ଜମନକିରା, ୧୮।୫(ଆପ୍ର): ଜମି ପାଇଁ ବଳିପଡିଲା ସମ୍ପର୍କ। ଭଉଣୀକୁ ଛୁରି ଭୁସି ହତ୍ୟା କଲେ ଭାଇ ଓ ଭଉଣୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ବାମରା ଗୋବିନ୍ଦପୁର ଥାନା ମଝିପଡ଼ାରେ। ମୃତକ ହେଲେ ମଝିପଡ଼ାର ଲୀନା ସାହୁ(୩୭)। ଲୀନାଙ୍କ ସାନ ଭାଇ ଗୋଲକ ସାହୁ(୩୦) ଓ ଭଉଣୀ ପୁଷ୍ପାଞ୍ଜଳି(ମିଲି) ସାହୁ(୪୨) ଏହି କାଣ୍ଡ ଭିଆଇଛନ୍ତି। ଘଟଣାରେ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ଗୋବିନ୍ଦପୁର ଥାନା ପୁଲିସ୍। ହତ୍ୟାକାଣ୍ଡରେ ବ୍ୟବହୃତ ଛୁରିକୁ ଜବତ କରାଯାଇଛି।
ସୂଚନା ଅନୁସାରେ, ବାମରା ମଝିପଡ଼ାରେ ବିନୋଦ ସାହୁଙ୍କ ପରିବାର ରହନ୍ତି। ତାଙ୍କର ୨ ଝିଅ ଓ ଗୋଟିଏ ପୁଅ। ସାନ ଝିଅ ଲୀନାଙ୍କ ବାହାଘର ହୋଇଥିଲା। କିନ୍ତୁ ସେ ଏବେ ସ୍ବାମୀଙ୍କଠାରୁ ଅଲଗା ହୋଇ ସମ୍ବଲପୁରରେ ରହୁଥିଲେ। ହେଲେ ବଡ ଝିଅ ମିଲି ଓ ସାନ ପୁଅ ଗୋଲକ ଏଯାଏଁ ବିବାହ କରିନାହାନ୍ତି। ସେମାନେ ଗୋବିନ୍ଦପୁର ସ୍ଥିତ ମଝିପଡ଼ା ଘରେ ରହୁଥିଲେ। ଜମି ଭାଗକୁ ନେଇ ଲୀନାଙ୍କ ସହ ଗୋଲକ ଓ ମିଲିଙ୍କ ପୂର୍ବରୁ ଝଗଡ଼ା ହୋଇଥିଲା। ରବିବାର ଲୀନା ଗୋବିନ୍ଦପୁରକୁ ନିଜର ବଡବାପାଙ୍କ ଅନ୍ତେଷ୍ଟ୍ରିକ୍ରିୟାରେ ଯୋଗ ଦେବାକୁ ଆସିଥିଲେ। ବଡ଼ବାପାଙ୍କ ପରିବାର ଲୋକ ତାଙ୍କୁ ଡାକିଥିଲେ। ହେଲେ ଲୀନାଙ୍କୁ କାହିଁକି ଡକାଯାଇଛି ବୋଲି କହି ଗୋଲକ ଓ ମିଲି ବିରୋଧ କରିଥିଲେ। ଯାହାକୁ ନେଇ ଭାଇଭଉଣୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଲୀନା ଘର ଭିତରେ ଥିବା ସମୟରେ ସାନ ଭାଇ ଓ ଭଉଣୀ ଏକ ଛୁରି ଧରି ଆକ୍ରମଣ କରିଥିଲେ। ବଡ଼ ଭଉଣୀ ମିଲି ଲୀନାକୁ ଧରିଥିବାବେଳେ ଗୋଲକ ତାଙ୍କୁ ଛୁରିରେ ଆକ୍ରମଣ କରି ଶରରୀର ବିଭିନ୍ନ ସ୍ଥାନରେ କ୍ଷତାକ୍ତ କରିଥିଲେ। ପରେ ସେଠାରେ ଥିବା ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ଲୀନାଙ୍କୁ ମୃତ ଘୋଷଣା କରିଥିଲେ। ଗୋବିନ୍ଦପୁର ପୁଲିସ୍ ମୃତଦେହକୁ ଜବତ କରିଛି।
ହତ୍ୟାର ପ୍ରକୃତ କାରଣ ଜଣାପଡିନ ଥିଲେ ମଧ୍ୟ ପରିବାରର ଅନିଚ୍ଛା ସତ୍ତ୍ବେ ଲୀନା ଅନ୍ୟତ୍ର ବିବାହ କରିଥିଲେ। ପରେ ବିଚ୍ଛେଦ ମଧ୍ୟ ହୋଇଥିଲା। ଯାହାକୁ ନେଇ ଲୀନାଙ୍କୁ ଭାଇ ଓ ଭଉଣୀ ବିରୋଧ କରିଆସୁଥିଲେ। ଏମିତି କି ଜମି ଭାଗ ଦିଆଯିବ ନାହିଁ ବୋଲି କହୁଥିଲେ। ହେଲେ ବିବାହ ବିଚ୍ଛେଦ ପରେ ଲୀନା ଜମି ଭାଗ ମାଗିଥିଲେ। ଜମି ଭାଗ ନେବାକୁ ସେ ଦାବି କରିଆସୁଥିଲେ। ତେଣୁ ତାଙ୍କର ନିୟମିତ ପରିବାର ସହ ଝଗଡ଼ା ହେଉଥିଲା।