନ୍ତି ।
କଟକ ସିଡିଏ ସ୍ଥିତ ବାସଭବନରେ କଲେ ହ୍ୟୁମାନ ସାଗରଙ୍କୁ ଅନ୍ତିମ ଦର୍ଶନ କରିଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଦେଲେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ବର୍ତ୍ତମାନ ଜନ୍ମମାଟି ଅଭିମୁଖେ ହ୍ୟୁମାନ ସାଗରଙ୍କ ପାର୍ଥିବ ଶରୀରକୁ ନିଆଯାଉଥିବା ସୂଚନା ମିଳିଛି । ଟିଟିଲାଗଡ଼ର ପୈତୃକ ଗାଁରେ ହ୍ୟୁମାନସାଗରଙ୍କ ଅନ୍ତିମ ସଂସ୍କାର ହେବ ବୋଲି ଜଣାପଡିଛି।