ନୂଆଦିଲ୍ଲୀ: ଇସ୍ରାଏଲ ରବିବାର ତେହେରାନର ପୋଲିସ କମାଣ୍ଡ ମୁଖ୍ୟାଳୟକୁ ଟାର୍ଗେଟ କରିଥିଲା । ଏଥିରେ ଅନେକ ପୋଲିସ ଆହତ ହୋଇଥିଲେ। ଇରାନ ପୋଲିସ ବାହିନୀ ଏକ ବିବୃତ୍ତିରେ ଆକ୍ରମଣ ହୋଇଥିବା ସ୍ପ‌ଷ୍ଟ କରିଛି । ଅଧିକାରୀଙ୍କ ଅନୁଯାୟୀ, ମୁଖ୍ୟାଳୟ କୋଠାକୁ ସାମାନ୍ୟ କ୍ଷତି ପହଞ୍ଚିଛି । ଏହି ଆକ୍ରମଣ ରାଜଧାନୀ ତେହେରାନର ଅନେକ ଅଞ୍ଚଳ ମଧ୍ୟରୁ ଗୋଟିଏ ଯେଉଁଠାରେ ଇସ୍ରାଏଲ ନିରନ୍ତର ବିମାନ ଆକ୍ରମଣ କରୁଛି। ସୁରକ୍ଷା ବାହିନୀକୁ ହାଇ ଆଲର୍ଟରେ ରଖାଯାଇଛି ଏବଂ ପରିସ୍ଥିତି ଉପରେ ନଜର ରଖାଯାଇଛି।

 ସେପଟେ ଇସ୍ରାଏଲୀ ସେନା ସ୍ପଷ୍ଟ କରିଛି ଯେ, ଇରାନ ଇସ୍ରାଏଲ ଉପରେ ପୁଣି ଥରେ କ୍ଷେପଣାସ୍ତ୍ର ମାଡ଼ କରିଛି । ଏହି ଆକ୍ରମଣ ପରେ ସାରା ଦେଶରେ ସାଇରନ ବାଜିଥିବା ଜଣାପଡ଼ିଛି । ଲୋକଙ୍କୁ ବଙ୍କରକୁ ଯିବାକୁ ଚେତାବନୀ ଦିଆଯାଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛି ଯେ, ଇରାନ୍‌ ବଡ଼ ଧରଣର ଆକ୍ରମଣ କରୁଛି । ଏହାର ଜବାବ ଦିଆଯାଉଛି। ଏପର୍ଯ୍ୟନ୍ତ କ୍ଷୟକ୍ଷତି ରିପୋର୍ଟ କରାଯାଇ ନାହିଁ । କିନ୍ତୁ ସାରା ଦେଶରେ ସତର୍କତା ବୃଦ୍ଧି କରାଯାଇଛି ।




 ସେହିଭଳି ଇସ୍ରାଏଲୀ ସେନା ଇରାନର ରାଜଧାନୀ ତେହେରାନର ଅନେକ ସ୍ଥାନରେ ବଡ଼ ଧରଣର ବିମାନ ଆକ୍ରମଣ କରିଛି। ଖବର ଅନଲାଇନ୍‌ର ରିପୋର୍ଟ ଅନୁଯାୟୀ, ଖାଜେ ଅବଦୁଲ୍ଲା ଷ୍ଟ୍ରିଟ୍‌ରେ ଅବସ୍ଥିତ ଇରାନର ଗୁଇନ୍ଦା ମନ୍ତ୍ରଣାଳୟର କୋଠାକୁ ଟାର୍ଗେଟ କରାଯାଇଥିଲା। ପୋଲିସ କମାଣ୍ଡ ମୁଖ୍ୟାଳୟ ନିକଟରେ ଏକ ବିସ୍ଫୋରଣ ହୋଇଥିବା ସ୍ପଷ୍ଟ କରିଛି ଇରାନ । ଇରାନ ଇଣ୍ଟରନ୍ୟାସନାଲ ଦ୍ବାରା ଜାରି କରାଯାଇଥିବା ଭିଡିଓରେ ଜଣାପଡ଼ିଛି, ନିରୁ ହାୱାଇ ଅଞ୍ଚଳର ଅନେକ କୋଠା ସମ୍ପୂର୍ଣ୍ଣ ଧ୍ବଂସ ହୋଇଛି । 

 ବର୍ତ୍ତମାନ ଏହି ଆକ୍ରମଣରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ନୁହେଁ। ଇସ୍ରାଏଲୀ ସେନା (IDF) ଚେତାବନୀ ଦେଇଛି ଯେ, ଆଗାମୀ ଦିନରେ ଇରାନରୁ ଆହୁରି କ୍ଷେପଣାସ୍ତ୍ର ଆକ୍ରମଣ ହୋଇପାରେ। IDF ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଏଫି ଡେଫ୍ରିନ୍ କହିଛନ୍ତି ଯେ, ଇସ୍ରାଏଲୀ ବାୟୁସେନା ତେହେରାନ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ଇରାନ ଘାଟି ଉପରେ ଲଗାତାର ଆକ୍ରମଣ କରୁଛି। ଏହି ଆକ୍ରମଣ ଇରାନର ପରମାଣୁ କ୍ଷମତା ଏବଂ ସାମରିକ ଭିତ୍ତିଭୂମିକୁ ଦୁର୍ବଳ କରିବା ପାଇଁ କରାଯାଉଛି ।